ସର୍ବସାଧାରଣରେ ହିଂସାତ୍ମକ ଆଚରଣ ଯୋଗୁଁ ଜୁଏଲ ଓରାମ ଇସ୍ତଫା ଦିଅନ୍ତୁ : ଭକ୍ତ
ଭୁବନେଶ୍ୱର , ୨୮ ଅଗଷ୍ଟ (ହି.ସ.)- ରାଉରକେଲା ସର୍କିଟ୍ ହାଉସର ଅଭାବନୀୟ ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଅଶାଳୀନ ମନ୍ତବ୍ୟ ତାଙ୍କର ଓ ତାଙ୍କ ଡବଲ-ଇଂଜିନ ସରକାରଙ୍କ ହତାଶାବୋଧକୁ ସୂଚାଏ। ଏହା ମଧ୍ୟ ବିଜେପିର ଫାସୀବାଦୀ ଚିନ୍ତାଧାରର ପରିପ୍ରକାଶ ବୋଲି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ
Bhakta Charan Das (File Photo)


ଭୁବନେଶ୍ୱର , ୨୮ ଅଗଷ୍ଟ (ହି.ସ.)- ରାଉରକେଲା ସର୍କିଟ୍ ହାଉସର ଅଭାବନୀୟ ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଅଶାଳୀନ ମନ୍ତବ୍ୟ ତାଙ୍କର ଓ ତାଙ୍କ ଡବଲ-ଇଂଜିନ ସରକାରଙ୍କ ହତାଶାବୋଧକୁ ସୂଚାଏ। ଏହା ମଧ୍ୟ ବିଜେପିର ଫାସୀବାଦୀ ଚିନ୍ତାଧାରର ପରିପ୍ରକାଶ ବୋଲି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏକ ପ୍ରେସ ବିବୃତି କହିଛନ୍ତି। ଯଦି ରାଉରକେଲା ଘଟଣାରେ ତାଙ୍କର ସଂପୃକ୍ତି ନାହିଁ, ତାହା ତଦନ୍ତ ହେଲେ ଜଣାପଡ଼ିବ। କେନ୍ଦ୍ରମନ୍ତ୍ରୀ ଅତ୍ୟନ୍ତ ବ୍ୟସ୍ତବିବ୍ରତ ହୋଇ ଗୁଣ୍ଡାଙ୍କ ଭଳି ଧମକଚମକ ଦେଇ ଆଇନକୁ ତା’ବାଟରେ ଯିବାକୁ ଦେଉନାହାନ୍ତି। ଏତେବର୍ଷ ଧରି କେନ୍ଦ୍ରରେ ଜଣେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ରହିଆସିଥିବା ବେଳେ ତାଙ୍କ ସ୍ତରର ଜଣେ ରାଜନେତା ‘‘ମୋତେ ଯିଏ ବଦନାମ କରିବ, ତା’ ହାତ କାଟି ଫିଙ୍ଗିଦେବାର ସାମର୍ଥ୍ୟ ମୋର ରହିଛି, ତାକୁ ଜାଳି ଫିଙ୍ଗିଦେବି’’ ଭଳି ଅତ୍ୟନ୍ତ ହିଂସାପୂର୍ଣ୍ଣ ଖୋଲା ଧମକ ଦେବା ଗ୍ରହଣୀୟ ନୁହେଁ। ସରକାରରେ ରହି ଏଭଳି ଖୋଲାଖୋଲି ହିଂସା ଆଚରଣ କରିବା ଆମ ଗଣତାନ୍ତ୍ରିକ ସମ୍ବିଧାନର ପରିପନ୍ଥୀ। ସାମ୍ବିଧାନିକ ବିଧିବ୍ୟବସ୍ଥାକୁ ଏଭଳି ଖୋଲା ହତ୍ୟା କରିଥିବାରୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ଦାସ କହିଛନ୍ତି। ଯଦି ସେ ଇସ୍ତଫା ନ ଦିଅନ୍ତି ତାଙ୍କୁ ମନ୍ତ୍ରିମଣ୍ଡଳରୁ ମୋଦୀ ବରଖାସ୍ତ କରିବାକୁ ସେ ଦାବି କରିଛନ୍ତି। ଯଦି ଶ୍ରୀ ଓରାମ ପ୍ରକୃତରେ ଆଦିବାସୀଙ୍କ ସ୍ୱାର୍ଥ ପାଇଁ ଚିନ୍ତିତ, ଓଡ଼ିଶାବାସୀ ବିଶେଷ କରି ଆଦିବାସୀଙ୍କ ସ୍ୱାର୍ଥ ବିରୋଧୀ ଏମଏମଡିଆର ସଂଶୋଧନ ବିଧେୟକ ଯେତେବେଳେ ସଂସଦରେ ମୋଦୀ ସରକାର ପାରିତ କରାଇନେଉଥିଲେ, ସେତେବେଳେ ଶ୍ରୀ ଓରାମ ଗର୍ଜନ କରିବା ଉଚିତ ଥିଲା। ତାହା ନ କରି ସେ ନିଜ କୃତକର୍ମ ପାଇଁ ଭୋଗିବାକୁ ଯାଉଥିବା ବେଳେ ଆଇନକୁ ସମ୍ମାନ ନ ଜଣାଇ ଓଲଟା ରାଜ୍ୟବାସୀଙ୍କ ଆଗରେ ଗର୍ଜନତର୍ଜନ କରିବା ହାସ୍ୟାସ୍ୱଦ ବୋଲି ଶ୍ରୀ ଦାସ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande