ଗରଦପୁର ବ୍ଲକରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ
କେନ୍ଦ୍ରାପଡା, ୩ ଜୁଲାଇ (ହି.ସ.)- ଗରଦପୁର ବ୍ଲକରେ ଆବାସ ଯୋଜନାକୁ ନେଇ ବଡ଼ ଧରଣର ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ସାମ୍ନାକୁ ଆସିଛି l ଯେଉଁ ଯୋଜନାର ଉଦ୍ଦେଶ୍ୟ ଥିଲା ପ୍ରକୃତ ଗରିବ, ଅସହାୟ ଓ ଘରବିହୀନ ପରିବାରଙ୍କୁ ପକ୍କା ଘର ଯୋଗାଇବା, ସେହି ଯୋଜନାରେ ଏବେ ଅଯୋଗ୍ୟଙ୍କୁ ସୁବିଧା ମିଳିଥିବା ବେଳେ
ଗରଦପୁର ବ୍ଲକରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ


କେନ୍ଦ୍ରାପଡା, ୩ ଜୁଲାଇ (ହି.ସ.)- ଗରଦପୁର ବ୍ଲକରେ ଆବାସ ଯୋଜନାକୁ ନେଇ ବଡ଼ ଧରଣର ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ସାମ୍ନାକୁ ଆସିଛି l ଯେଉଁ ଯୋଜନାର ଉଦ୍ଦେଶ୍ୟ ଥିଲା ପ୍ରକୃତ ଗରିବ, ଅସହାୟ ଓ ଘରବିହୀନ ପରିବାରଙ୍କୁ ପକ୍କା ଘର ଯୋଗାଇବା, ସେହି ଯୋଜନାରେ ଏବେ ଅଯୋଗ୍ୟଙ୍କୁ ସୁବିଧା ମିଳିଥିବା ବେଳେ ପ୍ରକୃତ ହିତାଧିକାରୀ ବଞ୍ଚିତ ହୋଇଥିବା ଅଭିଯୋଗ ଉଠିଛି l ଅଭିଯୋଗ ଅନୁଯାୟୀ, ଆବାସ ମଞ୍ଜୁର କରାଇ ଦେବା ନାଁରେ କିଛି ଲୋକଙ୍କଠାରୁ ୩୦ ହଜାର ଟଙ୍କା ଲେଖାଏଁ ଆଦାୟ କରାଯାଇଛି l କେବଳ ସେତିକି ନୁହେଁ, ସରକାରୀ ଚାକିରି କରୁଥିବା ବ୍ୟକ୍ତିଙ୍କ ପରିବାର ମଧ୍ୟ ଆବାସ ପାଇଥିବା ଅଭିଯୋଗ ରହିଛି l ଏପରିକି ପୂର୍ବରୁ ୫ଟି ଆବାସ ପାଇଥିବା ଗୋଟିଏ ପରିବାରକୁ ପୁଣି ଥରେ ଆବାସ ମିଳିଥିବା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ଉଠିଛି l ଏପଟେ ନୂଆ ତାଲିକା ପ୍ରକାଶ ପରେ ପୁଣି ଏକ ନୂଆ ଅଭିଯୋଗ ସାମ୍ନାକୁ ଆସିଛି l ତାଲିକାରୁ ନାଁ କାଟି ଦିଆଯିବ ବୋଲି ଭୟ ଦେଖାଇ ପୁଣି ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହେଉଛି l ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l

ସବୁଠାରୁ ଚିନ୍ତାଜନକ କଥା ହେଉଛି, ଏଥର ଆବାସ ତାଲିକାରୁ ଅନେକ ଭିନ୍ନକ୍ଷମ, ବିଧବା ଓ ଅସହାୟ ପରିବାର ବାଦ ପଡ଼ିଥିବା ବେଳେ ପ୍ରକୃତ ହିତାଧିକାରୀମାନେ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି l ଏଭଳି ପରିସ୍ଥିତିରେ ତାଲିକା ପ୍ରସ୍ତୁତି ସମୟରେ କିଏ ତଦନ୍ତ କଲା ଏବଂ କେଉଁ ଆଧାରରେ ପ୍ରକୃତ ହିତାଧିକାରୀଙ୍କ ନାଁ କଟିଗଲା, ସେନେଇ ବଡ଼ ପ୍ରଶ୍ନ ଉଠିଛି l

ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଅଭିଯୋଗ, ବର୍ତ୍ତମାନର ଆବାସ ତାଲିକାରେ ପ୍ରାୟ ୮୦ ପ୍ରତିଶତ ହିତାଧିକାରୀ ଅଯୋଗ୍ୟ l ତେଣୁ ସମଗ୍ର ତାଲିକାର ପୁନଃ ଯାଞ୍ଚ କରାଯାଇ ପ୍ରତ୍ୟେକ ହିତାଧିକାରୀଙ୍କ ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି l ଯେଉଁମାନେ ପ୍ରକୃତରେ ଯୋଗ୍ୟ, ସେମାନଙ୍କୁ ତୁରନ୍ତ ଆବାସ ସୁବିଧା ଯୋଗାଇ ଦିଆଯାଉ ଏବଂ ଟଙ୍କା ନେଇ ଆବାସ ଦେଇଥିବା ଲାଞ୍ଚୁଆଙ୍କ ବିରୋଧରେ କଠୋର ଆଇନଗତ କାର୍ୟ୍ୟାନୁଷ୍ଠାନ ନିଆଯାଉ l ଏହି ସମସ୍ତ ଅଭିଯୋଗର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ନଦିଆଗଲେ ଗରଦପୁର ବ୍ଲକ ପରିସରରେ ବ୍ୟାପକ ଜନଆନ୍ଦୋଳନ ଗଢ଼ିଉଠିବ ବୋଲି ବୁଦ୍ଧିଜୀବୀମାନେ ଚେତାବନୀ ଦେଇଛନ୍ତି l

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande