
ଜୟପୁର, ୩ ଜୁଲାଇ (ହି.ସ.)- କୋରାପୁଟ ଜିଲାରେ କାମରେ ଲାଗୁନି ସରକାରୀ ବିଦ୍ୟାଳୟକୁ ଦିଆଯାଇଥିବା ଟ୍ୟାବ୍ । କିଏ ଘରେ ପକାଇ ରଖିଛନ୍ତି ତ ଆଉ କିଏ ବିଦ୍ୟାଳୟ ଆଲମାରିରେ । ୩ ବର୍ଷ ତଳେ ଡିଜିଟାଲ ଶିକ୍ଷଣ ପ୍ରଣାଳୀରେ ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟକୁ ଗୋଟିଏ ଲେଖାଏଁ ଟ୍ୟାବ୍ ଦିଆଯାଇଥିଲା । ଏହି ଯୋଜନା ତ୍ୱରାନ୍ୱିତ କରାଯାଇନଥିବାରୁ ଟ୍ୟାବ ଏବେ ଖେଳନା ଭଳି ପଡିରହିଛି । ତତ୍କାଳୀନ ସରକାର ନୂଆ ଯୋଜନା ଆରମ୍ଭ କରିଥିଲେ । ପ୍ରାଥମିକ ବିଦ୍ୟାଳୟ ଛାତ୍ର, ଛାତ୍ରୀ ମାନେ କିପରି ଡିଜିଟାଲ ଶିକ୍ଷଣ ପ୍ରଣାଳୀରେ ଗଣିତ, ଭାଷା ଓ ୟୁଟ୍ୟୁବରୁ ବିଭିନ୍ନ ଶିକ୍ଷାଲାଭ କରିବେ, ତାହାର ଏହାର ମୂଳ ଲକ୍ଷ୍ୟ ଥିଲା । ଏଥିଲାଗି ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟକୁ ଗୋଟିଏ ଲେଖାଏଁ ଟ୍ୟାବ୍ ଦିଆଯାଇଥିଲା । ଯେଉଁ ସ୍କୁଲରେ ଟିଭି ରହିଛି, ସେଥିରେ ଟ୍ୟାବ୍ ସଂଯୋଗ କରି ପିଲାଙ୍କୁ ଶିକ୍ଷା ଦେବାକୁ କୁହାଯାଇଥିଲା । ଟ୍ୟାବ୍ ମିଳିବାରୁ ଶିକ୍ଷକମାନେ ଖୁସି ହୋଇଯାଇଥିଲେ । ହେଲେ ଏଥିରେ ଏଭଳି ବ୍ୟବସ୍ଥା ଥିଲା ଯେ ଅନ୍ୟ ଟ୍ୟାବ୍ ଭଳି ହ୍ୱାଟ୍ସସଆପ ଓ ଫେସବୁକ ବ୍ୟବହାର କରାଯାଇପାରିବ ନାହିଁ । ଏକ ସ୍ୱତନ୍ତ୍ର ଆପ ଦିଆଯାଇଥିଲା । ସେଥିରୁ ହିଁ ଗଣିତ ଓ ଭାଷା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପଢାଯାଇପାରିବ । ଟ୍ୟାବ ପାଇବାର କିଛିଦିନ ଏହାକୁ କିଛି ଶିକ୍ଷକ ବ୍ୟବହାର କଲେ । ପରେ ବିଭିନ୍ନ କାରଣରୁ ଏହା ପଡି ରହିଲା । ଜଣେ ଶିକ୍ଷକ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଏହାକୁ ବ୍ୟବହାର କରିବା ସମ୍ପର୍କରେ ଶିକ୍ଷକ ମାନଙ୍କୁ ତାଲିମ୍ ଦିଆଯାଇନଥିଲା । ଘରକୁ ନେବା ଆଣିବାରେ ସମସ୍ୟା ହେଲା । ସୁରକ୍ଷା ନଥିବାରୁ ବିଦ୍ୟାଳୟ ରଖି ପାରିଲେନି । ସବୁଠୁ ବଡ଼ ସମସ୍ୟା ହେଲା, ଗୋଟିଏ ଛୋଟିଆ ଟ୍ୟାବ୍ ରେ ପିଲାଙ୍କୁ କିପରି ଶିକ୍ଷା ଦେବେ । ଦୂରରେ ରଖି ପିଲାଙ୍କୁ ଶିକ୍ଷା ଦେଇପାରିଲେନିକି ନିକଟରେ ୫ରୁ ଅଧିକ ପିଲାଙ୍କୁ ଠିଆ କରିପାରିଲେନି । ସେହିପରି ଅଧିକାଂଶ ବିଦ୍ୟାଳୟରେ ବିଦ୍ୟୁତ ନଥିବାରୁ ଚାର୍ଜିଙ୍ଗ ସମସ୍ୟା ହେଲା । ଏସବୁ କାରଣରୁ ଶିକ୍ଷକ ମାନେ ଏହାକୁ ବ୍ୟବହାର କଲେନି । ରହି ରହି ନଷ୍ଟ ହୋଇଗଲାଣି । କେତେକ ଶିକ୍ଷକ ଏହାକୁ ଏବେ ବ୍ୟକ୍ତିଗତ କାମରେ ବ୍ୟବହାର କରୁଛନ୍ତି । ଯେଉଁ ଉଦ୍ଦେଶ୍ୟରେ ଏହି ଯୋଜନା କରାଯାଇଥିଲା, ତାହା ଫସର ଫାଟିଛି । ସବୁଠୁ ବଡ଼ ସମସ୍ୟା ହେଲା, ଗୋଟିଏ ଛୋଟିଆ ଟ୍ୟାବ୍ ରେ ପିଲାଙ୍କୁ କିପରି ଶିକ୍ଷା ଦେବେ । ଟ୍ୟାବ୍ ମିଳିବାରୁ ଶିକ୍ଷକ ମାନେ ଖୁସିହୋଇଯାଇଥିଲେ । ହେଲେ ଏଥିରେ ଏଭଳି ବ୍ୟବସ୍ଥା ଥିଲା ଯେ ଅନ୍ୟ ଟ୍ୟାବ୍ ଭଳି ହ୍ୱାଟ୍ସସଆପ ଓ ଫେସବୁକ ବ୍ୟବହାର କରାଯାଇପାରିବ ନାହିଁ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ