
ଝାରସୁଗୁଡ଼ା, ୦୩ ଜୁଲାଇ (ହି.ସ.) - ଦୀର୍ଘ ୨୩ ବର୍ଷର ଆଇନଗତ ଲଢ଼େଇ ପରେ ଶେଷରେ ନ୍ୟାୟ ପାଇଛନ୍ତି ୨୦୦୩ ମସିହାରେ ସରସପାଲି ଗ୍ରାମରେ ଅମାନବୀୟ ନିର୍ଯ୍ୟାତନାର ଶିକାର ହୋଇଥିବା ଦମ୍ପତି। ଝାରସୁଗୁଡ଼ା ମହିଳା ଅଦାଲତ ଏହି ଚର୍ଚ୍ଚିତ ମାମଲାରେ ୧୪ ଜଣ ମହିଳା ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଗତ ଜୁନ୍ ୨୬ରେ ରାୟ ଘୋଷଣା ହୋଇଥିବାବେଳେ ଜୁଲାଇ ୨ରେ ଏହା ସାର୍ବଜନୀନ କରାଯାଇଛି।
ଝାରସୁଗୁଡ଼ା ସିନିୟର ସିଭିଲ୍ ଜଜ୍ ତଥା ମହିଳା ଅଦାଲତର ବିଚାରପତି ପ୍ରତ୍ୟୁଷା କିରଣ ମାମଲାର ଶୁଣାଣି କରି ଭାରତୀୟ ଦଣ୍ଡ ସଂହିତାର ଧାରା ୩୪୧, ୩୨୩, ୩୫୪, ୩୫୫ ସହ ୩୪ ଅନୁଯାୟୀ ୧୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ଧାରା ୨୯୪ ଅନ୍ତର୍ଗତ ଅଶ୍ଳୀଳ ଭାଷା ପ୍ରୟୋଗ ଅଭିଯୋଗରେ ପର୍ଯ୍ୟାପ୍ତ ପ୍ରମାଣ ନ ଥିବାରୁ ସେମାନଙ୍କୁ ସେହି ଅଭିଯୋଗରୁ ମୁକ୍ତ କରାଯାଇଛି।
ମାମଲା ଅନୁଯାୟୀ, ୨୮ ମାର୍ଚ୍ଚ ୨୦୦୩ରେ ଲାଇକେରା ଥାନା ଅଧୀନ ସରସପାଲି ଗ୍ରାମରେ ଏହି ଲଜ୍ଜାଜନକ ଘଟଣା ଘଟିଥିଲା। ଗ୍ରାମର ଏକ କମିଟିକୁ ସମର୍ଥନ ନ କରିବାରୁ ଦମ୍ପତିଙ୍କ ଘରକୁ କିଛି ମହିଳା ଯାଇ ପ୍ରଥମେ ଗାଳିଗୁଲଜ କରିଥିଲେ। ପରେ ଅନ୍ୟମାନଙ୍କୁ ଡାକି ଘରୁ ଟାଣି ଆଣି ଜୋତା-ଚପଲ ମାଳ ପିନ୍ଧାଇବା ସହ ମୁହଁରେ କଳା ବୋଳିଥିଲେ। ଏତିକିରେ ଅଟକି ନ ରହି ସେମାନଙ୍କ ପୋଷାକ ଚିରି ବିବସ୍ତ୍ର କରି ଚପଲ ଓ ବାଡ଼ିରେ ମାଡ଼ ମାରି ସମଗ୍ର ଗ୍ରାମରେ ବୁଲାଇଥିଲେ। ଏହି ଆକ୍ରମଣରେ ଦମ୍ପତି ଆହତ ହୋଇଥିଲେ।
ଘଟଣାର ଦୁଇ ଦିନ ପରେ, ଅର୍ଥାତ୍ ୩୦ ମାର୍ଚ୍ଚ ୨୦୦୩ରେ ଲାଇକେରା ଥାନାରେ କେସ୍ ନଂ–୩୪/୨୦୦୩ ରୁଜୁ ହୋଇଥିଲା। ବିଚାର ସମୟରେ ପୀଡ଼ିତା, ତାଙ୍କ ସ୍ୱାମୀ ଏବଂ ତଦନ୍ତକାରୀ ଅଧିକାରୀଙ୍କ ସମେତ ତିନିଜଣ ସାକ୍ଷୀଙ୍କ ସାକ୍ଷ୍ୟକୁ ଅଦାଲତ ବିଶ୍ୱାସଯୋଗ୍ୟ ଓ ପରସ୍ପର ସମର୍ଥନକାରୀ ବୋଲି ଗ୍ରହଣ କରିଥିଲେ।
ରାୟରେ ଅଦାଲତ କହିଛନ୍ତି ଯେ, ଜଣେ ମହିଳାଙ୍କୁ ସର୍ବସମ୍ମୁଖରେ ବିବସ୍ତ୍ର କରି ଗାଁରେ ବୁଲାଇବା କେବଳ ଶାରୀରିକ ଆକ୍ରମଣ ନୁହେଁ, ଏହା ତାଙ୍କ ମର୍ଯ୍ୟାଦା ଓ ସମ୍ମାନ ଉପରେ ଚରମ ଆଘାତ। ସେହିପରି ଜୋତା ମାଳ ପିନ୍ଧାଇବା ଓ ମୁହଁରେ କଳା ବୋଳିବା ପୀଡ଼ିତଙ୍କୁ ସାମାଜିକ ଭାବେ ଅପମାନିତ କରିବାର ସ୍ପଷ୍ଟ ଉଦ୍ଦେଶ୍ୟ ବୋଲି ଅଦାଲତ ମନ୍ତବ୍ୟ କରିଛନ୍ତି।
ଅଭିଯୁକ୍ତମାନେ ମହିଳା ହୋଇଥିବାରୁ ସେମାନଙ୍କୁ ପ୍ରବେଶନ ଅଫ୍ ଅଫେଣ୍ଡର୍ସ ଆକ୍ଟର ସୁବିଧା ଦେବାକୁ ପ୍ରତିରକ୍ଷା ପକ୍ଷ ନିବେଦନ କରିଥିଲେ। କିନ୍ତୁ ଅପରାଧର ଗମ୍ଭୀରତା ଓ ପୀଡ଼ିତାଙ୍କ ସମ୍ମାନ ଉପରେ ହୋଇଥିବା ଆଘାତକୁ ଦୃଷ୍ଟିରେ ରଖି ଅଦାଲତ ସେହି ଆବେଦନକୁ ଖାରଜ କରିଦେଇଥିଲେ।
ଅଦାଲତ ସମସ୍ତ ୧୪ ଜଣ ଦୋଷୀଙ୍କୁ ଧାରା ୩୫୪, ୩୫୫, ୩୨୩ ଓ ୩୪୧ ଅନୁଯାୟୀ ପ୍ରତ୍ୟେକ ଧାରାରେ ୧ ହଜାର ଟଙ୍କା ଲେଖାଏଁ ଜରିମାନା ଓ ଜରିମାନା ଅନାଦେୟ ହେଲେ କାରାଦଣ୍ଡ ଭୋଗିବାକୁ ଦଣ୍ଡାଦେଶ ଦେଇଛନ୍ତି।
ଏହି ମାମଲାରେ ସରକାରଙ୍କ ପକ୍ଷରୁ ଏପିପି ରାଜେଶ କୁମାର ମହାପାତ୍ର ଓ ପୋଲା ଶ୍ରୀଦେବୀ ମାମଲା ପରିଚାଳନା କରିଥିଲେ।
ଆଇନ ବିଶେଷଜ୍ଞଙ୍କ ମତରେ, ମହିଳାଙ୍କ ମର୍ଯ୍ୟାଦା ଓ ସମ୍ମାନ ବିରୋଧୀ ଅପରାଧ ପ୍ରତି କୌଣସି ପ୍ରକାରର କୋହଳ ଗ୍ରହଣ କରାଯିବ ନାହିଁ ବୋଲି ଏହି ରାୟ ଏକ ଦୃଢ଼ ନ୍ୟାୟିକ ବାର୍ତା ଦେଇଛି। ଦୀର୍ଘ ୨୩ ବର୍ଷ ପରେ ଆସିଥିବା ଏହି ରାୟକୁ ପୀଡ଼ିତଙ୍କ ପାଇଁ ନ୍ୟାୟର ବିଜୟ ଭାବେ ଦେଖାଯାଉଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ