
ଚମ୍ପୁଆ, ୩ ଜୁଲାଇ (ହି.ସ.)- ଚମ୍ପୁଆ ଏନଏସି ଅନ୍ତର୍ଗତ ମୌଲାନାଗୋଡା ଛକ ନିକଟରେ ବାଇକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଚମ୍ପୁଆ ଏନ୍ଏସି ଅନ୍ତର୍ଗତ ଗୋଧୂଳି ଗ୍ରାମର ଜଗନ୍ନାଥ ନାଏକ।
ମିଳିଥିବା ସୂଚନା ଅନୁସାରେ, ଜଗନ୍ନାଥ ମୌଲାନାଗୋଡା ଛକରେ ଥିବା ଏକ ଦୋକାନରେ କାମ କରୁଥିଲେ । ଆଜି ସକାଳ ପ୍ରାୟ ସାଢ଼େ ଆଠ ଟା ସମୟରେ ସେ ଦୋକାନ ଖୋଲିବା ପାଇଁ ମାଲିକ ଘରୁ ଚାବି ଆଣି ମୈଲାନାଗୋଡା ଛକ ଆରପଟେ ଥିବା ଦୋକାନ ଖୋଲିବା ପାଇଁ ଚାଲି ଚାଲି ରାସ୍ତା ପାର ହେଉଥିବା ବେଳେ ଚମ୍ପୁଆ ପଟୁ ଦ୍ରୁତଗତିରେ ଆସୁଥିବା ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ବାଇକ୍ ଧକ୍କାରେ ଜଗନ୍ନାଥ ପ୍ରାୟ ଦଶ ଫୁଟ ଦୂରକୁ ଛିଟିକି ପଡିଥିଲେ। ତାଙ୍କ ମୁଣ୍ଡ ପଛପଟେ ପ୍ରବଳ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା । ସ୍ଥାନୀୟ ଲୋକେ ଜଗନ୍ନାଥଙ୍କୁ ସଙ୍ଗେ ସଙ୍ଗେ ଏକ ଅଟୋ ଯୋଗେ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ । ତେବେ ଡାକ୍ତରଖାନାରେ ଜଗନ୍ନାଥଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ବାଇକ୍ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଖବର ପାଇ ଚମ୍ପୁଆ ପୋଲିସ ଡ଼ାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta