
ରାଉରକେଲା, ୩ ଜୁଲାଇ (ହି.ସ.)- ରାଉରକେଲା ସହରରେ ଗୁଣ୍ଡା ରାଜ ବଢ଼ି ଚାଲିଛି। ହତ୍ୟା, ଧମକ, ଲୁଟ୍ ଘଟଣାକୁ ପୁଲିସ ରୋକିବାରେ ବିଫଳ ହୋଇଛି। ଥାନା ଗୁଡ଼ିକରୁ ଲୋକେ ନ୍ୟାୟ ପାଉ ନାହାନ୍ତି ବୋଲି ଅଭିଯୋଗ ବଢୁଥିବା ବେଳେ ବୁଧବାର ରାତି ୧୨ଟା ପରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ପ୍ରତିନିଧି ପ୍ରକାଶ ପାଶ୍ବାନଙ୍କୁ ତାଙ୍କ ନୟାବଜାର ନିକଟ ଅଫିସ ଭିତରେ ଓ ବାହାରେ ୧୫ରୁ ଅଧିକ ମରଣାସ୍ତ୍ର ଧାରୀ ଯୁବକ ଏକଜୁଟ ହୋଇ ଗୋଡେଇ ଗୋଡେଇ ବାଡେଇବା ଓ ପରେ ହାଣିବାକୁ ଉଦ୍ୟମ କରିବା ଘଟଣା ରାଉରକେଲା ପୁଲିସ ର ପାରିବା ପଣିଆ ଉପରେ ପୁଣି ପ୍ରଶ୍ନ ଉଠାଇଛି।
ନିକଟ ଅତୀତରେ ମାଓବାଦୀ ମାନେ ବିସ୍ଫୋରକ ଲୁଟିବା, ସହର ଆଖପାଖରେ ହତ୍ୟା ଲୁଟ୍ ବଢିବା ପୁଲିସ ଥାନାଗୁଡିକରେ ଏତଲା ନରଖିବା ଭଳି ଘଟଣାରେ ରାଉରକେଲାରେ ପୁଲିସ ବ୍ୟବସ୍ଥା ଭୁଶୁଡି ପଡ଼ିଥିବା କୁହାଯାଉଥିଲା। ପରେ ସରକାର ଏନେଇ କିଛି କରିବେ ବୋଲି ଆଶା କରାଯାଉଥିଲା। କାରଣ ପୁଲିସ ମୁଖିଆଙ୍କର ଥାନା ଵାଲାଙ୍କ ଉପରେ ନିୟନ୍ତ୍ରଣ ନଥିବା କୁହାଯିବା ସହ ଅପରାଧୀ ମାନେ ଆଉ ପୁଲିସକୁ ଡରୁନାହାନ୍ତି ବୋଲି ଅନେକ ପୁରାତନ ପୁଲିସ ଅଧିକାରୀ ମତ ଦେଉଥିଲେ। ଏତିକି ବେଳେ କୋଣାର୍କ ସିନେମା ପାଖ ରିଂ ରୋଡ଼ କଡ଼ରେ ପାଶ୍ବାନଙ୍କ ଅଫିସ ଭିତରେ ଓ ବାହାରେ ଟହଲା ମାରି ଖଣ୍ଡା, ଭୁଜାଲି, ରଡ଼, ବନ୍ଧୁକ ଧରି ପାଶ୍ବାନଙ୍କୁ ପାଇ ତାଙ୍କୁ ବାଡେଇ ମାରିଦେବାକୁ ଉଦ୍ୟମ କରିବା ଓ ସେ ପ୍ରାଣ ବିକଳରେ ପାଖ ହୋଟେଲ ଭିତରକୁ ପଶିଯିବା, ହୋଟେଲ ଭିତରକୁ ଦୁର୍ବୁତ୍ତ ମାନେ ପଶିବାକୁ ଉଦ୍ୟମ କରିବା ସେ ଗେଟ କୁ ବାଡେଇବା ଭଳି ଘଟଣାକୁ ଯିଏ ଶୁଣୁଛି ସେ ଡରିଯାଉଛି ଓ କହୁଛି ଆଉ ସହରରେ ଶାନ୍ତି ନାହିଁ। ଏହି ଘଟଣା ପ୍ରାୟ ୧ଘଣ୍ଟା ଧରି ଚାଲିଥିଲେ ବି ସେଠି ସିଟି ମୋବାଇଲ ଗାଡି ଗୋଟାଏ ହେଲେ ଦେଖାଯାଇନଥିଲା। ରାଜ୍ୟରେ ବିଜେପି ସରକାର କେନ୍ଦ୍ର ମନ୍ତ୍ରୀ ଜିଲ୍ଲାର ନେତା, ପାଖରେ ରଘୁନାଥ ପଲ୍ଲୀ ବିଜେପି ବିଧାୟକ ପୁଣି ଏବେ ଦିଲ୍ଲୀପ ରାୟ ବିଜେପି ସମର୍ଥିତ ସାଂସଦ ମଧ୍ୟ ଆସିଲେଣି। ଅନେକ ବିଜେପି ନେତା ମଧ୍ୟ ସହରରେ କାମକରନ୍ତି, ହେଲେ ଏତେ ବଡ଼ ଦଳ ରାଜ୍ୟରେ ସରକାର ଥିବା ଦଳର ମନ୍ତ୍ରୀଙ୍କ ପ୍ରତିନିଧିଙ୍କ ଜୀବନ ଯଦି ଏହିଭଳି ବିପଦରେ ତେବେ ସହରବାସୀ ଏଠି କେତେ ସୁରକ୍ଷିତ ବୋଲି ପ୍ରଶ୍ନ ହେଲାଣି। ଘଟଣାକୁ ୪୮ଘଣ୍ଟା ବିତିଲାଣି ହେଲେ ପୁଲିସ ହାତ ଖାଲି। ମାମଲା ନେଇ ସହରରେ ଚାପା ଉତେଜନା ଥିବା କୁହାଯାଉଥିବା ବେଳେ ଏହି ଘଟଣା ପରେ ପୁଣି ରକ୍ତପାତ ସହ କିଛି ଜୀବନ ଯାଇପାରେ ବୋଲି ଅନେକ ଜାଣିବା ଶୁଣିବା ଲୋକେ ମତ ଦେଇଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ରାଉରକେଲା ଘଟଣାରେ ହସ୍ତକ୍ଷେପ କରିବାକୁ ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ