
ଝାରସୁଗୁଡ଼ା, 29 ଜୁଲାଇ (ହି.ସ.) ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜାତୀୟ ସ୍ବାସ୍ଥ୍ୟ ମିଶନ, ଓଡ଼ିଶାର ମିଶନ ନିର୍ଦ୍ଦେଶକ ଡ. ବୃନ୍ଦା ଡି. ଦୁଇ ଦିନିଆ ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଆସିଛନ୍ତି। ଏହି ଗସ୍ତ ସମୟରେ ସେ ବିଭିନ୍ନ ଉନ୍ନୟନମୂଳକ ଓ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଏହି ଗସ୍ତ କ୍ରମରେ ସେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନସ୍ଥ ବେହେରାମାଲ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରି ସେଠାରେ ଉପଲବ୍ଧ ସୁବିଧା ସୁଯୋଗର ଅନୁଧ୍ୟାନ କରିଛନ୍ତି। ଏହି ପରିଦର୍ଶନ ସମୟରେ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଉପସ୍ଥିତ ରହି ନିର୍ଦ୍ଦେଶକ ଡ. ବୃନ୍ଦା ଡି ଙ୍କୁ ବିଭିନ୍ନ ବିଷୟରେ ଅବଗତ କରାଇଥିଲେ। ଏହି ଅବସରରେ ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ପରିଷଦର ଏପିଡି ସୂର୍ଯ୍ୟାଂଶୁ ରୁଟ୍ଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
ମିଶନ ନିର୍ଦ୍ଦେଶକ ବିଦ୍ୟାଳୟରେ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଟିମ୍ ଏବଂ ଏଏନ୍ଏମ୍ ଙ୍କ ଦ୍ୱାରା ଛାତ୍ରଛାତ୍ରୀମାନଙ୍କର କରାଯାଉଥିବା ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ସମ୍ପର୍କରେ ପଚାରି ବୁଝିବା ସହ ବୋର୍ଡିଂରେ ରହୁଥିବା ଅନ୍ତେବାସୀଙ୍କ ସାମଗ୍ରିକ ସ୍ବାସ୍ଥ୍ୟାବସ୍ଥାର ତଦାରଖ କରିଥିଲେ।
ଏହାପରେ ସେ ବିଦ୍ୟାଳୟ ପରିସରରେ ଥିବା ଛାତ୍ରୀନିବାସକୁ ଯାଇ ଅନ୍ତେବାସୀ ଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ବିଷୟରେ ପଚାରିବା ସହ ଦୈନନ୍ଦିନ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା, ରହିବା ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ସୁଯୋଗ ସମ୍ପର୍କରେ ପଚାରି ବୁଝିଥିଲେ। ଛାତ୍ରଛାତ୍ରୀମାନେ ଯେପରି କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ସଜାଗ ରହିବା ସହ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ସେ ବିଦ୍ୟାଳୟର କର୍ମଚାରୀ ଓ ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦେବା ସହିତ ଜିଲ୍ଲାପାଳଙ୍କୁ ତଦାରଖ କରିବା ପାଇଁ କହିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ