
ନୂଆଦିଲ୍ଲୀ, ୦୩ ଅଗଷ୍ଟ (ହି.ସ.)- ସଂସଦର ସୂଚନା ପ୍ରଯୁକ୍ତି ସମ୍ବନ୍ଧୀୟ ସ୍ଥାୟୀ ସମିତି ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଡିଓକୁ ଫେସବୁକରୁ ହଟାଇବା ଘଟଣାରେ ମେଟାର ଅଧିକାରୀମାନଙ୍କୁ ଜବାବ ତଲବ କରିଛି। ସମିତିର ଅନେକ ସଦସ୍ୟ କେବଳ କ୍ଷମା ପ୍ରାର୍ଥନାକୁ ପର୍ଯ୍ୟାପ୍ତ ବୋଲି ମାନିନଥିଲେ ଏବଂ ଜବାବଦେହିତା ନିର୍ଦ୍ଧାରଣ କରି ଦାୟୀ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଦାବି କରିଥିଲେ।
ସୂତ୍ରମାନଙ୍କ ଅନୁସାରେ, ସମିତିର ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭିଡିଓ ହଟାଇବା ପ୍ରସଙ୍ଗ ପ୍ରମୁଖ ଭାବେ ଉଠିଥିଲା। ଅନେକ ସାଂସଦ ଏହି ଘଟଣା ଉପରେ କଡ଼ା ଆପତି ଜଣାଇଥିଲେ ଏବଂ ମେଟାର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଥିଲେ। ଅନ୍ୟପଟେ, ମେଟାର ଅଧିକାରୀମାନେ ସମିତିକୁ କହିଥିଲେ ଯେ ପ୍ରାଯୁକ୍ତିକ ତ୍ରୁଟି କାରଣରୁ ଭିଡିଓଟି ହଟିଯାଇଥିଲା ଏବଂ ଏଥିପାଇଁ କମ୍ପାନୀ କ୍ଷମା ପ୍ରକାଶ କରିଛି।
ତେବେ ଅଧିକାଂଶ ସଦସ୍ୟ କହିଥିଲେ ଯେ କେବଳ କ୍ଷମା ମାଗିବା ପର୍ଯ୍ୟାପ୍ତ ନୁହେଁ। ସେମାନେ ଏହି ତ୍ରୁଟି ପାଇଁ ଦାୟୀ ଅଧିକାରୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଉଚିତ ଆଇନଗତ କାର୍ଯ୍ୟାନୁଷ୍ଠାନର ଦାବି କରିଥିଲେ।
ସଦସ୍ୟମାନେ କହିଥିଲେ ଯେ ଏପରି ଘଟଣାର ପୁନରାବୃତି ହେବା ଉଚିତ ନୁହେଁ ଏବଂ ଏଥିପାଇଁ ପ୍ରଭାବଶାଳୀ ଜବାବଦେହିତା ସୁନିଶ୍ଚିତ କରିବା ଆବଶ୍ୟକ। ବୈଠକରେ ସୋସିଆଲ ମିଡିଆ ମଂଚଗୁଡ଼ିକର ଜବାବଦେହିତା ଏବଂ ସେମାନଙ୍କର ବିଷୟବସ୍ତୁ ନିରୀକ୍ଷଣ ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା ହୋଇଥିଲା।
ସମିତି ମେଟାଠାରୁ ସମଗ୍ର ଘଟଣାକ୍ରମର ବିସ୍ତୃତ ସ୍ପଷ୍ଟୀକରଣ ମାଗିଥିଲା ଏବଂ ବିବାଦୀୟ ଓ ଆପତିଜନକ ବିଷୟବସ୍ତୁ ବିରୋଧରେ ଅନୁସରଣ କରାଯାଉଥିବା ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ସୂଚନା ନେଇଥିଲା। ସୂତ୍ରମାନଙ୍କ ଅନୁସାରେ, ମାମଲାକୁ ଗୁରୁତର ବୋଲି ମନେ କରି ସମିତିରେ କଡ଼ା କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଉପରେ ଜୋର ଦିଆଯାଇଥିଲା।
ଉଲ୍ଲେଖନୀୟ ଯେ, ୨୮ ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଧିକାରିକ ଫେସବୁକ ପୃଷ୍ଠାରେ ସେୟାର କରାଯାଇଥିବା ଏକ ଭିଡିଓ କିଛି ସମୟ ପାଇଁ ଉପଲବ୍ଧ ନଥିଲା। ସେହି ସମୟରେ ବ୍ୟବହାରକାରୀମାନଙ୍କୁ ଏହି ବାର୍ତା ଦେଖାଯାଇଥିଲା ଯେ ଭିଡିଓଟି ଭାରତରେ ‘ଆଇନଗତ ଅନୁରୋଧ’ କାରଣରୁ ଉପଲବ୍ଧ ନୁହେଁ। ପରେ ମେଟା ଭିଡିଓଟିକୁ ପୁନଃସ୍ଥାପନ କରି ସ୍ପଷ୍ଟ କରିଥିଲା ଯେ ଏହି ଘଟଣା ଆଭ୍ୟନ୍ତରୀଣ ପ୍ରାଯୁକ୍ତିକ ତ୍ରୁଟିର ପରିଣାମ ଥିଲା, କୌଣସି ସରକାରୀ ଅନୁରୋଧ କିମ୍ବା କମ୍ପାନୀର ବିଷୟବସ୍ତୁ ନୀତି ଅନୁଯାୟୀ କରାଯାଇଥିବା କାର୍ଯ୍ୟ ନୁହେଁ।
---------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ