
ଝାରସୁଗୁଡ଼ା, 29 ଜୁଲାଇ (ହି.ସ.) ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନା ବିଭାଗର ନିର୍ଦ୍ଦେଶକ୍ରମେ ଜାତୀୟ ସ୍ବାସ୍ଥ୍ୟ ମିଶନ, ଓଡ଼ିଶାର ମିଶନ ନିର୍ଦ୍ଦେଶକ ଡାକ୍ତର ବୃନ୍ଦା ଡି. ଦୁଇ ଦିନିଆ ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ସରକାରୀ ଯୋଜନା, ସ୍ବାସ୍ଥ୍ୟସେବା ଏବଂ ସାମାଜିକ ସୁରକ୍ଷା ଅନୁଷ୍ଠାନଗୁଡ଼ିକର କାର୍ଯ୍ୟକାରିତା ସମୀକ୍ଷା କରିଛନ୍ତି। ଏହି ପରିଦର୍ଶନ ସମୟରେ ଝାରସୁଗୁଡ଼ା ଜିଲ୍ଲାପାଲ କୁଣାଲ ମୋତିରାମ ଚହ୍ବାଣ, ଜିଲ୍ଲା ପରିଷଦର ଏପିଡି ସୂର୍ଯ୍ୟାଂଶୁ ରୁଟ୍, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ କୁମାର ନାୟକ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କୃଷ୍ଣାକେଶୀ ବଳିଆରସିଂହଙ୍କ ସମେତ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ମିଶନ ନିର୍ଦ୍ଦେଶକ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ 'ମିଶନ ଆଶାଲୋକ-୧' କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ ଉପଲବ୍ଧ ଭିତ୍ତିଭୂମି, ନିୟମିତ ଡାକ୍ତରୀ ଚିକିତ୍ସା, ଔଷଧ ଯୋଗାଣ, ଉଦ୍ଧାର ଅଭିଯାନ ଏବଂ ଜୀବିକା ନିର୍ବାହ ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକର ଅନୁଧ୍ୟାନ କରିଥିଲେ। ହଜିଯାଇଥିବା ମାନସିକ ଅସୁସ୍ଥ ବ୍ୟକ୍ତିମାନଙ୍କୁ ଆରୋଗ୍ୟ କରି ସେମାନଙ୍କ ପରିବାର ସହ ପୁନର୍ମିଳନ କରାଇବା ପାଇଁ ଝାରସୁଗୁଡ଼ା ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନ ଗ୍ରହଣ କରିଥିବା ନିଷ୍ଠାପର ଉଦ୍ୟମକୁ ସେ ପ୍ରଶଂସା କରିବା ସହ ସନ୍ତୋଷ ପ୍ରକାଶ କରିଥିଲେ।ପରିଦର୍ଶନ ସମୟରେ ଆରୋଗ୍ୟ ପଥରେ ଥିବା ଦୁଇଜଣ ନିବାସୀ ମିଶନ ନିର୍ଦ୍ଦେଶକଙ୍କ ସମ୍ମୁଖରେ ସଙ୍ଗୀତ ଗାନ କରିଥିଲେ, ଯାହା ସେମାନଙ୍କର ସ୍ବାସ୍ଥ୍ୟଗତ ସୁଧାର ଓ ମାନସିକ ପ୍ରଗତିକୁ ଦର୍ଶାଇଥିଲା। ଏହି ଆଶାତୀତ ସୁଧାର ଦେଖି ନିର୍ଦ୍ଦେଶକ ଅତ୍ୟନ୍ତ ଖୁସି ହୋଇଥିଲେ। କେନ୍ଦ୍ରରେ ଅଧିକ ରୋଗୀଙ୍କ ସେବା ପାଇଁ ଶଯ୍ୟା ବୃଦ୍ଧି କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବା ସହ ବିଭାଗ ପକ୍ଷରୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରିଶେଷରେ, ଡାକ୍ତର ବୃନ୍ଦା ଡି. ପଞ୍ଚପଡ଼ାସ୍ଥିତ ବୃଦ୍ଧାଶ୍ରମ ପରିଦର୍ଶନ କରି ବୟସ୍କ ଅନ୍ତେବାସୀଙ୍କ ରହିବା, ସ୍ବାସ୍ଥ୍ୟସେବା, ଖାଦ୍ୟପେୟ ଓ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥାର ସମୀକ୍ଷା କରିଥିଲେ।ଅନ୍ତେବାସୀମାନେ ବୟସାଧିକ୍ୟ ଯୋଗୁଁ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ସେମାନଙ୍କର ନିୟମିତ ଆଖି ଓ କାନ ପରୀକ୍ଷା ସହ ଆବଶ୍ୟକ ସ୍ଥଳେ ଶ୍ରବଣ ଯନ୍ତ୍ର ବଣ୍ଟନ କରିବାକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ କୁମାର ନାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ରୋଷେଇ ଘରର ପରିଚ୍ଛନ୍ନତା, ସୁଷମ ଖାଦ୍ୟ ପ୍ରଦାନ, ଜଳଯୋଗାଣ ଓ ପୁନର୍ବାସ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ସହ ପରିବାରରୁ ବିଚ୍ଛିନ୍ନ ହୋଇଥିବା ବୃଦ୍ଧବୃଦ୍ଧାଙ୍କୁ ସେମାନଙ୍କ ନିଜ ପରିବାର ସହ ଶୀଘ୍ର ମିଶାଇବା ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ