ଜିଲ୍ଲାସ୍ତରୀୟ ଅଭିନବ କାର୍ଯ୍ୟକ୍ରମ ନିରୀକ୍ଷଣ
ପୁରୀ, ୩ ଜୁଲାଇ (ହି.ସ.)- ପୁରୀ ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ର ଠାରେ ଆଜି ଜିଲ୍ଲା ସ୍ତରୀୟ ଅଭିନବ କାର୍ଯ୍ୟକ୍ରମ ନିରୀକ୍ଷଣ ଅନ୍ତର୍ଗତ ଏକ ଓରିଏଣ୍ଟେସନ ବୈଠକ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅକ୍ଷୟ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍
ଜିଲ୍ଲାସ୍ତରୀୟ ଅଭିନବ କାର୍ଯ୍ୟକ୍ରମ ନିରୀକ୍ଷଣ


ପୁରୀ, ୩ ଜୁଲାଇ (ହି.ସ.)- ପୁରୀ ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ର ଠାରେ ଆଜି ଜିଲ୍ଲା ସ୍ତରୀୟ ଅଭିନବ କାର୍ଯ୍ୟକ୍ରମ ନିରୀକ୍ଷଣ ଅନ୍ତର୍ଗତ ଏକ ଓରିଏଣ୍ଟେସନ ବୈଠକ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅକ୍ଷୟ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ୬ଟି ସରକାରୀ ଓ ୧୯ଟି ବେସରକାରୀ ତାଲିକାଭୁକ୍ତ ଅଲ୍ଟ୍ରାସୋନୋଗ୍ରାଫି କେନ୍ଦ୍ରର ପ୍ରତିନିଧିମାନେ ଯୋଗ ଦେଇଥିଲେ। ନିରୀକ୍ଷଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, କାର୍ଯ୍ୟାନ୍ୱୟନ ପ୍ରକ୍ରିୟା, ଗୁଣାତ୍ମକ ଅଲ୍ଟ୍ରାସାଉଣ୍ଡ ସେବା ପ୍ରଦାନ ଏବଂ ସମସ୍ତ ଏମ୍ପାନେଲ୍ଡ କେନ୍ଦ୍ର ମାଧ୍ୟମରେ ଏହାର ସଫଳ ରୂପାୟନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ବୈଠକରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ଚନ୍ଦ୍ରକାନ୍ତି ଆଚାର୍ଯ୍ୟ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ୟାମ ସୁନ୍ଦର ତ୍ରିପାଠୀ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନର ଅନ୍ୟାନ୍ୟ ପରାମର୍ଶଦାତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ବିଭିନ୍ନ ବୈଷୟିକ ଦିଗ ଉପରେ ମତ ରଖିଥିଲେ। ଏହି ଅଭିନବ ପଦକ୍ଷେପ ମାଧ୍ୟମରେ ବିଶେଷକରି ଗ୍ରାମାଞ୍ଚଳର ଅନ୍ତଃସତ୍ତ୍ୱା ( ଏଏନସି ) ମା'ମାନଙ୍କୁ ନିକଟସ୍ଥ ତାଲିକାଭୁକ୍ତ କେନ୍ଦ୍ରରେ ସମୟୋପଯୋଗୀ ଓ ଗୁଣାତ୍ମକ ଅଲ୍ଟ୍ରାସାଉଣ୍ଡ ସେବା ଉପଲବ୍ଧ ହେବ। ଏହା ଦ୍ୱାରା ଉଚ୍ଚ ବିପଦପୂର୍ଣ୍ଣ ଗର୍ଭାବସ୍ଥାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ କରି ସମୟମତେ ଚିକିତ୍ସା ଓ ରେଫରାଲ୍ ସୁନିଶ୍ଚିତ କରାଯାଇପାରିବ। ଫଳରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବା ସହ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବାରେ ଏହି କାର୍ଯ୍ୟକ୍ରମ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande