
କେନ୍ଦ୍ରାପଡ଼ା-, 12 ଅଗଷ୍ଟ (ହି.ସ.) ଜନସାଧାରଣଙ୍କ ସୁରକ୍ଷା ଓ ଯାତାୟାତର ସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ସହର ମଧ୍ୟରେ ଦିନବେଳେ ସମସ୍ତ ଟିପ୍ପର ଗାଡି ଚଳାଚଳ ଉପରେ କଟକଣା ଜାରି କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆର୍. ଆୟର, ।ବାଲି, ମୋରମ, ଗୋଡ଼ି, ମେଟାଲ୍ ଆଦି ନିର୍ମାଣ ସାମଗ୍ରୀ ପରିବହନ କରୁଥିବା ଭାରୀ ଯାନ, ବିଶେଷକରି ଟିପ୍ପରଗୁଡ଼ିକରେ ତାରପୋଲିନ୍ ଦ୍ୱାରା ସାମଗ୍ରୀକୁ ଠିକ୍ ଭାବେ ଆବୃତ ନକରିବା ଏବଂ ଯାନର ବିଭିନ୍ନ ସ୍ଥାନରେ ଥିବା ଫାଙ୍କ ଯୋଗୁଁ ପରିବହନ ସମୟରେ ସାମଗ୍ରୀ ରାସ୍ତା ଉପରେ ପଡ଼ିବା ଓ ଲିକ୍ ହେବା ଦେଖାଯାଉଛି। ଫଳରେ ରାସ୍ତା ଉପରେ ସାମଗ୍ରୀର ଏକ ଆସ୍ତରଣ ସୃଷ୍ଟି ହୋଇ ଦୁର୍ଘଟଣାର ଆଶଙ୍କା ବଢ଼ୁଛି।ଏହା ଦ୍ୱାରା ପଥଚାରୀ, ଯାତ୍ରୀ ଓ ଅନ୍ୟାନ୍ୟ ରାସ୍ତା ବ୍ୟବହାରକାରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ଏହି ପରିପ୍ରେକ୍ଷୀରେ ସଡ଼କ ସୁରକ୍ଷା ଓ ଜନସାଧାରଣଙ୍କ ସୁବିଧା ପାଇଁ ଏହି ପଦକ୍ଷେପ ନିଆଯାଇଛି।ମୋଟର ଯାନ ଆଇନ, ୧୯୮୮ର ଧାରା ୧୧୫ ଓ ୧୧୬ ଏବଂ ଓଡ଼ିଶା ମୋଟର ଯାନ ନିୟମ, ୧୯୯୩ର ନିୟମ ୧୭୩ ଅନୁଯାୟୀ ପ୍ରଦତ୍ତ କ୍ଷମତା ପ୍ରୟୋଗ କରି କେନ୍ଦ୍ରାପଡ଼ା ସହର ମଧ୍ୟରେ ସମସ୍ତ ଟିପ୍ପର ଯାନର ଚଳାଚଳ ସକାଳ ୭ଟାରୁ ରାତି ୯ଟା ପର୍ୟ୍ୟନ୍ତ ନିଷିଦ୍ଧ କରାଯାଇଛି। ତେବେ ଦିନ ୧ଟାରୁ ୩ଟା ପର୍ୟ୍ୟନ୍ତ ଏହି କଟକଣାରୁ ଛାଡ଼ ରହିବ।ଏହି କଟକଣା ୦୩ ଅଗଷ୍ଟ ୨୦୨୬ ଠାରୁ ୦୨ ସେପ୍ଟେମ୍ବର ୨୦୨୬ ପର୍ୟ୍ୟନ୍ତ ତତ୍କାଳ ପ୍ରଭାବରେ ଲାଗୁ ରହିବ।ସମସ୍ତ ଟିପ୍ପର ମାଲିକ, ଚାଳକ ଓ ପରିବହନକାରୀଙ୍କୁ ଏହି ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରବି