
ନୂଆଦିଲ୍ଲୀ, ୦୧ ଅଗଷ୍ଟ(ହି.ସ.) – ଭାରତୀୟ ରେଳବାଇ ଆଂଚଳିକ ରେଳ ସଂଯୋଗକୁ ସୁଦୃଢ଼ କରିବା ପାଇଁ ଉତର ରେଳବାଇର ଦୈନିକ ଲୁଧିୟାନା-ଜାଖଲ ଯାତ୍ରୀବାହୀ ଟ୍ରେନ୍(୫୪୦୫୩/୫୪୦୫୪)କୁ ଜିନ୍ଦ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ଅନୁମୋଦନ କରିଛି। ଏହି ନିଷ୍ପତି ଦ୍ୱାରା ପଞ୍ଜାବ ଏବଂ ହରିୟାଣା ମଧ୍ୟରେ ଯାତ୍ରା କରୁଥିବା ଦୈନନ୍ଦିନ ଯାତ୍ରୀ, ଛାତ୍ରଛାତ୍ରୀ, ନିଯୁକ୍ତ ବ୍ୟକ୍ତି, ବ୍ୟବସାୟୀ ଏବଂ ଅନ୍ୟମାନଙ୍କ ପାଇଁ ସିଧାସଳଖ ରେଳ ସଂଯୋଗ ଉପଲବ୍ଧ ହେବ।
ରେଳ ମନ୍ତ୍ରଣାଳୟ ଅନୁଯାୟୀ, ବର୍ତମାନ ଟ୍ରେନ୍ ନମ୍ବର ୫୪୦୫୪ ସିଧାସଳଖ ଲୁଧିଆନାରୁ ଜିନ୍ଦ ପର୍ଯ୍ୟନ୍ତ ଚାଲିବ, ଏବଂ ଟ୍ରେନ୍ ନମ୍ବର ୫୪୦୫୩ ଜିନ୍ଦରୁ ଲୁଧିଆନା ପର୍ଯ୍ୟନ୍ତ ଚାଲିବ। ପୂର୍ବରୁ ଏହି ଟ୍ରେନ୍ କେବଳ ଲୁଧିଆନା ଏବଂ ଜାଖଲ ମଧ୍ୟରେ ଚାଲୁଥିଲା।
ଏହି ଟ୍ରେନ୍ର ସମ୍ପ୍ରସାରଣ ପରେ ଏହାର ଯାତ୍ରା ଦୂରତା ୧୨୮ କିଲୋମିଟରରୁ ୨୦୦ କିଲୋମିଟରକୁ ବୃଦ୍ଧି ପାଇବ। ଏହାବ୍ୟତୀତ, ଜାଖଲ ଏବଂ ଜିନ୍ଦ ମଧ୍ୟରେ ଆସୁଥିବା ସମସ୍ତ ଷ୍ଟେସନରେ ଏହି ଟ୍ରେନ୍ର ବ୍ୟାବସାୟିକ ଷ୍ଟପ୍ ରହିବ। ଏହା ଏହି ମାର୍ଗରେ ଥିବା ସହର ଏବଂ ଗ୍ରାମଗୁଡ଼ିକୁ ଉନ୍ନତ ରେଳ ସଂଯୋଗ ପ୍ରଦାନ କରିବ।
ରେଳ ମନ୍ତ୍ରଣାଳୟ କହିଛି ଯେ ଏହି ସମ୍ପ୍ରସାରଣ ସହିତ ଯାତ୍ରୀମାନଙ୍କୁ ଜିନ୍ଦ ଯିବାକୁ ଜାଖଲରେ ଟ୍ରେନ୍ ବଦଳାଇବାକୁ ପଡ଼ିବ ନାହିଁ। ଏହାଦ୍ୱାରା ନିଯୁକ୍ତି, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ବ୍ୟବସାୟିକ କେନ୍ଦ୍ରଗୁଡ଼ିକ ସୁଗମ ହୋଇପାରିବ ଏବଂ ପଞ୍ଜାବ ଓ ହରିୟାଣାର ସହରାଂଚଳ ଓ ଗ୍ରାମାଂଚଳ ମଧ୍ୟରେ ରେଳ ସଂଯୋଗ ସୁଦୃଢ଼ ହେବ।
ମନ୍ତ୍ରଣାଳୟ ଅନୁଯାୟୀ, ଯାତ୍ରୀଙ୍କ ଦାବିକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଛି। ଆଂଚଳିକ ରେଳ ସଂଯୋଗ ବୃଦ୍ଧି କରିବା ସହିତ ଯାତ୍ରୀମାନଙ୍କୁ ଅଧିକ ସୁବିଧାଜନକ ଏବଂ ବାଧାମୁକ୍ତ ଯାତ୍ରା ପ୍ରଦାନ କରିବା ଏହାର ଉଦ୍ଦେଶ୍ୟ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି