
ଜୟପୁର, ୩ ଜୁଲାଇ (ହି.ସ.)- କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକ ର ବିଭିନ୍ନ ଗ୍ରାମରେ ଜୟପୁର ସ୍ଥିତ ଏମ୍.ଏସ୍ ସ୍ଵାମୀନାଥନ୍ ଗବେଷଣା ପ୍ରତିଷ୍ଠାନ ଦ୍ୱାରା ବନ ମହୋତ୍ସବ ପାଳନ କରାଯାଇଅଛି। ପରିବେଶ ସୁରକ୍ଷା ଓ ସଚେତନତାକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ସ୍ତରରେ ବ୍ୟାପକ ସଂଖ୍ୟାରେ ବୃକ୍ଷ ରୋପଣ କରାଗଲା। ଏହି କାର୍ଯ୍ୟକ୍ରମ ଓଡ଼ିଶା ଜୈବ ବିବିଧତା ବୋର୍ଡ, ଭୁବନେଶ୍ୱର ଏବଂ ବନ ବିଭାଗର ସହାୟତାରେ ଆୟୋଜିତ କରାଯାଇଅଛି।ଏମ୍.ଏସ୍ ସ୍ଵାମୀନାଥନ୍ ଗବେଷଣା ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ଡକ୍ଟର କାର୍ତ୍ତିକ ଚରଣ ଲେଙ୍କା ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ଏବଂ ପରିବେଶର ସନ୍ତୁଳନ ରକ୍ଷା କରିବା ପାଇଁ ବୃକ୍ଷରୋପଣର ଆବଶ୍ୟକତା ଉପରେ ଗ୍ରାମବାସୀଙ୍କୁ ବୁଝାଇଥିଲେ। ଏଥିସହ ସେ ମଧ୍ୟ ସମସ୍ତ ଗ୍ରାମବାସୀଙ୍କୁ ଅଧିକରୁ ଅଧିକ ବୃକ୍ଷରୋପଣ କରିବାକୁ ଆହ୍ୱାନ ଦେଇଥିଲେ। ଶେଷରେ ଗ୍ରାମର ଶ୍ମଶାନ ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ସହଯୋଗରେ ବୃକ୍ଷରୋପଣ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି