ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ନୂଆପଡ଼ା, ୨୯ ଜୁଲାଇ (ହି.ସ.)- ନୂଆପଡ଼ା ଜିଲ୍ଲା ସଦରମହକୁମାରେ ଆସନ୍ତା ୧୫ ଅଗଷ୍ଟ ୨୦୨୬ରେ ୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳନ ନିମନ୍ତେ ଆଜି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ
Swadhinata dibas prastuti


ନୂଆପଡ଼ା, ୨୯ ଜୁଲାଇ (ହି.ସ.)- ନୂଆପଡ଼ା ଜିଲ୍ଲା ସଦରମହକୁମାରେ ଆସନ୍ତା ୧୫ ଅଗଷ୍ଟ ୨୦୨୬ରେ ୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳନ ନିମନ୍ତେ ଆଜି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ ସ୍ୱାଧୀନତା ଦିବସ ପାଳନ ସମ୍ପର୍କିତ ବିଭିନ୍ନ ପ୍ରସ୍ତାବିତ କାର୍ଯ୍ୟକ୍ରମ ଓ ପ୍ରସ୍ତୁତି ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ।

ବୈଠକରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଅଗଷ୍ଟ ୧୫ ତାରିଖ ପ୍ରାତଃ ୫ଟାରୁ ରାମଧୁନ ଓ ସହର ପରିକ୍ରମା, ୫.୩୦ରୁ ପ୍ରଭାତଫେରି ଏବଂ ସକାଳ ୭ଟାରୁ ବିଭିନ୍ନ ସରକାରୀ, ବେସରକାରୀ ଓ ଶିକ୍ଷାନୁଷ୍ଠାନରେ ଜାତୀୟ ପତାକା ଉତୋଳନ କରାଯିବ। ପରେ ଗାନ୍ଧୀ ଉଦ୍ୟାନସ୍ଥିତ ମହାତ୍ମା ଗାନ୍ଧୀ ଓ ଏକତା ଛକସ୍ଥିତ ଘାସିରାମ ମାଝୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବ।

ସ୍ଥାନୀୟ ମିନି ଷ୍ଟାଡିୟମରେ ପୂର୍ବାହ୍ନ ୯.୧୫ ମିନିଟରେ ମୁଖ୍ୟ ସମାରୋହ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତୋଳନ କରିବା ସହ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିବେ ଏବଂ ଜନସାଧାରଣଙ୍କୁ ଉଦ୍ୱୋଧନ ଦେବେ। ପ୍ୟାରେଡରେ ବିଭିନ୍ନ ପୁଲିସ ଦଳ, ଏନ୍ସିସି, ଛାତ୍ରଛାତ୍ରୀ ଓ ବିଭିନ୍ନ ଅନୁଷ୍ଠାନର ଦଳ ଅଂଶଗ୍ରହଣ କରିବେ।

ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶାତ୍ମବୋଧକ ସଙ୍ଗୀତ, ଓଡ଼ିଆ ଓ ଇଂରାଜୀ ବକ୍ତୃତା ଏବଂ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯିବ। ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ଏଥିରେ ଅଂଶଗ୍ରହଣ କରିବେ। ମୁଖ୍ୟ ସମାରୋହରେ ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯିବ।

ଅଗଷ୍ଟ ୧୪ ତାରିଖ ସନ୍ଧ୍ୟାରେ ସଦଭାବନା ସଭାଗୃହରେ ଦେଶାତ୍ମବୋଧକ କବିତା ପାଠୋତ୍ସବ ଓ ‘ସ୍ୱାଧୀନତା ସଂଗ୍ରାମରେ ନୂଆପଡ଼ା ଜିଲ୍ଲାର ଅବଦାନ’ ଶୀର୍ଷକ ଆଲୋଚନାଚକ୍ର ଆୟୋଜନ କରାଯିବ। ଏଥିରେ କବି, ଲେଖକ, ଛାତ୍ରଛାତ୍ରୀ ଓ ଆଗ୍ରହୀ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିବେ।

ଏହାସହ ଅଗଷ୍ଟ ୧୫ ତାରିଖ ଅପରାହ୍ଣରେ ଷ୍ଟାଡିୟମ ପରିସରରେ ଏକ ବନ୍ଧୁତ୍ୱପୂର୍ଣ୍ଣ ପ୍ରଦର୍ଶନୀ ଫୁଟବଲ ମ୍ୟାଚ ଆୟୋଜନ କରାଯିବ। ସନ୍ଧ୍ୟାରେ ପୁଲିସ ପଡ଼ିଆସ୍ଥିତ କଲ୍ୟାଣମଣ୍ଡପରେ ଦେଶାତ୍ମବୋଧକ ସାଂସ୍କୃତିକ ବିଚିତ୍ରା ଏବଂ ଜିଲ୍ଲାର ବିଭିନ୍ନ ବ୍ଲକ ଓ ଏନ୍ଏସିରେ ‘ଭାରତୀୟମ’ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ନିଷ୍ପତି ହୋଇଛି।

ଏହି ଅବସରରେ ଜିଲ୍ଲାର ଦୁଇଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏଥିପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଚୟନ କମିଟି ଗଠନ କରାଯିବ ।

ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଜ଼ିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସ, ସମସ୍ତ ବିଭାଗୀୟ ଅଧିକାରୀ, ପୁଲିସ ପ୍ରଶାସନ, ଶିକ୍ଷାନୁଷ୍ଠାନର ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ଅନୁଷ୍ଠାନର କର୍ମକର୍ତା ଓ ସମ୍ପୃକ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande