




ସମ୍ବଲପୁର, ୦୩, ଜୁଲାଇ (ହି.ସ.) - ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ ଜମନକିରା ରେଞ୍ଜ ଜମନକିରା ଫରେଷ୍ଟ ଅଂଚଳରେ ଫରେଷ୍ଟର ଶିଶିର ସାମଲଙ୍କ ନେତୃତ୍ୱରେ ଜମନକିରା ପଂଚାୟତ ହାଇସ୍କୁଲ ପଡିଆରେ ୭୭ ତମ ବନ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଜମନକିରା ତହସିଲଦାର ପ୍ରବୀଣା ବିଲୁଙ୍ଗ ମୁଖ୍ୟଅତିଥି ଭାବେ ଯୋଗ ଦେବାସହ ବୃକ୍ଷରୋପଣ ମଧ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମରେ ବନ ବିଭାଗୀୟ କର୍ମଚାରୀ, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ମଧ୍ୟ ବୃକ୍ଷ ରୋପଣ କରିଥିଲେ। ଫରେଷ୍ଟର ଶ୍ରୀ ସାମଲ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣର ସମୟ ଓ ତରିକା ସମ୍ପର୍କରେ ସଚେତନ କରିବା ସହ ବର୍ତମାନ ସମୟରେ ଆଖ ପାଖରେ ଥିବା ଖାଲି ସ୍ଥାନରେ ବୃକ୍ଷ ରୋପଣ କରିବାକୁ ପରାମର୍ଶ ଦେଇଥିଲେ।ବୃକ୍ଷରାଜି ସହ ଆମ ପରିବେଶକୁ ଉତମ ସନ୍ତୁଳିତ ରଖି ପାରିଲେ ସ୍ୱଚ୍ଛ ପରିବେଶ ସୃଷ୍ଟି ହେବା ସହ ଏକ ସୁସ୍ଥ ସମାଜ ଗଢିବା ସମ୍ଭବ ହୋଇପାରିବ । ତେଣୁ ବୃକ୍ଷ ହିଁ ଏକ ମାତ୍ର ବିକଳ୍ପ ବୋଲି ନିଜ ବକ୍ତବ୍ୟରେ କହିଥିଲେ। ଗୋଟିଏ ଛୋଟିଆ ଚାରାର ଉପଯୁକ୍ତ ଯତ୍ନ ନେଇ ପାରିଲେ ଆଗାମୀ ଦିନରେ ଏହା ଏକ ୍ୱିଶାଳ ବୃକ୍ଷରେ ପରିଣତ ହୋଇ ଆଖ ପାଖ ଅଂଚଳର ପରିବେଶକୁ ସୁସ୍ଥ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ପ୍ରତେକ ଛାତ୍ରଛାତ୍ରୀ ନିଜ ଘର କିମ୍ବା ଘର ପାଖରେ ଚାରା ରୋପଣ କରି ଉପଯୁକ୍ତ ଯତ୍ନ ନେଇ ପାରିଲେ ଭବିଷ୍ୟତରେ ସେହି ବୃକ୍ଷ ଆମକୁ ବଂଚିବାରେ ସାହାଯ୍ୟ କରିପାରିବ ବୋଲି ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା । ଶେଷରେ ହାଇସ୍କୁଲ ପଡିଆର ଚତୁଃପାର୍ଶ୍ୱରେ ବ୍ୟାପକ ବୃକ୍ଷ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜମନକିରା ପଂଚାୟତ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ବେହେରା, ଶିକ୍ଷୟିତ୍ରୀ ଜ୍ୟୋର୍ତିମୟୀ ବିଶ୍ୱାଳ, ମନ୍ଦାକିନୀ ପତି, ନିହାରିକା ସାମଲ, ଶୋଭାରାଣୀ ବାଘ, ଲୋକେଶ ଚନ୍ଦ୍ର ବାଘ, ଦୀପକ କିଷାନ, ଜନ୍ମାଜୟ ରଣା, ସୁବାଶିଷ ବେହେରାଙ୍କ ସମେତ ନବମ ଏବଂ ଦଶମ ଶ୍ରେଣୀରେ ଛାତ୍ର ଛାତ୍ରୀ, ବନ କର୍ମଚାରୀ ଇନ୍ଦ୍ରାଣୀ ସ୍ୱାଇଁ, ଜୟନ୍ତୀ ରମଜାନ, କ୍ଷୀରୋଦିନୀ ରଣା, ଡେନିସ ମିଞ, ରଶ୍ମୀ ରଞ୍ଜନ ବିଶ୍ୱାଳ ଓ ସମାଜସେବୀ ଅବଦୁଲ ଗୁଲାମ କାଦିର, ଲିପନ ନାଏକ ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରିଥିଲେ। ବନ ବିଭାଗ ପକ୍ଷରୁ ଆୟୋଜନ ଏହି କାର୍ଯ୍ୟକ୍ରମକୁ ଦେଖି ଅଂଚଳବାସୀ ବେଶ୍ ଉଚ୍ଚ ପ୍ରଶଂସା କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ