
Bhubaneswar, 29 ଜୁଲାଇ (ହି.ସ.)
କୃଷକଙ୍କ ସଶକ୍ତୀକରଣ, ନିରନ୍ତର କୃଷି ବିକାଶ ଏବଂ କୃଷି ଛାତ୍ରଛାତ୍ରୀଙ୍କ ବ୍ୟବହାରିକ ଶିକ୍ଷାକୁ ଗୁରୁତ୍ୱ ଦେଇ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍) ପକ୍ଷରୁ ୨୦୨୬-୨୭ ନିମନ୍ତେ ଗ୍ରାମୀଣ କୃଷି କାର୍ଯ୍ୟ ଅନୁଭୂତି (ରୁରାଲ୍ ଏଗ୍ରିକଲଚରାଲ୍ ୱର୍କ ଏକ୍ସପିରିଏନ୍ସ–ରାୱେ) ଅଧିନସ୍ଥ ପ୍ରଥମ ପର୍ଯ୍ୟାୟ କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇଯାଇଛି ।
ଜୁଲାଇ ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ଗ୍ରାମ ସଂଲଗ୍ନତା କାର୍ଯ୍ୟକ୍ରମ (ଭିଲେଜ୍ ଆଟାଚମେଂଟ ପ୍ରୋଗ୍ରାମ୍) ଅଧୀନରେ ଆୟୋଜିତ ଏହି ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର, ଜଟଣୀ ଓ ବାଲିଅନ୍ତା ବ୍ଲକ୍ର ୧୧ଟି ଗ୍ରାମକୁ ସାମିଲ କରାଯାଇଥିଲା । ଏହି ଗ୍ରାମଗୁଡ଼ିକ ହେଉଛି ଝିଂଟିଶାସନ, ପାଣିକଟା, ଛତାବର, ପୁରୋହିତପୁର, ମେଣ୍ଢାଶାଳ, ବୁଢ଼ିପଡ଼ା, ବରୁଡ଼ାଖଣା, ପୁରୁଣା ପଧାନ, କୁଜିମହଲ, ଭୋଳା ଏବଂ ସିଙ୍ଗିରିଶାସନ ।
ଏହି ପରିପ୍ରେକ୍ଷୀରେ କୃଷକଙ୍କ ସ୍ଥାନୀୟ ଆବଶ୍ୟକତାକୁ ଆଧାର କରି ମୋଟ ୧୬ଟି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କମ୍ ବ୍ୟୟବହୁଳ, ଜଳବାୟୁ ଅନୁକୂଳ ଓ ଆୟ ବୃଦ୍ଧିକାରୀ କୃଷି ପ୍ରଯୁକ୍ତି ଉପରେ ଏହି ପ୍ରଶିକ୍ଷଣରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ସ୍ଥାନୀୟ କୃଷି ପ୍ରଣାଳୀ ଓ କୃଷକଙ୍କ ଆବଶ୍ୟକତାକୁ ବିଚାରକୁ ନେଇ ପ୍ରସ୍ତୁତ ପ୍ରଶିକ୍ଷଣ ମଡ୍ୟୁଲ୍ ମାଧ୍ୟମରେ ଉତ୍ପାଦନ ବୃଦ୍ଧି, ଚାଷ ଖର୍ଚ୍ଚ ହ୍ରାସ ଓ ସ୍ଥାୟୀ କୃଷିକୁ ପ୍ରୋତ୍ସାହିତ କରୁଥିବା ବୈଜ୍ଞାନିକ ପଦ୍ଧତି ସଂପର୍କରେ କୃଷକଙ୍କୁ ଅବଗତ କରାଯାଇଥିଲା ।
ପ୍ରଶିକ୍ଷଣରେ ପଶୁଖାଦ୍ୟ ଓ ମୃତିକାର ଉର୍ବରତା ବୃଦ୍ଧି ପାଇଁ ଆଜୋଲା ଚାଷ, ଧାନ ଚାଷରେ ସମନ୍ୱିତ ପୋଷକ ତତ୍ୱ ପରିଚାଳନା (ଆଇଏନ୍ଏମ୍) ଓ ସମନ୍ୱିତ କୀଟ ପରିଚାଳନା (ଆଇପିଏମ୍), ଛତୁ ଚାଷ ଓ ମୂଲ୍ୟ ସଂଯୋଜନ, ନିମ୍ବ ଆଧାରିତ ଜୈବ କୀଟନାଶକ ପ୍ରସ୍ତୁତି ଓ ବ୍ୟବହାର, ବିହନ ଓ କଦଳୀ ଚେର ଶୋଧନ, ଜୈବିକ କୃଷି ଉପାଦାନ ପ୍ରସ୍ତୁତି, ନିମ୍ବ ମଞ୍ଜି କର୍ଣ୍ଣେଲ ଏକ୍ସଟ୍ରାକ୍ଟ (ଏନ୍ଏସ୍କେଇ) କମ୍ପେ।।ଷ୍ଟ ଏନ୍ହାନ୍ସର ବ୍ୟବହାର କରି କମ୍ପୋଷ୍ଟ ପ୍ରସ୍ତୁତି ସଂପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା ।
ଏଥି ସହିତ ମହୁଚାଷ ଓ ମହୁ ସଂଗ୍ରହ, ପ୍ରୋ-ଟ୍ରେ ପ୍ରଯୁକ୍ତିରେ ଉନ୍ନତମାନର ପନିପରିବା ଚାରା ପ୍ରସ୍ତୁତି, ପରିବେଶ ଅନୁକୂଳ କୀଟ ପରିଚାଳନା ପାଇଁ ଇନ୍ସେକ୍ଟ ଟ୍ରାପ୍ ବ୍ୟବହାର, କେଂଚୁଆ ପାଳନ, ଭର୍ମି କମ୍ପୋଷ୍ଟ ଓ ଭର୍ମିୱାଶ ପ୍ରସ୍ତୁତି ସହିତ କାକୁଡ଼ି ଜାତୀୟ ଫସଲ ଏବଂ ଧାନରେ ସମନ୍ୱିତ କୀଟ ପରିଚାଳନା ଉପରେ ମଧ୍ୟ କୃଷକମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରତ୍ୟେକ ପ୍ରଶିକ୍ଷଣରେ ସିଧାସଳଖ ପ୍ରଦର୍ଶନ, ବ୍ୟବହାରିକ ଅଭ୍ୟାସ, ପାରସ୍ପରିକ ଆଲୋଚନା ଓ କ୍ଷେତ୍ର ସ୍ତରୀୟ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ରାୱେ କମିଟିର ଅଧ୍ୟାପକମାନଙ୍କ ତତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମ ସଫଳତାର ସହ ସଂପନ୍ନ ହୋଇଥିଲା । ଏଥିରେ ମହିଳା କୃଷକ, ଗ୍ରାମୀଣ ଯୁବକ-ଯୁବତୀ ଏବଂ ରାୱେ ଛାତ୍ରଛାତ୍ରୀମାନଙ୍କର ଉତ୍ସାହଜନକ ଅଂଶଗ୍ରହଣ କାର୍ଯ୍ୟକ୍ରମକୁ ସଫଳ କରିଥିଲା । କୃଷକମାନେ ସେମାନଙ୍କର କ୍ଷେତ୍ର ସ୍ତରୀୟ ସମସ୍ୟା ନେଇ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସ୍ଥାନୀୟ ପରିସ୍ଥିତି ଅନୁକୂଳ ବୈଜ୍ଞାନିକ ପରାମର୍ଶ ପାଇଥିଲେ ।
ରାୱେ କାର୍ଯ୍ୟକ୍ରମ ସଂପର୍କରେ ଆଇଏଏସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ କହିଥିଲେ ଯେ ଏହା କୃଷି ଶିକ୍ଷା ଓ ଗ୍ରାମୀଣ ବିକାଶ ମଧ୍ୟରେ ଏକ ଦୃଢ଼ ସେତୁବନ୍ଧ ଭାବେ କାର୍ଯ୍ୟ କରୁଛି । ଏହା ଛାତ୍ରଛାତ୍ରୀଙ୍କୁ ବାସ୍ତବ କୃଷି ପରିସ୍ଥିତି, ସ୍ଥାନୀୟ ସମ୍ବଳ, କୃଷକଙ୍କ ସମସ୍ୟା ଏବଂ ଗ୍ରାମୀଣ ଜୀବନଯାପନ ବ୍ୟବସ୍ଥା ସଂପର୍କରେ ପ୍ରତ୍ୟକ୍ଷ ଅନୁଭୂତି ପ୍ରଦାନ କରୁଛି । ଏହା ସେମାନଙ୍କୁ ଦକ୍ଷ କୃଷି ବୃତିଜୀବୀ, କୃଷି ସଂପ୍ରସାରଣ କର୍ମୀ ଓ ପରିବର୍ତନର ବାର୍ତାବାହକ ଭାବେ ଗଢ଼ି ତୋଳିବାରେ ସହାୟକ ହେଉଛି । ସୋଆର କୃଷି ବିଜ୍ଞାନ ଅନୁଷ୍ଠାନ ଗୁଣାତ୍ମକ କୃଷି ଶିକ୍ଷା ସହିତ କୃଷକଙ୍କ ଜୀବନ ଜୀବିକାର ଉନ୍ନତି ଓ ସ୍ଥାୟୀ କୃଷି ବିକାଶ ପାଇଁ ବୈଜ୍ଞାନିକ ଜ୍ଞାନର ପ୍ରସାର ଜାରି ରଖିବ ବୋଲି ସେ କହିଥିଲେ ।
ରାୱେ କାର୍ଯ୍ୟକ୍ରମର ଅଧ୍ୟକ୍ଷ ଡକ୍ଟର ଅଂଶୁମାନ ଜେନା କହିଥିଲେ ଯେ ଗ୍ରାମବାସୀ, କୃଷକ ଓ ଛାତ୍ରଛାତ୍ରୀଙ୍କ ସକ୍ରିୟ ସହଯୋଗ ଯୋଗୁଁ ପ୍ରଥମ ପର୍ଯ୍ୟାୟର ସମସ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇଛି । ସ୍ଥାନୀୟ ଆବଶ୍ୟକତା ଭିତିକ ପ୍ରଯୁକ୍ତିର ପ୍ରସାର, ଜଳବାୟୁ ଅନୁକୂଳ ଓ ସ୍ଥାୟୀ କୃଷି ପଦ୍ଧତିର ପ୍ରୋତ୍ସାହନ ଏବଂ ନିରନ୍ତର ସଂପ୍ରସାରଣ କାର୍ଯ୍ୟକ୍ରମ ମାଧ୍ୟମରେ କୃଷକଙ୍କ ଜ୍ଞାନ ବୃଦ୍ଧି ପାଇଁ ଆଇଏଏସ୍ ସଦା ପ୍ରତିବଦ୍ଧ ବୋଲି ସେ କହିଥିଲେ ।
ଡକ୍ଟର ଜେନା ସୂଚନା ଦେଇ କହିଥିଲେ ଯେ ରାୱେ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ କୃଷକଙ୍କ ଆବଶ୍ୟକତାକୁ ଆଧାର କରି ସଚେତନତା ଅଭିଯାନ, କ୍ଷେତ୍ର ପ୍ରଦର୍ଶନୀ ଓ ଉଦୀୟମାନ କୃଷି ପ୍ରଯୁକ୍ତି, ସମନ୍ୱିତ କୃଷି ପ୍ରଣାଳୀ, ପ୍ରାକୃତିକ ସଂପଦ ପରିଚାଳନା, କୃଷି ଉଦ୍ୟୋଗିତା ଏବଂ ଅନ୍ୟାନ୍ୟ ସ୍ଥାନୀୟ ପ୍ରାସଙ୍ଗିକ ବିଷୟ ଉପରେ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହା ଦ୍ୱାରା କୃଷକଙ୍କ ଜ୍ଞାନ ଓ ଆୟ ବୃଦ୍ଧି, ସ୍ଥାୟୀ କୃଷି ପଦ୍ଧତିକୁ ପ୍ରୋତ୍ସାହନ, ଗ୍ରାମୀଣ ସମୁଦାୟ ସହ ବିଶ୍ୱବିଦ୍ୟାଳୟର ସଂପର୍କକୁ ଆହୁରି ସୁଦୃଢ଼ କରିବା ସହିତ କୃଷି ଛାତ୍ରଛାତ୍ରୀଙ୍କୁ ଗ୍ରାମାଂଚଳରେ ପ୍ରତ୍ୟକ୍ଷ ଶିକ୍ଷା ଗ୍ରହଣର ସୁଯୋଗ ମିଳିବ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା