କାଗଜରେ ରହିଗଲା ଅତ୍ୟାଧୁନିକ ବସ୍ଷ୍ଟାଣ୍ଡ, ସରକାର ବଦଳିଲା, ଚୁପ୍ ପଡ଼ିଲେ ନେତା, ଆଣ୍ଠୁଏ ପାଣିରେ ଯାତ୍ରୀ
ଭଦ୍ରକ, ୩ ଜୁଲାଇ (ହି.ସ.) - ସରକାର ବଦଳିଲେ ଭାଗ୍ୟ ବଦଳେ ବୋଲି ସାଧାରଣରେ କୁହାଯାଏ, ହେଲେ ଦୋବଲ ବସ୍ଷ୍ଟାଣ୍ଡ କ୍ଷେତ୍ରରେ ଏହା ଓଲଟା ସାବ୍ୟସ୍ତ ହୋଇଛି। ସରକାର ବଦଳିବା ସହ ଦୋବଲ ଅଂଚଳବାସୀଙ୍କ ବର୍ଷ ବର୍ଷର ସ୍ୱପ୍ନ ଏବେ ଅଧାବାଟରେ ଅଟକି ଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ସରକାର ଆସିବା ପୂ
KAGAJARE RAHIGALA ATYADHUNIKA BUS STAND


ଭଦ୍ରକ, ୩ ଜୁଲାଇ (ହି.ସ.) - ସରକାର ବଦଳିଲେ ଭାଗ୍ୟ ବଦଳେ ବୋଲି ସାଧାରଣରେ କୁହାଯାଏ, ହେଲେ ଦୋବଲ ବସ୍ଷ୍ଟାଣ୍ଡ କ୍ଷେତ୍ରରେ ଏହା ଓଲଟା ସାବ୍ୟସ୍ତ ହୋଇଛି। ସରକାର ବଦଳିବା ସହ ଦୋବଲ ଅଂଚଳବାସୀଙ୍କ ବର୍ଷ ବର୍ଷର ସ୍ୱପ୍ନ ଏବେ ଅଧାବାଟରେ ଅଟକି ଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ସରକାର ଆସିବା ପୂର୍ବରୁ ଯେଉଁ ସ୍ଥାନୀୟ ନେତାମାନେ ‘ଦୋବଲ ବସ୍ଷ୍ଟାଣ୍ଡ ସୁରକ୍ଷା ମଂଚ’ ଗଠନ କରି ଗାଁ ଗାଁ ବୁଲି ଲୋକଙ୍କୁ ଏକାଠି କରୁଥିଲେ, ଆନ୍ଦୋଳନ ଓ ରାସ୍ତାରୋକର ଚେତାବନୀ ଦେଉଥିଲେ, ସେମାନେ ଏବେ କ୍ଷମତା ପାଇବା ପରେ ସମ୍ପୂର୍ଣ୍ଣ ନୀରବ ସାଜିଛନ୍ତି। ୨୦୨୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୋବଲଠାରେ ଏକ ଅତ୍ୟାଧୁନିକ ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ଭର୍ଚ୍ଚୁଆଲ୍ ମାଧ୍ୟମରେ ଶିଳାନ୍ୟାସ ସ୍ଥାପନ କରିଥିଲେ। ଏଥିପାଇଁ ସମୁଦାୟ ୫ କୋଟି ୮୨ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିଲା। ଯାତ୍ରୀଙ୍କ ସୁବିଧା ପାଇଁ ବିଶ୍ରାମଗାର, ଡ୍ରାଇଭରଙ୍କ ରେଷ୍ଟ ରୁମ୍, ଅତ୍ୟାଧୁନିକ ଶୌଚାଳୟ ଆଦିର ନକ୍ସା ପ୍ରସ୍ତୁତ ହୋଇଥିଲା। ଏହି କାର୍ଯ୍ୟ ପାଇଁ ମୁସ୍ତଫାପୁର ମୌଜାର ଘୋଡ଼ାଗଣ୍ଡ ନାଳ ପାଖରେ ଥିବା ସରକାରୀ ଜମିକୁ ଚିହ୍ନଟ କରାଯାଇ ଠିକାଦାର ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରି କାମ ମଧ୍ୟ ଆରମ୍ଭ କରିଥିଲେ। ହେଲେ ରାଜ୍ୟରେ ଶାସନ ପରିବର୍ତନ ହେବା ମାତ୍ରେ ହିଁ ଏହି ପ୍ରକଳ୍ପ ଉପରେ ଗ୍ରହଣ ଲାଗିଗଲା। ନୂଆ ସରକାର ଆସିବା ପରେ ସେଠାରେ କାମ ସମ୍ପୂର୍ଣ୍ଣ ବନ୍ଦ କରିଦିଆଗଲା, ଯାହାଫଳରେ ପୂର୍ବରୁ ଖର୍ଚ୍ଚ ହୋଇଥିବା ଲକ୍ଷ ଲକ୍ଷ ସରକାରୀ ଟଙ୍କା ପାଣିରେ ପଡ଼ିବା ସଦୃଶ ହୋଇଛି। ଅପରପକ୍ଷରେ, ଦୋବଲ ବଜାର ଷ୍ଟେଟ୍ ବ୍ୟାଙ୍କ ସାମନାରେ ଥିବା ପୁରୁଣା ବସ୍ଷ୍ଟାଣ୍ଡର ସ୍ଥିତି ଦିନକୁ ଦିନ ଅତି ଶୋଚନୀୟ ହେବାରେ ଲାଗିଛି। ମୁସ୍ତଫାପୁର ମୌଜାର ଖାତା ନଂ ୬୧୩, ପ୍ଲଟ୍ ନଂ ୭୩୨ ଅନ୍ତର୍ଗତ ଏହି ପ୍ରାୟ ୬୦-୭୦ ବର୍ଷର ପୁରୁଣା ବସ୍?ଷ୍ଟାଣ୍ଡ ଜମିକୁ ଚାରିଆଡ଼ୁ ଆବଦ୍ଧ କରି କବ୍ଜା କରାଯାଉଛି। ବସଷ୍ଟାଣ୍ଡକୁ ଲାଗି ରହିଥିବା ଆରାଧନାସ୍ଥଳୀ ଓ ମସଜିଦ ପାର୍ଶ୍ୱରୁ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକେ ବାରମ୍ବାର ମାଟି ପକାଇ ସ୍ଥାନଟିକୁ ଉଚ୍ଚା କରୁଛନ୍ତି। କେବଳ ସେତିକି ନୁହେଁ, ବସ୍ଷ୍ଟାଣ୍ଡରୁ ଜଳ ନିଷ୍କାସନ ପାଇଁ ଥିବା ହ୍ୟୁମ୍ପାଇପ୍କୁ ମଧ୍ୟ ବନ୍ଦ ହୋଇଯାଇଛି। ଫଳରେ ସାମନ୍ୟ ବର୍ଷା ହେଲେ ପୁରୁଣା ବସ୍ଷ୍ଟାଣ୍ଡ ପରିସରରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଛି। ଯାତ୍ରୀମାନେ ବାଧ୍ୟ ହୋଇ ମୁଖ୍ୟ ରାସ୍ତା ଉପରେ ବିପଦପୂର୍ଣ୍ଣ ଭାବେ ବସ୍କୁ ଅପେକ୍ଷା କରୁଛନ୍ତି, ଯାହାଦ୍ୱାରା ପ୍ରତିଦିନ ସେଠାରେ ଦୁର୍ଘଟଣାର ଆଶଙ୍କା ଓ ଟ୍ରାଫିକ ସମସ୍ୟା ଉପୁଜୁଛି। ୨୦୨୨ ମସିହା ଜୁଲାଇ ଓ ଅଗଷ୍ଟ ମାସରେ ଏହି ଜମି ବିବାଦକୁ ନେଇ ଦୋବଲରେ ନିଆଁ କୁହୁଳୁଥିଲା। ତତ୍କାଳୀନ ତହସିଲଦାର କ୍ଷୀରୋଦ ପଣ୍ଡାଙ୍କ ଅଧାପନ୍ତରିଆ ମାପଚୁପକୁ ବିରୋଧ କରି ‘ଦୋବଲ ବସ୍ଷ୍ଟାଣ୍ଡ ସୁରକ୍ଷା ମଂଚ’ ସାମ୍ବାଦିକ ସମ୍ମିଳନୀ କରି ପ୍ରଶାସନ ଉପରେ ବର୍ଷିଥିଲା। ସେତେବେଳର ବିରୋଧୀ ଦଳର ନେତା ଅମୀୟ ମହାନ୍ତି, ଅରବିନ୍ଦ ପତି, ରଞ୍ଜିତ ମହାନ୍ତି, ମଦନମୋହନ ଦାସ ପ୍ରମୁଖ ଘନ ଘନ ବୈଠକ କରି ଆନ୍ଦୋଳନର ହୁଙ୍କାର ଦେଉଥିଲେ। ସେହିପରି ୨୪ ଅଗଷ୍ଟ ୨୦୨୨ରେ ଶାସକ ଦଳର ବବି ଦାସଙ୍କ ଉପସ୍ଥିତିରେ ଉଭୟ ସମ୍ପ୍ରଦାୟକୁ ନେଇ ବୈଠକ ବସିଥିଲା ଓ ସମାଧାନର ପ୍ରତିଶ୍ରୁତି ଦିଆଯାଇଥିଲା। ସେତେବେଳେ ତତ୍ପରତା ଦେଖାଉଥିବା ସେହି ନେତାମାନେ ଆଜି ନିଜ ସରକାର ଥାଇ ମଧ୍ୟ କାହିଁକି ଚୁପ୍ କେବଳ ରାଜନୈତିକ ଫାଇଦା ପାଇଁ ସେତେବେଳେ ଜନଅସନ୍ତୋଷକୁ ବ୍ୟବହାର କରାଯାଇଥିଲା କି ନା ପ୍ରସ୍ତାବିତ ନୂଆ ଜାଗାରେ ଅତ୍ୟାଧୁନିକ ବସ୍ଷ୍ଟାଣ୍ଡ ହୋଇପାରିଲା, ନା ପୁରୁଣା ବସ୍ଷ୍ଟାଣ୍ଡକୁ ଜବରଦଖଲ ମୁକ୍ତ କରାଯାଇ ପାରିଲା। ପ୍ରଶାସନ ଓ ସ୍ଥାନୀୟ ନେତୃବୃନ୍ଦଙ୍କ ଏହି ନୀରବତା ଏବେ ଦୋବଲବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଯଦି ତୁରନ୍ତ ଏହାର ସ୍ଥାୟୀ ସମାଧାନ କରା ନଯାଏ, ତେବେ ଆଗାମୀ ଦିନରେ ସାଧାରଣ ଜନତା ସ୍ୱତଃସ୍ଫୂର୍ତ ଭାବେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande