
ଗଂଜାମ, 13 ଅଗଷ୍ଟ (ହି.ସ.) ଜଣେ ପ୍ରସିଦ୍ଧ ପୂଜକଙ୍କ ସ୍ବପ୍ନାଦେଶ ବଳରେ ତତ୍ କାଳୀନ ପାଲୁର ରାଜାଙ୍କ ଦ୍ଵାରା ପ୍ରାୟ ତିନି ଶହ ବର୍ଷ ପୂର୍ବେ ପ୍ରତିଷ୍ଠା ଲାଭ କରିଥିବା ଗୋପାଳପୁର/ ଆଲି ପୁର ଅଞ୍ଚଳରେ ଥିବା ଏକ ପାହାଡିଆ ଗୁମ୍ଫା ମଧ୍ୟରେ ବିଜେ ସୁପ୍ରସିଦ୍ଧ ଗଙ୍ଗା ଚଣ୍ଡୀ ଠାକୁରାଣୀଙ୍କ ମନ୍ଦିର ପରିସରରେ ୧୯୭୪ ମସିହା ପୁରାତନ ଛାତ୍ର ସଂସଦର ଏକ ଆଲୋଚନା ସଭା ଓ ସପତ୍ନୀକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛାତ୍ର ସଂସଦ ସଭାପତି ଅକ୍ଷୟ କୁମାର ପଟ୍ଟନାୟକ, ଆବାହକ ନିରଞ୍ଜନ ମହାପାତ୍ର, ଉପଦେଷ୍ଟା ମହେନ୍ଦ୍ର ଅଗ୍ରୱାଲ ସାଧାରଣ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ, ସମ୍ପାଦକ ପ୍ରଶାନ୍ତ କୁମାର ଶତପଥୀ ଏବଂ କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ବେହେରା ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ପ୍ରଥମେ ଗଙ୍ଗା ଚଣ୍ଡୀ ଠାକୁରାଣୀ ଙ୍କୁ ପୂଜା ଅର୍ଚ୍ଚନା କରାଯାଇ ଆଲୋଚନା ଶୁଭାରମ୍ଭ କରାଯାଇଥିଲା। ପୁରୁଣା ବ୍ରହ୍ମପୁର ଅଞ୍ଚଳର ପ୍ରାୟତଃ ଆର୍ଥିକ ଅନଗ୍ରସର ଶ୍ରେଣୀ ପରିବାର ର ଛାତ୍ର ଛାତ୍ରୀ ମାନେ ପଢୁଥିବା ଏହି ଉଚ୍ଚ ବିଦ୍ୟାଳୟ ର ଚଳିତ ଶିକ୍ଷାବର୍ଷ ରେ ଉତ୍ତୀର୍ଣ୍ଣ ହାର ଶତପ୍ରତିଶତ ହୋଇଥିବା ରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
୨୦୨୫ ଶିକ୍ଷାବର୍ଷ ରେ ଉକ୍ତ ବିଦ୍ୟାଳୟର ଦଶମ ଶ୍ରେଣୀ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଆର୍ଥିକ ଦୁର୍ବଳ ପରିବାର ଜଣେ ଛାତ୍ରୀ ସୁଶ୍ରୀ ଟିନା ନାୟକଙ୍କୁ ଛାତ୍ର ସଂସଦ ତରଫରୁ ପ୍ରତ୍ୟେକ ମାସରେ ୧୦୦୦ ଟଙ୍କା ସହ ଅନ୍ୟାନ୍ୟ ସହୟତା ପ୍ରଦାନ କରାଯାଉଛି ସେହି ଭଳି ଚଳିତ ବର୍ଷ ମଧ୍ୟ ବିଦ୍ୟାଳୟ ର ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀ ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ସ୍ଥିର କରାଗଲା। ଏବଂ ବିଦ୍ୟାଳୟ ର ଉପର ମହଲା ଛାତରୁ ପଲସ୍ତରା ଛାଡ଼ି ତଳେ ପଡୁଥିବାରୁ ଭୟର ବାତାବରଣ ସୃଷ୍ଟି ହୋଇଛି ତେଣୁ ସେଠାରେ ଶିକ୍ଷାଦାନ କାର୍ଯ୍ୟକ୍ରମ ବନ୍ଦ ରଖାଯାଇଛି । ଏହାର ତୁରନ୍ତ ମରାମତି ପାଇଁ ସଂସଦ ତରଫରୁ ପତ୍ର ମାଧ୍ୟମରେ ବିଭାଗୀୟ କର୍ତ୍ତୃପକ୍ଷ ଏବଂ ବ୍ରହ୍ମପୁର ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସ୍ଥିର କରାଗଲା। ଏବଂ ଜିଲ୍ଲା ସ୍ତରରେ ଗଠିତ ହୋଇଥିବା ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର କମିଟି ସହ ଯୋଗାଯୋଗ କରିବାକୁ ମଧ୍ୟ ସ୍ଥିର କରାଗଲା । ଏହି କାର୍ଯ୍ୟକ୍ରମରେ ଛାତ୍ର ସଂସଦ ସଦସ୍ୟ ସନ୍ୟାସୀ ନାୟକ, ବିଜୟ କୁମାର ମହାପାତ୍ର, ଏଲ. ନାଗେଶ୍ଵର ପାତ୍ର, ସୀମାଞ୍ଚଳ ସାହୁ, ମୋହନ ରାଉତ, ନାରାୟଣ ସାହୁ, ଲକ୍ଷ୍ମଣ ରାଓ ଆଚାରୀ ପ୍ରମୁଖ ସପତ୍ନୀକ ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ