
ଜୟପୁର, ୨୮ ଅଗଷ୍ଟ (ହି.ସ.)- ରାଜସ୍ଥାନ ହାଇକୋର୍ଟ ନାରାୟଣ ସିଂହ ସର୍କିଲ ବସ ଷ୍ଟାଣ୍ଡରୁ ରୋଡୱେଜ ବସ ଚଳାଚଳ ବନ୍ଦ କରିବା ସହ ଜଡ଼ିତ ମାମଲାରେ ପରିବହନ ସଚିବଙ୍କଠାରୁ ୭ ସେପ୍େଟମ୍ବର ସୁଦ୍ଧା ତଥ୍ୟାତ୍ମକ ରିପୋର୍ଟ ମାଗିଛନ୍ତି। ଅଦାଲତ ପରିବହନ ସଚିବଙ୍କୁ କହିଛନ୍ତି ଯେ ସେ ମାମଲାରେ ଆରଏସଆରଟିସିର ଆଭିମୁଖ୍ୟକୁ ମଧ୍ୟ ଦେଖନ୍ତୁ। ସେହିପରି ଅନ୍ୟପଟେ ଅଦାଲତ ମ୍ୟୁଜିୟମ ରୋଡରେ ଡମ୍ପିଂ ୟାର୍ଡକୁ ନେଇ ନଗର ନିଗମର ସମ୍ପୃକ୍ତ ଜୋନ ଉପାୟୁକ୍ତଙ୍କୁ ଉପସ୍ଥିତ ହୋଇ କହିବାକୁ କହିଛନ୍ତି ଯେ ଏପର୍ଯ୍ୟନ୍ତ ଏଠାରେ ଡମ୍ପିଂ ୟାର୍ଡ କିପରି ଜାରି ରହିଛି। ଜଷ୍ଟିସ ଇନ୍ଦ୍ରଜିତ ସିଂହ ଏବଂ ଜଷ୍ଟିସ ସନ୍ଦୀପ ତନେଜାଙ୍କ ଖଣ୍ଡପୀଠ ଏହି ଆଦେଶ ସ୍ୱପ୍ରେରିତ ପ୍ରସଂଜ୍ଞାନ ଯାଚିକାରେ ନାରାୟଣ ସିଂହ ସର୍କିଲ ବସ ଷ୍ଟାଣ୍ଡକୁ ପୁନଃ: ଚାଲୁ କରିବା ସମ୍ପର୍କରେ ଦାଖଲ ପ୍ରାର୍ଥନାପତ୍ର ଉପରେ ଶୁଣାଣି କରିବା ସମୟରେ ଦେଇଛନ୍ତି।
ଶୁଣାଣି ସମୟରେ ନ୍ୟାୟମିତ୍ର ବିମଳ ଚୌଧୁରୀ ନାରାୟଣ ସିଂହ ସର୍କିଲରୁ ବସ ଚଳାଚଳ ବନ୍ଦ କରିବା ସମ୍ପର୍କରେ ଜାରି ୨୬ ମାର୍ଚ୍ଚ, ୨୦୨୫ର ଅଧିସୂଚନା ଏବଂ ଆରଟିଓ ପ୍ରଥମଙ୍କ ପକ୍ଷରୁ ରୋଡୱେଜ ପ୍ରଶାସନକୁ ଦିଆଯାଇଥିବା ପତ୍ରର ସୂଚନା ଦେଇଥିଲେ। ନ୍ୟାୟମିତ୍ରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଏହି ବସ ଷ୍ଟାଣ୍ଡ ସହରର ମଧ୍ୟଭାଗରେ ଅବସ୍ଥିତ ଏବଂ ଏଠାରୁ ରାଜସ୍ଥାନ ହାଇକୋର୍ଟ, ସୱାଇ ମାନସିଂହ ହସ୍ପିଟାଲ, ଏବଂ ପ୍ରମୁଖ ଶିକ୍ଷାନୁଷ୍ଠାନ ସମେତ ଅନ୍ୟ ସରକାରୀ କାର୍ଯ୍ୟାଳୟଗୁଡ଼ିକ ବହୁତ ନିକଟରେ ଅଛି। ଏହାକୁ ବନ୍ଦ କରାଯିବାରୁ ସାଧାରଣ ଲୋକଙ୍କୁ ବ୍ୟାପକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏପରି ସ୍ଥିତିରେ ଏଠାରୁ ବସ ଷ୍ଟାଣ୍ଡ ହଟାଇବା ନିଷ୍ପତି ଉପରେ ପୁନଃବିଚାର କରାଯାଉ। ସେହିପରି ରୋଡୱେଜ ପକ୍ଷରୁ କୁହାଯାଇଥିଲା ଯେ ରାଜ୍ୟ ସରକାର ଏବଂ ଆରଟିଓଙ୍କ ଏହି ନିଷ୍ପତି କାରଣରୁ ରୋଡୱେଜ ନିଗମକୁ ବ୍ୟାପକ ଆର୍ôଥକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଛି। ଏହା ସହିତ ନ୍ୟାୟମିତ୍ର କହିଥିଲେ ଯେ ମ୍ୟୁଜିୟମ ରୋଡରେ ଏବେ ମଧ୍ୟ ଡମ୍ପିଂ ୟାର୍ଡ ରହିଛି ଏବଂ ଏଠାରେ ମୃତ ପଶୁମାନଙ୍କ ଅବଶେଷ ପକାଯାଉଛି। ଏହା ଉପରେ ଅଦାଲତ ସମ୍ପୃକ୍ତ ଜୋନ ଉପାୟୁକ୍ତଙ୍କୁ ଆଗାମୀ ଶୁଣାଣିରେ ଉପସ୍ଥିତ ହେବାକୁ କହିଛନ୍ତି।
---------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ