
ନୂଆଦିଲ୍ଲୀ, ୧ ଅଗଷ୍ଟ (ହି.ସ.)- ଭାରତୀୟ ରେଳବାଇ ବିହାରର ପୂର୍ବ କେନ୍ଦ୍ରୀୟ ରେଳବାଇର ଦାନାପୁର-ଫତୁହା ରେଳ ଡ଼ିଭିଜନରେ ୯୭୬ କୋଟି ଟଙ୍କା ବ୍ୟୟରେ ୨୯ କିଲୋମିଟର ଦୀର୍ଘ ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ ମଞ୍ଜୁରି ଦେଇଛି । ଏହି ପ୍ରକଳ୍ପ ଦ୍ୱାରା ପାଟନା ରେଳ ମାର୍ଗରେ ଟ୍ରେନ୍ ଗୁଡିକର ଭିଡ଼ ହ୍ରାସ ପାଇବ ଏବଂ ଯାତ୍ରୀବାହୀ ଏବଂ ମାଲବାହୀ ଟ୍ରେନ୍ ପରିଚାଳନାକୁ ସହଜ କରିବ ।
ରେଳ ମନ୍ତ୍ରଣାଳୟ ଅନୁଯାୟୀ, ଏହି ପ୍ରକଳ୍ପ ଅଧୀନରେ ଦାନାପୁରରୁ ପାଟନା ପର୍ଯ୍ୟନ୍ତ ତୃତୀୟ ଏବଂ ଚତୁର୍ଥ ରେଳ ଲାଇନ, ରାଜେନ୍ଦ୍ର ନଗରରୁ ପାଟନା ସାହିବ ପର୍ଯ୍ୟନ୍ତ ତୃତୀୟ ରେଳ ଲାଇନ ଏବଂ ପାଟନା ସାହିବରୁ ଫତୁହା ପର୍ଯ୍ୟନ୍ତ ତୃତୀୟ ଏବଂ ଚତୁର୍ଥ ରେଳ ଲାଇନ ବିଛାଯିବ । ଏହାଦ୍ୱାରା ଟ୍ରେନ୍ ଚଳାଚଳ ଉନ୍ନତ ହେବ, ବିଳମ୍ବ ହ୍ରାସ ପାଇବ ଏବଂ ସମୟାନୁବର୍ତିତା ଉନ୍ନତ ହେବ ।
ପ୍ରକଳ୍ପ ଆରମ୍ଭ ହେବାର ପ୍ରଥମ ବର୍ଷରେ, ପ୍ରତିଦିନ ୨୨ଟି ଅତିରିକ୍ତ ଯାତ୍ରୀବାହୀ ଟ୍ରେନ୍ ଏବଂ ୧୮ଟି ଅତିରିକ୍ତ ମାଲବାହୀ ଟ୍ରେନ୍ ଏହି ରେଳ ଡ଼ିଭିଜନ୍ ରେ ଚାଲିପାରିବ । ଏଥି ସହିତ ବାର୍ଷିକ ୫୨ ଲକ୍ଷ ଟନ୍ ଅତିରିକ୍ତ ପରିବହନ କ୍ଷମତା ମଧ୍ୟ ବୃଦ୍ଧି ପାଇବ ।
ଏହି ପ୍ରକଳ୍ପ ଦିଲ୍ଲୀ-ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ-ପାଟନା-କିଉଲ-ଭାଗଲପୁର-ଖାନ୍ନା-ହାୱଡ଼ା ରେଳ ମାର୍ଗରେ ଚାଲିଥିବା କ୍ଷମତା ସମ୍ପ୍ରସାରଣ କାର୍ଯ୍ୟକ୍ରମର ଏକ ଅଂଶ । ଶକ୍ତି, ଖଣିଜ ପଦାର୍ଥ ଏବଂ ସିମେଂଟ ପରିବହନ ପାଇଁ ଏହି ମାର୍ଗ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ବକ୍ସର ଜିଲ୍ଲାର ଚୌସା ଠାରେ ନିର୍ମାଣ ହେବାକୁ ଥିବା ୨୧୨୦ ମେଗାୱାଟ ତାପଜ ବିଦ୍ୟୁତ କେନ୍ଦ୍ର ପାଇଁ ମଧ୍ୟ ଏହି ରେଳ ଡ଼ିଭିଜନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ