
ନୂଆଦିଲ୍ଲୀ, ୨୮ ଅଗଷ୍ଟ(ହି.ସ.) – ନେପାଳରେ ଏକ ବିଶାଳ ଗ୍ଲେସିୟର ବିସ୍ଫୋରଣ ଦ୍ୱାରା ସୃଷ୍ଟି ହୋଇଥିବା ବିଧ୍ୱଂସୀ ବନ୍ୟା ଦ୍ୱାରା ହୋଇଥିବା ବିପର୍ଯ୍ୟୟର ମୁକାବିଲା ପାଇଁ ଭାରତୀୟ ବାୟୁସେନା ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ବିପର୍ଯ୍ୟୟର କିଛି ଘଂଟା ପରେ, ବାୟୁସେନା ଏକ ସି-୧୩୦ଜେ ବିମାନରେ ନେପାଳକୁ ଔଷଧ, ଅସ୍ଥାୟୀ ଆଶ୍ରୟସ୍ଥଳ, କମ୍ବଳ ଏବଂ ସ୍ୱଚ୍ଛତା କିଟ୍ ସମେତ ୧୦ ଟନ୍ ଅତ୍ୟାବଶ୍ୟକ ରିଲିଫ ସାମଗ୍ରୀ ପଠାଇଥିଲା। ବାୟୁସେନାର ସି-୧୭ ଗ୍ଲୋବମାଷ୍ଟର ବିମାନ ଦ୍ୱିତୀୟ ସାମଗ୍ରୀ ନେଇ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରିଥିଲା, ଯେଉଁଥିରେ ଟନ ଟନ ଅତିରିକ୍ତ ରିଲିଫ ସାମଗ୍ରୀ(ଖାଦ୍ୟ ପ୍ୟାକେଟ୍ ଏବଂ ଅତ୍ୟାବଶ୍ୟକ ଔଷଧ) ରହିଥିଲା। ଭାରତ ଏପର୍ଯ୍ୟନ୍ତ ନେପାଳକୁ ମୋଟ ୪୭,୫ ଟନ୍ ରିଲିଫ ସାମଗ୍ରୀ ପଠାଇଛି।
ନେପାଳରେ ଆକସ୍ମିକ ବନ୍ୟା କାରଣରୁ ରିଲିଫ କାର୍ଯ୍ୟ ପାଇଁ ବାୟୁସେନା ନିଜର ପରିବହନ ବିମାନକୁ ପ୍ରସ୍ତୁତ ରଖିଛି। ଏଥିରେ ସି-୧୭, ସି-୧୩୦ଜେ ଏବଂ ସି-୨୯୫ ବିମାନ ରହିଛି। ଆଜି ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ଏକ ସି-୧୩୦ଜେ ପରିବହନ ବିମାନ ରିଲିଫ ସାମଗ୍ରୀ ନେଇ ନେପାଳ ଅଭିମୁଖେ ଉଡ଼ାଣ କରିବ। ନେପାଳୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବାୟୁସେନାର ଏମ୍. ଆଇ.-୧୭ ହେଲିକପ୍ଟର ମଧ୍ୟ ଦିନରାତି ଉଡ଼ାଣ କରୁଛି। ହିନ୍ଦୋନ ବାୟୁସେନା ଷ୍ଟେସନରୁ ନେପାଳକୁ ରିଲିଫ ସାମଗ୍ରୀ ନେଇ ବିମାନ ଚଳାଚଳ କରୁଛି।
ଷ୍ଟେସନର ଏ.ଓ.ସି. ଏୟାର କମୋଡୋର ଆର ଡୋଭାଲ କହିଛନ୍ତି, ଏଭଳି ଜରୁରୀକାଳୀନ ପରିସ୍ଥିତି ପାଇଁ ଆମେ ସର୍ବଦା ପ୍ରସ୍ତୁତ। ତେଣୁ ଆମେ ତୁରନ୍ତ ଏକ ସି-୧୩୦ଜେ ହରକିଉଲିସ ବିମାନ ପ୍ରସ୍ତୁତ କଲୁ। ଆମେ ଏହାକୁ ରିଲିଫ ସାମଗ୍ରୀ, ଔଷଧ ଏବଂ ଜେନେରେଟରରେ ଭର୍ତି କରିଥିଲୁ। ବେସାମରିକ କର୍ତୃପକ୍ଷ ଏବଂ ଏନ୍.ଡି.ଆର୍.ଏଫ୍. ସହାୟତାରେ ଏହି ଅପରେସନ ଆରମ୍ଭ କରାଯାଇଥିଲା। ବିମାନଟି ରାତି ପ୍ରାୟ ୧୧ଟାରେ ଉଡ଼ାଣ ଆରମ୍ଭ କରିଥିଲା ଏବଂ ପ୍ରାୟ ୧୦ ଟନ୍ ମାଲ ପରିବହନ କରି ଦୁଇ ଘଂଟା ମଧ୍ୟରେ ନେପାଳରେ ଅବତରଣ କରିଥିଲା। ସେହି ଦ୍ୱିତୀୟ ଉଡ଼ାଣରେ, ସି-୧୭ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ନେପାଳ ପାଇଁ ଟନ ଟନ ମାନବୀୟ ସହାୟତା ଏବଂ ବିପର୍ଯ୍ୟୟ ରିଲିଫ ସାମଗ୍ରୀ, ଔଷଧ ଏବଂ ଖାଦ୍ୟ ପ୍ୟାକେଟ୍ ପରିବହନ କରିଥିଲା।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି