
ଭୁବନେଶ୍ୱର, ୧୨ ଅଗଷ୍ଟ (ହି.ସ.) ରାଜ୍ୟରେ ଅନୁକମ୍ପାମୂଳକ ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ସରଳ, ସ୍ୱଚ୍ଛ ଓ କର୍ମଚାରୀ-ଅନୁକୂଳ କରିବା ଲକ୍ଷ୍ୟରେ ଓଡ଼ିଶା ବେସାମରିକ ସେବା (ପୁନର୍ବାସ ସହାୟତା) ନିୟମାବଳୀ, ୨୦୨୬କୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀମଣ୍ଡଳ ବୈଠକରେ ପ୍ରଚଳିତ ୨୦୨୦ ନିୟମାବଳୀକୁ ବାତିଲ କରି ନୂତନ ନିୟମାବଳୀ ପ୍ରଣୟନକୁ ମଞ୍ଜୁରି ମିଳିଛି।
ନୂତନ ନିୟମାବଳୀ ଅନୁଯାୟୀ, କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁବରଣ କରୁଥିବା ସରକାରୀ କର୍ମଚାରୀଙ୍କ ଯୋଗ୍ୟ ପରିବାର ସଦସ୍ୟଙ୍କୁ ଅଧିକ ସରଳ ଓ ସମୟୋପଯୋଗୀ ଢଙ୍ଗରେ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ କରାଯିବ।
ନୂତନ ବ୍ୟବସ୍ଥାର ଏକ ପ୍ରମୁଖ ବିଶେଷତ୍ୱ ହେଉଛି, ପୂର୍ବରୁ ପ୍ରଚଳିତ ୧୦୦ ପଏଂଟ ମୂଲ୍ୟାୟନ ପଦ୍ଧତିକୁ ପ୍ରତ୍ୟାହାର କରାଯାଇଛି। ଏଥିସହ ପୁନର୍ବାସ ସହାୟତା ଯୋଜନା ଅଧୀନରେ ମୂଳ ସ୍ତରର ଚତୁର୍ଥ ଶ୍ରେଣୀ ପଦବୀରେ ନିଯୁକ୍ତି ପାଇଁ ଥିବା ୫୦ ପ୍ରତିଶତ ସୀମାକୁ ମଧ୍ୟ ହଟାଇ ଦିଆଯାଇଛି।
ନୂତନ ନିୟମରେ ପରିବାରର ଅନ୍ୟ ଯୋଗ୍ୟ ସଦସ୍ୟଙ୍କୁ ନିଯୁକ୍ତି ପାଇଁ ମନୋନୀତ କରିବାର ସୁଯୋଗ ମଧ୍ୟ ରହିଛି। ଯଦି ମୃତ କର୍ମଚାରୀଙ୍କ ପତି କିମ୍ବା ପତ୍ନୀଙ୍କ ବୟସ ୫୦ ବର୍ଷରୁ ଅଧିକ ହୋଇଥାଏ, ସେ ନିଯୁକ୍ତି ଗ୍ରହଣ କରିବାକୁ ଅନିଚ୍ଛୁକ ଥାଆନ୍ତି କିମ୍ବା ଚିକିତ୍ସା ବୋର୍ଡ ଦ୍ୱାରା ଅଯୋଗ୍ୟ ଘୋଷିତ ହୁଅନ୍ତି, ତେବେ ପରିବାରର ଅନ୍ୟ ଜଣେ ଯୋଗ୍ୟ ସଦସ୍ୟଙ୍କୁ ନିଯୁକ୍ତି ପାଇଁ ବିଚାର କରାଯାଇପାରିବ।
ଏଥିସହ ୨୦୨୦ର ପୁନର୍ବାସ ସହାୟତା ନିୟମାବଳୀ ଅନୁଯାୟୀ କେବଳ ୧୦୦ ପଏଂଟ ମୂଲ୍ୟାୟନ ଆଧାରରେ ପ୍ରତ୍ୟାଖ୍ୟାନ ହୋଇଥିବା ଏବଂ ବର୍ତମାନ ବିଚାରାଧୀନ ଥିବା ଆବେଦନଗୁଡ଼ିକର ପୁନଃବିଚାର ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।
ସରକାରଙ୍କ ମତରେ, ନୂତନ ନିୟମାବଳୀ ଲାଗୁ ହେବା ପରେ ଅନୁକମ୍ପାମୂଳକ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ବୃଦ୍ଧି ପାଇବା ସହ ପ୍ରକ୍ରିୟା ଅଧିକ ସରଳ ହେବ। ଏହା ଦ୍ୱାରା କାର୍ଯ୍ୟରତ ଅବସ୍ଥାରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ସେମାନଙ୍କ ପରିବାରକୁ ଶୀଘ୍ର ପୁନର୍ବାସ ସହାୟତା ଓ ନିଯୁକ୍ତି ସୁଯୋଗ ଯୋଗାଇ ଦେବା ସମ୍ଭବ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା