
ଭୁବନେଶ୍ବର , 28 ଅଗଷ୍ଟ (ହି.ସ.) - ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ଭଳି ଏକ କଳା ଆଇନକୁ ବିନା ଆଲୋଚନାରେ ପାର୍ଲ୍ୟାମେଣ୍ଟରେ ପାରିତ କରାଯାଇଛି। ଯାହାକି ଓଡ଼ିଶାର ଅନେକ କ୍ଷତି କରୁଛି। ଏନେଇ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ବିଜେଡି ପକ୍ଷରୁ ପୁଣି ଦାବି ହୋଇଛି।
ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ତଥା ସାଧାରଣ ସମ୍ପାଦକ ଶ୍ରୀ ସାରଦା ପ୍ରସନ୍ନ ଜେନା କହିଛନ୍ତି ଯେ, ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ଦ୍ୱାରା ଓଡିଶାବାସୀଙ୍କ ହକକୁ କେନ୍ଦ୍ର ସରକାର ଛଡ଼ାଇ ନେଇଛନ୍ତି। ଡବଲ ଇଞ୍ଜିନ ସରକାର ପାଲ୍ୟମେଣ୍ଟରେ ବିନା ଆଲୋଚନାରେ ଏହାକୁ ପାରିତ କରାଇଛନ୍ତି। ଯାହାକୁ ନେଇ ଓଡ଼ିଶା ବିଧାନସଭାରେ ଆଲୋଚନା ଆବଶ୍ୟକ ଅଟେ। ତେଣୁକରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ମୂଖ୍ୟମନ୍ତ୍ରୀଙ୍କୁ ପତ୍ର ଯୋଗେ ଜଣାଇଥିଲେ। କିନ୍ତୁ ଉକ୍ତ ପ୍ରସଙ୍ଗରେ ରାଜ୍ୟ ସରକାର ପ୍ରତିକ୍ରିୟା ଶୂନ୍ୟ ରହିଛନ୍ତି। ଏ ବାବଦରେ ଆଲୋଚନା କରିବାକୁ ବିଜେଡି ପକ୍ଷରୁ ପୁଣି ଦାବି ଉପସ୍ଥାପନ କରାଯାଇଛି। ଓଡିଆ ଅସ୍ମିତାର ଦ୍ୱାହି ଦେଉଥିବା ବିଜେପି ସରକାରରେ ସବୁବେଳେ ଓଡ଼ିଶାର ସ୍ୱାର୍ଥ ହାନି ହୋଇଛି। କେନ୍ଦ୍ର ସରକାର ରାଜ୍ୟର ହକ୍ ଛଡାଇ ନେଉଥିବା ବେଳେ ରାଜ୍ୟ ସରକାର ଚୁପ୍ ରହିଛନ୍ତି। ରତ୍ନଗର୍ଭା ଓଡ଼ିଶାର ଖଣିଜ ସମ୍ପଦ ଉପରେ ଡବଲ ଇଞ୍ଜିନ ସରକାରଙ୍କ ଲୋଲୁପ ଦୃଷ୍ଟି ପଡିଛି। ଯାହାକୁ ନେଇ ଉକ୍ତ କଳା ଆଇନ ଲାଗୁ କରିଛନ୍ତି। ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ପୁର୍ବରୁ ଲଢେଇ କରିଛି। ଆଗକୁ ମଧ୍ୟ ଏନେଇ ଲଢେଇ ଜାରି ରଖିବ ବୋଲି କହିଛନ୍ତି। ସମସ୍ତ ବିରୋଧି ଦଳ, ବୁଦ୍ଧିଜୀବୀ, ଜନସାଧାରଣ ଏକତ୍ରିତ ହୋଇ ରାଜ୍ୟର ସ୍ଵାର୍ଥ ପାଇଁ ଲଢେଇ କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆହ୍ୱାନ ଜଣାଇଛନ୍ତି।
ସେହିପରି ମୁଖପାତ୍ର ଶ୍ରୀ ତୁମ୍ବନାଥ ପଣ୍ଡା କହିଛନ୍ତି ଯେ, ଡବଲ ଇଞ୍ଜିନ ସରକାରରେ ରାଜ୍ୟର ବିକାଶ ହେବା ବଦଳରେ ଡବଲ କ୍ଷତି ହେବାରେ ଲାଗିଛି। ପୂର୍ବରୁ କେନ୍ଦ୍ରୀୟ ଅନୁଦାନକୁ କେନ୍ଦ୍ର ସରକାର ପ୍ରତି ବର୍ଷ କାଟିବାରେ ଲାଗିଥିଲେ। ବର୍ତ୍ତମାନ ସମୟରେ ରାଜ୍ୟର ରାଜସ୍ୱକୁ କେନ୍ଦ୍ର ସରକାର ହଡ଼ପ କରିବାକୁ ଯୋଜନା କରୁଛନ୍ତି। ଏମଏମଡିଆର ଆକ୍ଟ ଜରିଆରେ ରାଜ୍ୟର ହକକୁ କେନ୍ଦ୍ର ସରକାର ଛଡାଇ ନେଇଛନ୍ତି। ଓଡିଶାର ଆଶା ଓ ଆକାଂକ୍ଷାକୁ ଡବଲ ଇଞ୍ଜିନ ସରକାର ଧୂଳିସାତ୍ କରିଛନ୍ତି। ଏନେଇ ବିଜେଡି ପକ୍ଷରୁ ଲଢେଇ ଜାରି ରହିବ ବୋଲି କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା