
ନୂଆଦିଲ୍ଲୀ, ଅଗଷ୍ଟ ୨ (ହି.ସ.) - ଭାରତର ଅଧ୍ୟକ୍ଷତାରେ ଅଗଷ୍ଟ ୩ରୁ ୪ ତାରିଖ ପର୍ଯ୍ୟନ୍ତ ଲକ୍ଷ୍ନୌରେ ବ୍ରିକ୍ସ୍ ରାଷ୍ଟ୍ରଗୁଡ଼ିକର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍. ଏସ୍. ଓ.) ର ମୁଖ୍ୟମାନଙ୍କ ଏକ ବୈଠକ ଅନୁଷ୍ଠିତ ହେବ। ପରିବର୍ତନର ଚାଳକ: ଗୁଣାତ୍ମକ ପରିସଂଖ୍ୟାନ ଶୀର୍ଷକ ଏହି ବୈଠକରେ ପରିସଂଖ୍ୟାନ ଉତ୍ପାଦକୁ ସୁଦୃଢ଼ କରିବା, ଜାତୀୟ ପରିସଂଖ୍ୟାନ ବ୍ୟବସ୍ଥାରେ ଉନ୍ନତି ଆଣିବା, ତଥ୍ୟ ପ୍ରସାର ଏବଂ ଉପଲବ୍ଧତା ବୃଦ୍ଧି କରିବା ଏବଂ ବୃହତ-ଅର୍ଥନୈତିକ ତଥା କ୍ଷେତ୍ରୀୟ ପରିସଂଖ୍ୟାନକୁ ସୁଦୃଢ଼ କରିବା ଉପରେ ଆଲୋଚନା କରାଯିବ।
କେନ୍ଦ୍ର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ କହିଛି ଯେ ଭାରତର ୨୦୨୬ ବ୍ରିକ୍ସ୍ ପ୍ରେସିଡେନ୍ସିର ବ୍ୟାପକ ବିଷୟବସ୍ତୁ ହେଉଛି ସ୍ଥିତିସ୍ଥାପକତା, ନବସୃଜନ, ସହଯୋଗ ଏବଂ ସ୍ଥିରତା ନିର୍ମାଣ। ସେହିପରି ପରିସଂଖ୍ୟାନ କ୍ଷେତ୍ରରେ ଭାରତ ତଥ୍ୟର ଗୁଣବତା, ନବସୃଜନ, ଫଳପ୍ରଦ ପ୍ରସାର ଏବଂ ଜନ କୈନ୍ଦ୍ରିକ ପରିସଂଖ୍ୟାନ ପ୍ରଣାଳୀ ଉପରେ ଗୁରୁତ୍ୱ ଦେଇଛି, ଗୁଣାତ୍ମକ ତଥ୍ୟକୁ ପରିବର୍ତନର ବାହକ ଭାବେ ସ୍ୱୀକୃତି ଦେଇଛି।
ଏହି ବୈଠକରେ ବ୍ରାଜିଲ, ରୁଷ, ଚୀନ, ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ୍ର ପ୍ରତିନିଧିମାନେ ଯୋଗଦେବେ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ