
ହାଇଦ୍ରାବାଦ, ଅଗଷ୍ଟ ୦୩ (ହି.ସ.) - ଦ୍ୱିତୀୟ ବ୍ରିକ୍ସ୍ ଦୁର୍ନୀତି ନିରୋଧୀ କାର୍ଯ୍ୟ ଗୋଷ୍ଠୀ (ଏସିଡବ୍ଲ୍ୟୁଜି) ଏବଂ ସମ୍ପତି ପୁନରୁଦ୍ଧାର ଉପରେ ବ୍ରିକ୍ସ୍ ବିଶେଷଜ୍ଞ ନେଟୱାର୍କ ବୈଠକ ଅଗଷ୍ଟ ୪ ଏବଂ ୫ ରେ ତେଲେଙ୍ଗାନାର ହାଇଦ୍ରାବାଦରେ ଅନୁଷ୍ଠିତ ହେଉଛି। ଭାରତ ସରକାରଙ୍କ କାର୍ମିକ ଏବଂ ତାଲିମ ବିଭାଗ ଦ୍ୱାରା ଏହାର ଆୟୋଜନ କରାଯାଉଛି।
ଏହି ବୈଠକ ଭାରତର ବ୍ରିକ୍ସ୍ ଅଧ୍ୟକ୍ଷତା ବିଷୟବସ୍ତୁ 'ସ୍ଥିତିସ୍ଥାପକତା, ନବସୃଜନ, ସହଯୋଗ ଏବଂ ସ୍ଥିରତା ନିର୍ମାଣ' ଆଧାରରେ ଅନୁଷ୍ଠିତ ହେଉଛି।
କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ମନ୍ତ୍ରଣାଳୟର ଏକ ବିଜ୍ଞପ୍ତି ଅନୁଯାୟୀ, ଏହି ବୈଠକକୁ କାର୍ମିକ ଏବଂ ତାଲିମ ବିଭାଗର ସଚିବ ରଚନା ଶାହା ଉଦଘାଟନ କରିବେ ଏବଂ ଏଥିରେ ବରିଷ୍ଠ ନୀତି ନିର୍ଦ୍ଧାରକ, ବିଶେଷଜ୍ଞ, ଅଭ୍ୟାସକାରୀ ଏବଂ ଦୁର୍ନୀତି ବିରୋଧୀ ପ୍ରତିନିଧି ଏବଂ ଆଇନ ପ୍ରବର୍ତନ ଏଜେନ୍ସି ତଥା ବ୍ରିକ୍ସ୍ ସଦସ୍ୟ ଦେଶ ଯୋଗଦେବେ ବୋଲି ଆଶା କରାଯାଉଛି।
ହାଇଦ୍ରାବାଦ ବୈଠକରେ, ବ୍ରିକ୍ସ୍ ସଦସ୍ୟମାନେ ସମ୍ପତି ପୁନରୁଦ୍ଧାର, ସୀମାପାର ଦୁର୍ନୀତିର ମୁକାବିଲା ଏବଂ ଶାସନରେ ସ୍ୱଚ୍ଛତା ଏବଂ ଉତରଦାୟିତ୍ୱ ବୃଦ୍ଧି ପାଇଁ ଆନ୍ତର୍ଜାତୀୟ ସହଯୋଗକୁ ମଜବୁତ କରିବା ଉପରେ ବିଚାର କରିବେ।
ଅନ୍ୟ ବିଷୟଗୁଡ଼ିକ ମଧ୍ୟରେ, ଆଲୋଚନାର ମୁଖ୍ୟ କେନ୍ଦ୍ରବିନ୍ଦୁ ହେବ ବ୍ୟବହାରିକ ସହଯୋଗକୁ ଆଗକୁ ବଢ଼ାଇବା ଏବଂ ଦୁର୍ନୀତି ମାମଲାରେ ପଳାତକ ଅପରାଧୀମାନଙ୍କୁ ଠାବ କରିବା ପାଇଁ ଅନୌପଚାରିକ ସହଯୋଗକୁ ସୁଦୃଢ଼ କରି ପ୍ରତ୍ୟର୍ପଣ ପ୍ରକ୍ରିୟାକୁ ସମର୍ଥନ କରିବା।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ