ଫୁଲବାଣୀ ଭେଷଜ ମହାବିଦ୍ୟାଳୟର ନାମକରଣକୁ ଜିଲ୍ଲା ଆଦିବାସୀ ମିଳିତ ମଂଚର ବିରୋଧ
Protest for new Name of Phulbani Medical College
ଫୋଟ


କନ୍ଧମାଳ, ୨୯ ଜୁଲାଇ(ହି.ସ.) – ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଘୋଷଣା ଏବଂ ସରକାରୀ ଭାବେ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଆମକୁ ସମସ୍ତଙ୍କୁ ବ୍ୟଥିତ କରିଅଛି।

ସରକାରୀ ଭେଷଜ ମହାବିଦ୍ୟାଳୟକୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରିବା ଘଟଣାକୁ ବିରୋଧ କରିଛି କନ୍ଧମାଳ ଜିଲ୍ଲା ମିଳିତ ମଂଚ। ଆଜି ଫୁଲବାଣୀ ସ୍ଥିତ ଜିଲ୍ଲା ପ୍ରେସ କ୍ଲବରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଏହାର ଉପଦେଷ୍ଟା ଓ ଆଦିବାସୀ ନେତା ଲମ୍ବୋଦର କହଁର। ସେ କହିବା ଅନୁସାରେ କନ୍ଧମାଳ ଜିଲ୍ଲା ମୋଟ ଜନସଂଖ୍ୟାର ୫୩ ପ୍ରତିଶତ ଥିବା ଆଦିବାସୀ ବହୁଳ ଅଂଚଳରେ ପ୍ରାୟ ୫୧ ପ୍ରତିଶତ କୁଇ(କନ୍ଧ) ସମ୍ପ୍ରଦାୟର ଅଟନ୍ତି। ମୁଷ୍ଟିମେୟ ଲୋକଙ୍କ ପ୍ରଭାବରେ ହେଉ କିମ୍ବା ଚାପରେ କନ୍ଧମାଳ ଜିଲ୍ଲାରେ ଅଧାରୁ ଅଧିକ ଥିବା ଜନସାଧାରଣଙ୍କ ସହ ଆଲୋଚନା ନକରି କୁଇ ସମ୍ପ୍ରଦାୟର ଯୋଗ୍ୟ ବ୍ୟକ୍ତିବିଶେଷଙ୍କ ନାମ ବିଚାରକୁ ନିଆନଯାଇ ଭେଷଜ ମହାବିଦ୍ୟାଳୟ, କନ୍ଧମାଳର ନାମକରଣ କରି ଓଡ଼ିଶା ସରକାର ଅନ୍ୟାୟ କରିଛନ୍ତି। ଏଥିପାଇଁ ଏହାର ଦୃଢ଼ ପ୍ରତିବାଦ କରୁଅଛୁ ବୋଲି କହିଛନ୍ତି। ଏଥିସହ ସେ ଦାବି କରିଛନ୍ତି ଯେ ସରକାର ତୁରନ୍ତ ଏହି ଘୋଷଣା ଏବଂ ସରକାରୀ ଭାବେ ଜାରି କରାଯାଇଥିବା ନିର୍ଦ୍ଦେଶନାମା ରଦ୍ଦ କରନ୍ତୁ। ନିର୍ବିବାଦୀୟ ତଥା ସର୍ବଗ୍ରହଣୀୟ ନାମ ଅନୁସାରେ ଭେଷଜ ମହାବିଦ୍ୟାଳୟ, କନ୍ଧମାଳକୁ ନାମିତ କରାଯାଉ।

ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଜଲେଶପଟାସ୍ଥିତ ବେସରକାରୀ ସଂସ୍ଥାକୁ ସରକାରୀ କୋଷରୁ ଅର୍ଥ ଖର୍ଚ୍ଚ କରାନଯାଇ ସରକାରୀ ବିଦ୍ୟାଳୟ ଉନ୍ନତିକରଣରେ ସେହି ପାଣ୍ଠିକୁ ବିନିଯୋଗ କରାଯାଉ। ଆମପ୍ରତି ହୋଇଥିବା ଅନ୍ୟାୟର ଉପଯୁକ୍ତ ନ୍ୟାୟ ନପାଇବା ପର୍ଯ୍ୟନ୍ତ ଏହିଭଳି ବିରୋଧ ଜାରି ରହିବ ଏବଂ ଆସନ୍ତା ପନ୍ଦରରଦିନ ମଧ୍ୟରେ ସ୍ଥାୟୀ ସମାଧାନ ନ କରାଗଲେ ଏହି ବିରୋଧ ତୀବ୍ରରୂପେ ପ୍ରଦର୍ଶନ ହେବ, ଯାହାର ପରିଣାମ ନିମନ୍ତେ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ଅବସରରେ ସମୀର ଘଟାଲ, ସଭାପତି, ମିଳିତ ମଂଚ, ଫୁଲବାଣୀ, କନ୍ଧମାଳ, ରମାକାନ୍ତ ମଲ୍ଲିକ, କାର୍ଯ୍ୟକାରୀ ସଭାପତି, କୁଈ ସମାଜ ସେବା ସମିତି ଫୁଲବାଣୀର ପଂଚାନନ କହଁର, କାର୍ଯ୍ୟକାରିଣୀ ସଦସ୍ୟ, ମନୋଜ କୁମାର ପ୍ରଧାନ, ଆଦିବାସୀ ମହାସଂଘ ଓଡ଼ିଶା, କନ୍ଧମାଳ ଶାଖା, ପଙ୍କଜ ଦିଗାଲ, ସଭାପତି, ପାଣ ସମାଜ କଲ୍ୟାଣ କମିଟି, ଗୌତମ ପ୍ରଧାନଙ୍କ ସମେତ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande