
ଜୟପୁର, 29 ଜୁଲାଇ (ହି.ସ.)- କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ନୂଆଗାଁ ସରକାରୀ ଆଶ୍ରମ ବିଦ୍ୟାଳୟରେ ଭାଲୁ ଆତଙ୍କ ଥମିବାର ନାଁ ନେଉନି। ଗତକାଲି ରାତିରେ ପୁଣିଥରେ ଏକ ଭାଲୁ ସ୍କୁଲ ପରିସରକୁ ପଶିଥିବା ଦୃଶ୍ୟ କେମେରାରେ କଏଦ ହୋଇଛି। ବାରମ୍ବାର ଭାଲୁ ସ୍କୁଲ ଭିତରକୁ ପଶୁଥିବାରୁ।ଛାତ୍ରାବାସରେ ରହୁଥିବା ୪୦୦ରୁ ଅଧିକ ଛାତ୍ରଛାତ୍ରୀ ଭୟଭୀତ ହୋଇପଡ଼ିଛନ୍ତି। ତୁରନ୍ତ ସ୍ଥାୟୀ ପଦକ୍ଷେପ ନେବାକୁ ଅଭିଭାବକ ଓ ସ୍ଥାନୀୟ ଲୋକ ଦାବି କରିଛନ୍ତି। ବୋରିଗୁମ୍ମା ବ୍ଲକର ନୂଆଗାଁ ସରକାରୀ ଆଶ୍ରମ ବିଦ୍ୟାଳୟ ରେ ଗତକାଲି ରାତିରେ ପୁଣିଥରେ ପାଚେରୀ ଡେଇଁ ସ୍କୁଲ ପରିସରକୁ ପଶିଛି ଏକ ଭାଲୁ। ଖାଦ୍ୟ ଅନ୍ୱେଷଣରେ ବାରମ୍ବାର ସ୍କୁଲ ଭିତରକୁ ଆସୁଥିବା ଭାଲୁ ଏବେ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ବିପଦ ପାଲଟିଛି।
ସ୍କୁଲ ଛାତ୍ରାବାସରେ ରହୁଥିବା ୪୦୦ରୁ ଅଧିକ ଛାତ୍ରଛାତ୍ରୀ ସନ୍ଧ୍ୟା ହେଲେ ଭୟରେ ଦିନ କାଟୁଛନ୍ତି। ପୂର୍ବରୁ ମଧ୍ୟ ଭାଲୁ ସ୍କୁଲ ରେ ପଶିଛି। ବାରମ୍ବାର ଭାଲୁର ଉପଦ୍ରବ ଯୋଗୁଁ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ମଧ୍ୟରେ ଆତଙ୍କ ବଢ଼ିଚାଲିଛି। କୌଣସି ଅଘଟଣ ଘଟିବା ପୂର୍ବରୁ ଜଙ୍ଗଲ ବିଭାଗ ତୁରନ୍ତ ସ୍ଥାୟୀ ପଦକ୍ଷେପ ନେଇ ଭାଲୁର ଚଳପ୍ରଚଳ ରୋକିବା ସହ ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ସ୍ଥାନୀୟ ଲୋକ ଓ ଅଭିଭାବକ ଦାବି କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି