
ଜୟପୁର, ୨୯ ଜୁଲାଇ (ହି.ସ.) - ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ସ୍ୱତନ୍ତ୍ର ସଘନ ସଂଶୋଧନ -୨୦୨୬ ଅନ୍ତର୍ଗତ ନିର୍ବାଚନ ତାଲିକାର ଦାବି ଓ ଆପତି ଆବେଦନଗୁଡ଼ିକର ନିଷ୍ପତି ପ୍ରକ୍ରିୟାର ପର୍ଯ୍ୟବେକ୍ଷଣ ପାଇଁ ନିଯୁକ୍ତ ନିର୍ବାଚନ ପର୍ଯ୍ୟବେକ୍ଷକ ମହେନ୍ଦ୍ର ସାଦିକ ଆଲାମ, ଆଇ.ଏ.ଏସ୍., ସହକାରୀ କମିଶନର-ତଥା-ସଚିବ, ଲୋକ ଉଦ୍ୟୋଗ ବିଭାଗ, କୋରାପୁଟ ଜିଲ୍ଲାରେ ପହଂଚି ଦୁଇଦିନିଆ ଗସ୍ତ କରିଥିଲେ।
ଏହି ସ୍ୱତନ୍ତ୍ର ସଘନ ସଂଶୋଧନ -୨୦୨୬ ଅନ୍ତର୍ଗତ ନିର୍ବାଚନ ନାମାବଳୀର ଦାବି ଓ ଆପତି ଆବେଦନଗୁଡ଼ିକର ଶୁଣାଣି ପ୍ରକ୍ରିୟାର ତଦାରଖ କରିବା ପାଇଁ କୋରାପୁଟ ପୌରପାଳିକା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ କୋରାପୁଟ ବ୍ଲକ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ।
ପରବର୍ତୀ ସମୟରେ କୋରାପୁଟସ୍ଥିତ ଡି.ଏନ୍.କେ. ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ , ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଏବଂ ସମସ୍ତ ସମ୍ପୃକ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଦାବି ଓ ଆପତି ଆବେଦନଗୁଡ଼ିକର ନିଷ୍ପତି ପ୍ରକ୍ରିୟା ସମ୍ପର୍କରେ ସମୀକ୍ଷା କରିଥିଲେ। ସେ ଅଧିକାରୀମାନଙ୍କୁ ଶୁଣାଣି ପ୍ରକ୍ରିୟାକୁ ସ୍ୱଚ୍ଛତା, ନିରପେକ୍ଷତା ଏବଂ ସମୟବଦ୍ଧତାର ସହିତ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସମସ୍ତ ପ୍ରକ୍ରିୟାରେ ସୂଚନାର ସ୍ୱଚ୍ଛତା ବଜାୟ ରଖିବା ସହ ସମସ୍ତ ରାଜନୈତିକ ଦଳର ସହଯୋଗ ନେଇ ନିର୍ବାଚନ ପ୍ରକ୍ରିୟାକୁ ସୁପରିଚାଳିତ କରିବାକୁ ପରାମର୍ଶ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି