
ମୁମ୍ବାଇ, ୦୩ ଅଗଷ୍ଟ (ହି.ସ.)- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ଼ଃ ମୋହନ ଭାଗବତ ୦୬ ଅଗଷ୍ଟରେ ମୁମ୍ବାଇର ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ରରେ ଆୟୋଜିତ ‘ଇଣ୍ଡିଆଜ୍ ଇଂଟରନ୍ୟାସନାଲ୍ ମୁଭମେଂଟ ଟୁ ୟୁନାଇଟେଡ୍ ନେଶନ୍ସ’ (ଆଇଆଇଏମୟୁଏନ୍)ର ୧୫ତମ ବାର୍ଷିକ ଚ୍ୟାମ୍ପିଅନଶିପ୍ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧନ କରିବେ। ଏହି ଅବସରରେ ସେ ‘ଜେନ୍ ଜି’ ଏବଂ ‘ଜେନ୍ ଆଲ୍ଫା’ର ଯୁବମାନଙ୍କ ସହ ବିଶେଷ ଆଲୋଚନା ମଧ୍ୟ କରିବେ।
ଆୟୋଜକମାନଙ୍କଠାରୁ ମିଳିଥିବା ଆଧିକାରିକ ସୂଚନା ଅନୁସାରେ, ସମ୍ମିଳନୀରେ ଦେଶର ୧୦୦ରୁ ଅଧିକ ସହରରୁ ୧୫ରୁ ୧୯ ବର୍ଷ ବୟସ ବର୍ଗର ଦୁଇ ହଜାରରୁ ଅଧିକ ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ଉଦ୍ଘାଟନୀ ଅଧିବେଶନର ବିଷୟବସ୍ତୁ “ଦ ରୋଲ୍ ଅଫ୍ ୟୁଥ୍ ଇନ୍ ୟୁନାଇଟିଂ ଦ ୱର୍ଲ୍ଡ, ଦ ଇଣ୍ଡିଆନ୍ ୱେ” ରଖାଯାଇଛି, ଯେଉଁଥିରେ ବିଶ୍ୱ ଏକତା, ନେତୃତ୍ୱ ଏବଂ ଭାରତର ଭୂମିକା ଉପରେ ଆଲୋଚନା ହେବ।
ଆଇଆଇଏମୟୁଏନ୍ର ସଂସ୍ଥାପକ ଋଷଭ ଶାହ କହିଛନ୍ତି ଯେ, ପ୍ରଭାବଶାଳୀ ନେତୃତ୍ୱ କେବଳ ପରବର୍ତୀ ପିଢ଼ୀକୁ ମାର୍ଗଦର୍ଶନ କରିବାରେ ସୀମିତ ନୁହେଁ, ବରଂ ସେମାନଙ୍କର ଚିନ୍ତାଧାରାକୁ ଶୁଣିବା ଏବଂ ବୁଝିବାର କ୍ଷମତା ମଧ୍ୟ ସେତେଇ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି ଯେ, ଏଭଳି ସମୟରେ, ଯେତେବେଳେ ଭାରତ ବିଶ୍ୱସ୍ତରରେ ନିଜର ଭୂମିକାକୁ ସୁଦୃଢ଼ କରୁଛି, ସେତେବେଳେ ଯୁବମାନଙ୍କ ସହ ସାର୍ଥକ ସଂଲାପର ଆବଶ୍ୟକତା ପୂର୍ବପେକ୍ଷା ଅଧିକ। ସମ୍ମିଳନୀରେ ଯୋଗଦେବାକୁ ସମ୍ମତି ଦେଇଥିବାରୁ ସେ ଡ଼ଃ ମୋହନ ଭାଗବତଙ୍କୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି।
୨୦୧୧ ମସିହାରେ ସ୍ଥାପିତ ଆଇଆଇଏମୟୁଏନ୍ ନିଜକୁ ଏକ ସାର୍ବଜନିକ ବିଷୟକ ମଂଚ ବୋଲି କହେ, ଯାହାର ଉଦ୍ଦେଶ୍ୟ ଯୁବମାନଙ୍କ ମଧ୍ୟରେ ନେତୃତ୍ୱ କ୍ଷମତା, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ବିଶ୍ୱଦୃଷ୍ଟିକୋଣକୁ ପ୍ରୋତ୍ସାହନ ଦେବା। ସଂସ୍ଥାର କହିବା ଅନୁସାରେ, ଏହାର ନେଟୱର୍କ ଭାରତର ୨୭୫ଟି ସହର ଏବଂ ୪୦ଟି ଦେଶ ପର୍ଯ୍ୟନ୍ତ ବିସ୍ତାରିତ ଏବଂ ଏହା ୭.୫ କୋଟିରୁ ଅଧିକ ଯୁବଙ୍କ ପାଖରେ ପହଂଚି ସାରିଛି। ଆୟୋଜକମାନଙ୍କ କହିବା ଅନୁସାରେ, ସମ୍ମିଳନୀର ବିଭିନ୍ନ ଅଧିବେଶନରେ ନୀତି-ନିର୍ମାଣ, ଆନ୍ତର୍ଜାତୀୟ ସମ୍ପର୍କ, ନେତୃତ୍ୱ ବିକାଶ ଏବଂ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ ଭଳି ବିଷୟ ଉପରେ ଆଲୋଚନା କରାଯିବ, ଯାହା ମାଧ୍ୟମରେ ଯୁବମାନେ ବିଶେଷଜ୍ଞ ଏବଂ ବିଭିନ୍ନ କ୍ଷେତ୍ରର ପ୍ରଖ୍ୟାତ ବକ୍ତାମାନଙ୍କ ସହ ସଂଲାପ କରିବାର ସୁଯୋଗ ପାଇବେ।
---------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ