
ଭୁବନେଶ୍ୱର, ୦୩ ଜୁଲାଇ (ହି.ସ)- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଆପତିଜନକ ମନ୍ତବ୍ୟକୁ ନେଇ ସାଇବର ଥାନାରେ ବିଜେପି ପକ୍ଷରୁ ଏତଲା ଦିଆଯାଇଛି। ବିଜେପି ଅଭିଯୋଗ କରିଛି ଯେ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂ କରୁଥିବା ସୁନୀଲ ଜେନା ନାମକ ବ୍ୟକ୍ତିଜଣକ ମୁଖ୍ୟମନ୍ତ୍ରୀଙ୍କୁ ବଦ୍ନାମ କରିବା ଉଦ୍ଦେଶ୍ୟରେ ସାମାଜିକ ଗଣମାଧ୍ୟମରେ ଅନେକ ଅପଶବ୍ଦ ବ୍ୟବହାର କରି ଗାଳିଗୁୁଲଜ କରୁଛନ୍ତି । ଅସାମ୍ବିଧାନିକ ଶବ୍ଦ ସହ ଅପମାନଜନକ ଓ ଅଶ୍ଳୀଳ ମନ୍ତବ୍ୟ ଦେଇ ମିଥ୍ୟା ଓ ବିଭ୍ରାନ୍ତୀକର ତଥ୍ୟ ସବୁ ପୋଷ୍ଟ କରୁଛନ୍ତି, ଯାହା ଏକ ଦଣ୍ଡନୀୟ ଅପରାଧ । ସାମ୍ବାଦିକତାର ମୂଲ୍ୟବୋଧ ଜାଣି ନଥିବା ଏଭଳି ବ୍ୟକ୍ତିଜଣକ ସାମାଜିକ ଗଣମାଧ୍ୟମରେ ଅସାମ୍ବିଧାନିକ, ଅପମାନଜନକ, ଅଶ୍ଳୀଳ ଏବଂ ମିଥ୍ୟା ଓ ବିଭ୍ରାନ୍ତୀକର ତଥ୍ୟ ପୋଷ୍ଟ କରି ସମାଜରେ ଅପ୍ରୀତିକର ବାତାବରଣ ସୃଷ୍ଟି କରୁଛନ୍ତି । ଆଜିର ଡିଜିଟାଲ ଯୁଗରେ ଏଭଳି କାର୍ଯ୍ୟ ଆଦୈା ଗ୍ରହଣୀୟ ନୁହେଁ ବୋଲି ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତି କହିଛନ୍ତି । ଏ ସଂପର୍କରେ ଆଜି ଭୁବନେଶ୍ୱର ସାଇବର ଥାନାରେ ସୁନୀଲ ଜେନାଙ୍କ ବିରୋଧରେ ବିଜେପି ତରଫରୁ ଏତଲା ଦିଆଯାଇଛି ଏବଂ ଏତଲା ଆଧାରରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିନିଧିଦଳକୁ ଥାନାଧିକାରୀ ପ୍ରତିଶୃତି ଦେଇଥିବାର ଡ.ମହାନ୍ତି ସୂଚନା ଦେଇଛନ୍ତି ।
ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତିଙ୍କ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ଓ ଭୁବନେଶ୍ୱର ଜିଲ୍ଲା ଉପସଭାପତି ସୁଶାନ୍ତ ଜେନାଙ୍କ ସମେତ ଅନେକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା