
ଭୁବନେଶ୍ୱର , ୦୩ ଜୁଲାଇ (ହି.ସ.) - ରାଜ୍ୟକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଚାଲିଥିବା “ନିଶାମୁକ୍ତ ଓଡ଼ିଶା ଅଭିଯାନ”ରେ ଏକ ବଡ଼ ସଫଳତା ମିଳିଛି। ବର୍ତମାନ ଜାରି ରହିଥିବା ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ‘ନିଶାଦ୍ରବ୍ୟ ବିନଷ୍ଟୀକରଣ ପକ୍ଷ’ (୨୬.୦୬.୨୦୨୬ ରୁ ୧୦.୦୭.୨୦୨୬) ଅନ୍ତର୍ଗତ, ଗତ ୨ ଜୁଲାଇ ସୁଦ୍ଧା ମୋଟ ୬୪.୮ ମେଟ୍ରିକ ଟନ (୬୪,୮୧୬.୧୭ କେଜି) ରୁ ଅଧିକ ଜବତ ଗଞ୍ଜେଇ ନଷ୍ଟ କରାଯାଇଛି। ସିଆଇଡି କ୍ରାଇମବ୍ରାଂଚର ସ୍ପେଶାଲ ଟାସ୍କ ଫୋର୍ସ ର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ବୃହତ ପ୍ରକ୍ରିୟା ସଫଳତାର ସହ ପରିଚାଳିତ ହେଉଛି।
ରିପୋର୍ଟ ଅନୁଯାୟୀ, ଏହି ସ୍ୱତନ୍ତ୍ର ଅଭିଯାନରେ ମୋଟ ୭୮,୬୦୦.୬୮ କେଜି ଜବତ ଗଞ୍ଜେଇ ନଷ୍ଟ କରିବା ପାଇଁ ଚିହ୍ନଟ ହୋଇଥିଲା। ଏଥିରୁ ୬୪,୮୧୬.୧୭ କେଜି ଗଞ୍ଜେଇ ସଫଳତାର ସହ ନଷ୍ଟ କରାଯାଇ ସାରିଥିବା ବେଳେ ବାକି ଥିବା ୧୩,୭୮୪.୨୨ କେଜି ଗଞ୍ଜେଇକୁ ଆସନ୍ତା ୧୦ ଜୁଲାଇ ୨୦୨୬ ସୁଦ୍ଧା ସମ୍ପୂର୍ଣ୍ଣ ନଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଅଭିଯାନରେ କନ୍ଧମାଳ ଜିଲ୍ଲା ସର୍ବାଧିକ ୩୧,୪୪୫.୪୦ କେଜି ଜବତ ଗଞ୍ଜେଇ ନଷ୍ଟ କରି ପ୍ରଥମ ସ୍ଥାନରେ ରହିଛି।
ଅନ୍ୟାନ୍ୟ ଜିଲ୍ଲାର ମଧ୍ୟରେ ବୌଦ୍ଧ ଜିଲ୍ଲା ପକ୍ଷରୁ ୧୬,୧୨୭ କେଜି, ମାଲକାନଗିରି ପକ୍ଷରୁ ୮,୯୬୯.୯୪ କେଜି, ଗଜପତି ପକ୍ଷରୁ ୩,୧୧୬ କେଜି ଏବଂ ବରଗଡ଼ ଜିଲ୍ଲା ପକ୍ଷରୁ ୧,୩୦୬ କେଜି ଗଞ୍ଜେଇ ନଷ୍ଟ କରାଯାଇଛି। ମାଲକାନଗିରି, ଗଜପତି, କୋରାପୁଟ, ବଲାଙ୍ଗୀର, ମୟୂରଭଞ୍ଜ, ବରଗଡ଼, ବାଲେଶ୍ୱର, କେନ୍ଦୁଝର, ଏସଆରପି ରାଉରକେଲା ଏବଂ ସୁନ୍ଦରଗଡ଼ ଜିଲ୍ଲା ନିଶାଦ୍ରବ୍ୟ ବିନଷ୍ଟୀକରଣ କ୍ଷେତ୍ରରେ ନିଜ ନିଜର ଲକ୍ଷ୍ୟ ହାସଲ କରିଛନ୍ତି।
ଏହି ପରିପ୍ରେକ୍ଷୀରେ, ନିକଟରେ ଭୁବନେଶ୍ୱରସ୍ଥିତ ପୋଲିସ ଭବନଠାରେ ଏକ ‘ଜାତୀୟ ସ୍ତରୀୟ ପ୍ରି-ଟ୍ରାଏଲ୍ ଡ୍ରଗ୍ ଡିଷ୍ଟ୍ରକସନ ସ୍ପେଶାଲ ଡ୍ରାଇଭ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ନାର୍କୋଟିକ୍ସ କେଂଟ୍ରାଲ ବ୍ୟୁରୋ ର ନିର୍ଦ୍ଦେଶକ୍ରମେ ମାମଲାର ବିଚାର ପୂର୍ବରୁ ଜବତ ନିଶାଦ୍ରବ୍ୟ ନଷ୍ଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଗତ ଜୁନ୍ ୨୬ ରୁ ଆସନ୍ତା ଜୁଲାଇ ୧୦, ୨୦୨୬ ପର୍ଯ୍ୟନ୍ତ ଏହି ସାରା ଦେଶବ୍ୟାପୀ ସ୍ୱତନ୍ତ୍ର ଅଭିଯାନ ଚାଲୁ ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା