
ଭୁବନେଶ୍ବର , 28 ଅଗଷ୍ଟ (ହି.ସ.)- ସମଗ୍ର ରାଜ୍ୟରେ ବନ୍ୟାର ସ୍ଥାୟୀ ପ୍ରତିକାର, ବାଛ ବିଚାର ନ କରି ସମସ୍ତଙ୍କୁ ରିଲିଫ ପ୍ରଦାନ, ମାଗଣାରେ ବିହନ, ସାର, ଔଷଧ ସହ ଋଣ ଯୋଗାଇଦେବା, ରାସନ ହେରାଫେରି ବିରୁଦ୍ଧରେ ଭାରତୀୟ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଭୁବନେଶ୍ୱରସ୍ଥିତ ରାଜମହଲ ଛକଠାରେ ବିକେଏମ୍ୟୁର ରାଜ୍ୟ ସାଧାରଣ ସମ୍ପାଦକ ସୁର ଜେନାଙ୍କ ନେତୃତ୍ୱରେ ରାସ୍ତାରୋକୋ ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି ।
ଶତାଧିକ ବିକେଏମ୍ୟୁ କର୍ମୀ ହାତରେ ପ୍ଲାକାର୍ଡ, ଫେଷ୍ଟୁନ ସହ ବିଭିନ୍ନ ସ୍ଲୋଗାନ ଦେଇ ଭଗବତୀ ଭବନଠାରୁ ବାହାରି ରାଜମହଲ ଛକଠାରେ ପହଞ୍ଚô ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଠାରେ ଉପସ୍ଥିତ ଜନସାଧାରଣ ଓ କର୍ମୀମାନଙ୍କୁ ଶ୍ରୀ ଜେନା ଉଦ୍ବୋଧନ ଦେଇ ସରକାର ଯୁଦ୍ଧକାଳୀନ ଭିତ୍ତିରେ ବନ୍ୟା ବିପନ୍ନଙ୍କ ପାଖରେ ରିଲିଫ ପହଞ୍ଚାଇବା, ଚାଷୀମାନଙ୍କୁ ମାଗଣା ସାର, ବିହନ, ଔଷଧ ଓ ଋଣ ଯୋଗାଇଦେବା, ବାଛ ବିଚାର ନ କରି ମାନବିକତା ଦେଖାଇ ରାସନ ସାମଗ୍ରୀ ସମସ୍ତଙ୍କୁ ଯୋଗାଇଦେବା, ସାପ କାମୁଡ଼ାରେ ମୃତକଙ୍କ ପରିବାରଙ୍କୁ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇଦେବା, ଗୃହପାଳିତ ପଶୁମାନଙ୍କୁ ଖାଦ୍ୟ ଓ ଔଷଧ ଯୋଗାଇଦେବା, ତୁରନ୍ତ ନଦୀବନ୍ଧର ଘାଇ ମରାମତି କରିବା, କୃଷି ଋଣ ଛାଡ଼ କରିବା, ସ୍କୁଲ, କଲେଜ ଛାତ୍ରୀଛାତ୍ରମାନଙ୍କୁ ସମସ୍ତ ଫି ଛାଡ଼ କରିବାକୁ ଦାବି କରିଥିଲେ । ସରକାର ହୀରାକୁଦ ଡ୍ୟାମର ବନ୍ୟାଜଳ ପରିଚାଳନାରେ ଭୁଲ୍ ନିଷ୍ପତ୍ତି ନେବା, ବାରମ୍ବାର ପାଣିପାଗ ବିଭାଗ ସତର୍କ ସୂଚନା ଦେଉଥିଲେ ମଧ୍ୟ ସରକାର ଓ ପ୍ରଶାସନ ସତର୍କ ନ ହେବା, ଦୁର୍ବଳ ନଦୀବନ୍ଧ ବର୍ଷା ପୂର୍ବରୁ ମରାମତି ନ କରିବା ଓ ରିଲିଫ ସାମଗ୍ରୀ ଭୁଲ୍ ପରିଚାଳନା ଯୋଗୁ ଆଜି ବନ୍ୟା ବିପନ୍ନମାନେ ଯେଉଁ ଦୁର୍ଦ୍ଦଶା ଭୋଗୁଛନ୍ତି ଏଥିପାଇଁ ସରକାର ସମ୍ପୂର୍ଣ୍ଣ ଦାୟୀ ବୋଲି ଶ୍ରୀ ଜେନା ଉଦ୍ବେଗ ପ୍ରକାଶ କରିଥିଲେ ।
ଆଜିର ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ଜୋନ ସମ୍ପାଦକ କୈଳାସ ପୁହାଣ, କ୍ଷେତ ମଜଦୁର ନେତା ଶଙ୍କର୍ଷଣ ବାରିକ, ଛେତମ୍ବର ଭୋଇ, ଶରତ ସ୍ୱାଇଁ, ଅଭୟ ବାରିକ, ରାଧାକାନ୍ତ ଶତପଥୀ, ଦେବେନ୍ଦ୍ର ସାହୁ, ଦୁଃଖିଶ୍ୟାମ ବେହେରା ପ୍ରମୁଖ ବିକ୍ଷୋଭର ନେତୃତ୍ୱ ନେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା