
ଲକ୍ଷ୍ନୌ, ୨ ଅଗଷ୍ଟ (ହି.ସ.)- ବହୁଜନ ସମାଜ ପାର୍ଟି (ବିଏସପି) ର ରାଷ୍ଟ୍ରୀୟ ଅଧ୍ୟକ୍ଷା ମାୟାବତୀ ପୂର୍ବତନ ରାଜ୍ୟସଭା ସଦସ୍ୟ ଅଶୋକ ସିଦ୍ଧାର୍ଥ ଏବଂ ଦଳର ସଂଯୋଜକ ରଣଧୀର ସିଂ ବେନିୱାଲଙ୍କୁ ଅନୁଶାସନହୀନତା ଏବଂ ଦଳର ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିଥିବା ଅଭିଯୋଗରେ ତୁରନ୍ତ ପ୍ରଭାବରୁ ଦଳରୁ ବହିଷ୍କାର କରିଛନ୍ତି । ଅଶୋକ ସିଦ୍ଧାର୍ଥ ବିଏସପି ମୁଖ୍ୟ ମାୟାବତୀଙ୍କ ଘନିଷ୍ଠ ସହଯୋଗୀ ଏବଂ ଦଳର ବରିଷ୍ଠ ନେତା ଆକାଶ ଆନନ୍ଦଙ୍କ ଶ୍ୱଶୁର ।
ରବିବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ରେ ଜାରି କରିଥିବା ପୋଷ୍ଟରେ ମାୟାବତୀ କହିଛନ୍ତି ଯେ, ଅଶୋକ ସିଦ୍ଧାର୍ଥଙ୍କୁ ପୂର୍ବରୁ ଅନୁଶାସନହୀନତା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମୟରେ ଟିକେଟ୍ ବଂଟନ ପ୍ରସଙ୍ଗରେ ରାଜ୍ୟ ନେତୃତ୍ୱ ସହିତ ସମନ୍ୱୟ ରକ୍ଷା କରିପାରିନଥିବାରୁ ଦଳରୁ ବହିଷ୍କାର କରାଯାଇଥିଲା । ପରେ ତାଙ୍କୁ ଏହି ସର୍ତରେ ଦଳରେ ପୁନଃ ସାମିଲ୍ କରାଯାଇଥିଲା ଯେ ସେ ଭବିଷ୍ୟତରେ ଏପରି ଭୁଲ୍ କରିବେ ନାହିଁ ।
ମାୟାବତୀଙ୍କ କହିବା ଅନୁଯାୟୀ, ପୁଣିଥରେ ଦାୟିତ୍ୱ ପାଇବା ପରେ ମଧ୍ୟ ଅଶୋକ ସିଦ୍ଧାର୍ଥ ତାଙ୍କ ଦାୟିତ୍ୱକୁ ଆଶାନୁରୂପ ଭାବେ ନିର୍ବାହ କରିପାରିନଥିଲେ । ସେ କହିଛନ୍ତି ଯେ, କର୍ଣ୍ଣାଟକ ବ୍ୟତୀତ ଓଡ଼ିଶା ଏବଂ ପଶ୍ଚିମବଙ୍ଗରୁ ମଧ୍ୟ ତାଙ୍କ ବିରୋଧରେ ଅନୁଶାସନହୀନତା ଏବଂ ଦଳର ନିର୍ଦ୍ଦେଶାବଳୀକୁ ଅବମାନନା ଅଭିଯୋଗ ଆସିଛି । ଅନେକ ଥର ଚେତାବନୀ ଦିଆଯିବା ସତ୍ୱେ ତାଙ୍କ କାର୍ଯ୍ୟକଳାପରେ କୌଣସି ସୁଧାର ପରିଲକ୍ଷିତ ନହେବାରୁ ଦଳ ଏବଂ ଆନ୍ଦୋଳନର ସ୍ୱାର୍ଥରେ ତାଙ୍କୁ ସ୍ଥାୟୀ ଭାବରେ ବହିଷ୍କାର କରିବାକୁ ନିଷ୍ପତି ନିଆଯାଇଛି । ଭବିଷ୍ୟତରେ ତାଙ୍କୁ ଆଉ ଦଳରେ ସାମିଲ୍ କରାଯିବ ନାହିଁ ବୋଲି ମାୟାବତୀ ସ୍ପଷ୍ଟ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ