
ନୂଆଦିଲ୍ଲୀ, ୦୩ ଅଗଷ୍ଟ (ହି.ସ.)- ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ନିଯୁକ୍ତ ସମିତି ଯୌନ ଅପରାଧ ସମ୍ବନ୍ଧୀୟ ମାମଲାରେ ରାୟ ଦେଉଥିବା ନ୍ୟାୟାଧୀଶମାନଙ୍କ ପାଇଁ ସମ୍ବେଦନଶୀଳ ଆଭିମୁଖ୍ୟ ସୁନିଶ୍ଚିତ କରିବାକୁ ଅନେକ ପରାମର୍ଶ ଦେଇଛି। ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ନ୍ୟାୟାଧୀଶ ଜଷ୍ଟିସ ଅନିରୁଦ୍ଧ ବୋସଙ୍କ ଅଧ୍ୟକ୍ଷତାରେ ଗଠିତ ବିଶେଷଜ୍ଞ ସମିତି କହିଛି ଯେ, ଯୌନ ଅପରାଧ ସମ୍ବନ୍ଧୀୟ ମାମଲାରେ ରାୟ ଦେବା ସମୟରେ ନ୍ୟାୟାଧୀଶମାନେ ‘ପ୍ରୋସିକ୍ୟୁଟ୍ରିକ୍ସ’ (ଅଭିଯୋଗକାରୀ ମହିଳା), ‘ଅସହାୟ ମହିଳା’, ‘ପବିତ୍ରତା ହରାଇଦେଲେ’, ଏବଂ ‘ଲଜ୍ଜା ଭଙ୍ଗ ହେଲା’ ପରି ଶବ୍ଦର ବ୍ୟବହାରରୁ ବିରତ ରହିବା ଉଚିତ।
‘ଜଜମେଂଟସ୍ ଆଣ୍ଡ ଜେଣ୍ଡର- ସେନ୍ସିଟିଭିଟି ଆଣ୍ଡ କମ୍ପାସନ୍ ଇନ୍ ରାଇଟିଂ ଜଜମେଂଟସ୍’ ଶୀର୍ଷକ ରିପୋର୍ଟରେ କୁହାଯାଇଛି ଯେ, ଅଦାଲତମାନେ ଏହି ଶବ୍ଦଗୁଡ଼ିକ ପରିବର୍ତେ ‘ପୀଡ଼ିତ’, ‘ଉତରଜୀବୀ’, ‘ଅଭିଯୋଗକାରୀ’, ‘ଶାରୀରିକ ସ୍ୱାୟତତା’ ଏବଂ ଯୌନ ‘ଉତ୍ପୀଡ଼ନ’ ପରି ନିରପେକ୍ଷ ଏବଂ ପୀଡ଼ିତ-କେନ୍ଦ୍ରିତ ଶବ୍ଦର ବ୍ୟବହାର କରିବା ଉଚିତ। ରାଜ୍ୟ ନ୍ୟାୟିକ ଏକାଡେମୀମାନଙ୍କ ସହଯୋଗରେ ସାରା ଦେଶର ୧୨୫ଟି ଟ୍ରାୟାଲ୍ କୋର୍ଟର ରାୟର ବିଶ୍ଳେଷଣ କରିବା ପରେ ବିଶେଷଜ୍ଞ ସମିତି ଏହି ସୁପାରିଶଗୁଡ଼ିକ କରିଛି। ବିଶେଷଜ୍ଞ ସମିତି କହିଛି ଯେ, ଅଦାଲତୀ କାର୍ଯ୍ୟବିଧିରେ ସମ୍ବେଦନଶୀଳ ଭାଷାର ବ୍ୟବହାର କେବଳ ଶିଷ୍ଟାଚାରର ବିଷୟ ନୁହେଁ, ବରଂ ଏହା ନିଷ୍ପକ୍ଷତା, ମର୍ଯ୍ୟାଦା ଏବଂ ନିରପେକ୍ଷତା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ।
---------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ