
ଭୁବନେଶ୍ୱର, ୨୯ ଜୁଲାଇ (ହି.ସ)- ବନ୍ୟା ପରିସ୍ଥିତି ଓ ଏହାର ମୁକାବିଲା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲଫ୍ କମିଶନରଙ୍କ ସହିତ ଆଲୋଚନା କରିଛନ୍ତି। ପ୍ରଭାବିତ ଅଂଚଳରେ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ ସମଗ୍ର ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଜନସାଧାରଣ ଆଦୌ ବିଚଳିତ କିମ୍ବା ଭୟଭୀତନ ହେବା ସହ ପ୍ରଶାସନର ସୂଚନାକୁ ପାଳନ କରିବା ଏବଂ ସୁରକ୍ଷିତ ରୁହିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।
ଏକ୍ସର ଏକ ପୋଷ୍ଟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ଜୀବନ ଓ ସୁରକ୍ଷା ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଲଗାଣ ବର୍ଷା ଓ କେତେକ ନଦୀରେ ସୃଷ୍ଟ ବନ୍ୟା ପରିସ୍ଥିତି ଉପରେ ମୁଁ ଏବଂ ମୋ ସରକାର ପ୍ରତିଟି ମୁହୂର୍ତରେ ସିଧାସଳଖ ନଜର ରଖିଛୁ।
ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବନ୍ୟା ପରିଚାଳନା, ସ୍ଥାନାନ୍ତରଣ ଓ ରିଲିଫ୍ କାର୍ଯ୍ୟକୁ ସ୍ୱୟଂ ତଦାରଖ କରିବା ପାଇଁ ୩ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି।ଜଳସ୍ତର ଓ ପରିସ୍ଥିତି ଉପରେ ସାକ୍ଷାତ ନଜର ରଖିବା ପାଇଁ ଏସଆରସି କାର୍ଯ୍ୟାଳୟ ଓ ରାଜ୍ୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷକୁ ୨୪ ଘଂଟା ଖୋଲା ରଖିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ତଳିଆ ଅଂଚଳରୁ ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଏନଡିଆରଏଫ୍ , ଓଡ୍ରାଫ୍, ଅଗ୍ନିଶମ ଓ ପୋଲିସ ବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ସମସ୍ତ ଆଶ୍ରୟସ୍ଥଳୀରେ ବିଶୁଦ୍ଧ ପାନୀୟ ଜଳ, ରନ୍ଧାଖାଦ୍ୟ, ଜରୁରୀ ସ୍ୱାସ୍ଥ୍ୟସେବା, ସର୍ପାଘାତ ପ୍ରତିଷେଧକ ଔଷଧ ଏବଂ ଗୃହପାଳିତ ପଶୁଙ୍କ ପାଇଁ ପର୍ଯ୍ୟାପ୍ତ ଗୋଖାଦ୍ୟ ଯୋଗାଇ ଦିଆଯାଉଛି। ଆଶ୍ରୟସ୍ଥଳୀକୁ ଆସୁଥିବା ନାଗରିକଙ୍କ ବାସଗୃହ ଓ ଧନସମ୍ପତିର ସୁରକ୍ଷା ନିଶ୍ଚିତ କରିବା ପାଇଁ ପୋଲିସ ପକ୍ଷରୁ ରାତ୍ରିକାଳୀନ ପେଟ୍ରୋଲିଂ କଡ଼ାକଡ଼ି କରାଯାଇଛି। ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ବାସଗୃହ ଓ ଚାଷଜମି ପାଇଁ ପ୍ରଭାବିତ ଜନସାଧାରଣଙ୍କୁ ତ୍ୱରିତ କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା