ବିଳମ୍ବିତ ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆକସ୍ମିକ ପରିଦର୍ଶନ କଲେ ଓଡ଼ିଶା ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ
Surprise visit of NHM director to DHH
Surprise visit


ଝାରସୁଗୁଡ଼ା, , 29 ଜୁଲାଇ (ହି.ସ.) ରାଜ୍ୟରେ ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ସ୍ୱାସ୍ଥ୍ୟସେବାର ଗୁଣବତ୍ତା ଓ ବିଭିନ୍ନ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିବା ପାଇଁ ଓଡ଼ିଶା ଜାତୀୟ ସ୍ୱାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶକ ଡ. ବୃନ୍ଦା ଡି, ଜିଲ୍ଲାରେ ଆୟୋଜିତ ଦୁଇଦିନିଆ ଗସ୍ତ କାର୍ଯ୍ୟକ୍ରମ ମଧ୍ୟରେ ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହଠାତ୍ ପହଞ୍ଚି ନିରୀକ୍ଷଣ କରିଥିଲେ। ଏହି ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶକ୍ତି ପ୍ରସାଦ ପାଢ଼ୀ, ଡିପିଏଚ୍ଓ, ଏଡିପିଏଚ୍ଓ (ଫ୍ୟାମିଲି ୱେଲଫେୟାର), ଏଡିପିଏଚ୍ଓ (ମ୍ୟାଲେରିଆ), ଜିଲ୍ଲା କାର୍ଯ୍ୟକ୍ରମ ପ୍ରବନ୍ଧକ, ହସ୍ପିଟାଲ ମ୍ୟାନେଜର ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ମିଶନ ନିର୍ଦ୍ଦେଶକ ଜରୁରୀକାଳୀନ ସେବା, ଅଗ୍ନିଶମ ନିରାପତ୍ତା, ସଂକ୍ରମଣ ନିୟନ୍ତ୍ରଣ ଓ ରାତ୍ରିକାଳୀନ ରୋଗୀସେବା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଏହାସହ ସେ ଔଷଧ ବିତରଣ କେନ୍ଦ୍ର, ନମୁନା ସଂଗ୍ରହ ଗୃହ, ସମନ୍ୱିତ ଜନସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷାଗାର ଓ ପ୍ରସୂତି ଗୃହ ପରିଦର୍ଶନ କରି ଅନ୍-ଡ୍ୟୁଟି ଡାକ୍ତର, ନର୍ସିଂ ଅଫିସର ଓ ଲାବୋରେଟୋରୀ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ବିଶେଷକରି ଔଷଧ ବିତରଣ କେନ୍ଦ୍ରରେ ଥିବା ପ୍ରକୃତ ଔଷଧ ଷ୍ଟକ୍ ଏବଂ ଷ୍ଟକ୍ ରେଜିଷ୍ଟର ମଧ୍ୟରେ ତାରତମ୍ୟ ଦେଖିବାକୁ ମିଳିଥିବାରୁ ମିଶନ ନିର୍ଦ୍ଦେଶକ ଚିନ୍ତା ପ୍ରକଟ କରିଥିଲେ। ଏହି ଅନିୟମିତତାକୁ ସୁଧାରିବା ପାଇଁ ରାତ୍ରି ଡ୍ୟୁଟି ସମୟରେ ଆକସ୍ମିକ ଯାଞ୍ଚ କରିବା, ଜିଲ୍ଲା ଔଷଧ ଭଣ୍ଡାରରୁ ନୂଆ ଔଷଧ ଆଣିବା ପୂର୍ବରୁ ପୁରୁଣା ଷ୍ଟକ୍ର ମେଳକ କରିବା ଏବଂ ଜରୁରୀ ଔଷଧ ତାଲିକାରେ ଥିବା ସମସ୍ତ ଔଷଧ ରୋଗୀଙ୍କ ପାଇଁ ଉପଲବ୍ଧ କରାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହାସହିତ ରୋଗୀଙ୍କ ପ୍ରେସକ୍ରିପସନ୍ଗୁଡ଼ିକର ସ୍କାନ୍ କପି ସୁରକ୍ଷିତ ରଖିବା ଏବଂ ଏକ୍ସପାୟରୀ ଔଷଧଗୁଡ଼ିକୁ ବାଓମେଡିକାଲ ବର୍ଜ୍ୟବସ୍ତୁ ନିୟମାନୁସାରେ ପୃଥକ କରି ନଷ୍ଟ କରିବାକୁ କୁହାଯାଇଛି। ଡାକ୍ତରଖାନାର ମୌଳିକ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପରିଷ୍କାର-ପରିଚ୍ଛନ୍ନତା ଉପରେ ବିଶେଷ ଧ୍ୟାନ ଦେବା, ନମୁନା ସଂଗ୍ରହ ଗୃହର ଭିତ୍ତିଭୂମି ସୁଧାରିବା, ମେସିନ୍ଗୁଡ଼ିକର ନିୟମିତ କାଲିବ୍ରେସନ୍ ରେକର୍ଡ ରଖିବା, ଲାବୋରେଟୋରୀ କେମିକାଲ୍ଗୁଡ଼ିକର ସଠିକ୍ ଲେବଲିଂ କରିବା ଏବଂ ବାଓମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜନସାଧାରଣଙ୍କ ସୁବିଧା ପାଇଁ ସୂଚନା ଫଳକ ଓ ଦିଗ-ଦର୍ଶକ ସାଇନ୍ବୋର୍ଡ ସଜାଡ଼ିବାକୁ ମଧ୍ୟ ନିର୍ଦ୍ଦେଶ ମିଳିଛି। ଜିଲ୍ଲାର ପ୍ରତ୍ୟେକ ନାଗରିକଙ୍କୁ ଗୁଣାତ୍ମକ, ସ୍ୱଚ୍ଛ ଓ ଉତ୍ତରଦାୟୀ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଏହିପରି କ୍ଷେତ୍ରୀୟ ପରିଦର୍ଶନ ଜାରି ରହିବ ବୋଲି ମିଶନ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande