
ଝାରସୁଗୁଡ଼ା, ୨୭ ଅଗଷ୍ଟ (ହି.ସ.) : ଗ୍ରାମାଞ୍ଚଳର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ତଥା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ଯୁବପିଢିଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କ୍ରମରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଅର୍ଦ୍ଦା ଗ୍ରାମ ଗସ୍ତ କରି ଏକ ଆବାସିକ ଟେଲରିଂ ତାଲିମ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିଛନ୍ତି। ଅର୍ଦ୍ଦା ପ୍ରାଥମିକ ବିଦ୍ୟାଳୟର ପରିତ୍ୟକ୍ତ ଗୃହକୁ ପୁନରୁଦ୍ଧାର କରି ଏହି ତାଲିମ କେନ୍ଦ୍ରରେ ରୂପାନ୍ତରିତ କରିବା ପାଇଁ ଯୋଜନା ରହିଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏବଂ ଆଦିତ୍ୟ ବିର୍ଲା ଗ୍ରୁପର ସାମାଜିକ ଦାୟିତ୍ୱବୋଧ ସହଭାଗିତାରେ ପରିଚାଳିତ ହେବାକୁ ଥିବା ଏହି କେନ୍ଦ୍ର ମାଧ୍ୟମରେ ମୁଖ୍ୟତଃ ସ୍ଥାନୀୟ ମହିଳା ଓ ଏସଏଚଜି ସଦସ୍ୟାମାନଙ୍କୁ ଉନ୍ନତମାନର ବୃତ୍ତିଗତ ସିଲେଇ ତାଲିମ ଦିଆଯିବ। ପ୍ରଶିକ୍ଷଣ ପରେ ପ୍ରତିବର୍ଷ ପ୍ରାୟ ୧୨୦ ଜଣ ଆଶାୟୀଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦିଆଯିବ, ଯାହା ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାଧୀନ କରିବାରେ ବଡ଼ ଭୂମିକା ଗ୍ରହଣ କରିବ। ପରିଦର୍ଶନ କାଳରେ ଜିଲ୍ଲାପାଳ ପରିତ୍ୟକ୍ତ ବିଦ୍ୟାଳୟ ପରିସରର ସ୍ଥିତି ଯାଞ୍ଚ କରିବା ସହ ଭିତ୍ତିଭୂମି ବିକାଶ ଓ ଆବାସିକ ସୁବିଧା ନିମନ୍ତେ ତୁରନ୍ତ ଏକ ବିସ୍ତୃତ ଆକଳନ ଏବଂ ବ୍ଲୁ-ପ୍ରିଣ୍ଟ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନା କାର୍ଯ୍ୟକାରୀ ହେଲେ ଗ୍ରାମାଞ୍ଚଳ ମହିଳାଙ୍କ ଦକ୍ଷତା ବୃଦ୍ଧି ସହ ସେମାନଙ୍କ ଜୀବନଜୀବିକାରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିପାରିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ