
ଭୁବନେଶ୍ୱର, 30 ଅଗଷ୍ଟ (ହି.ସ.): ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା
ଡମ୍ବରୁ ମାଝୀଙ୍କର ରବିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ବୟସଜନିତ ସ୍ୱାସ୍ଥ୍ୟ ସମସ୍ୟା
ଯୋଗୁଁ ସେ ନବରଙ୍ଗପୁର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେଠାରେ ରବିବାର ଭୋର
ପ୍ରାୟ ୫ଟା ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।
ଡମ୍ବରୁ ମାଝୀ ଏହି ଅଞ୍ଚଳର ପ୍ରମୁଖ ରାଜନୈତିକ ନେତାମାନଙ୍କ ମଧ୍ୟରୁ
ଜଣେ ଥିଲେ। ତାଙ୍କର ଦୀର୍ଘ ରାଜନୈତିକ ଜୀବନ କାଳରେ ୧୯୬୭ରୁ ୧୯୯୦ ମଧ୍ୟରେ ବିଭିନ୍ନ ସମୟରେ ସେ
ଓଡ଼ିଶା ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ଏବଂ ବିଭିନ୍ନ ବିଭାଗର ଦାୟିତ୍ୱ
ସମ୍ଭାଳିଥିଲେ।
ଡମ୍ବରୁ ମାଝୀ ପାଞ୍ଚ ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ସେ ୧୯୬୭, ୧୯୭୧ ଏବଂ ୧୯୮୫ରେ
ଡାବୁଗାଁ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରତିନିଧିତ୍ୱ କରିଥିବା ବେଳେ ୧୯୭୭ ଏବଂ ୧୯୮୦ରେ
କୋଣ୍ଡିଙ୍ଗା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
ଦଶନ୍ଧି ଧରି ଚାଲିଥିବା ତାଙ୍କର ରାଜନୈତିକ ଜୀବନରେ ମାଝୀ ଅବିଭକ୍ତ
ନବରଙ୍ଗପୁର ଅଞ୍ଚଳର ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ଏହି ଅଞ୍ଚଳର ଜଣେ
ପ୍ରମୁଖ ଜନନେତା ଭାବେ ସେ ନିଜର ପରିଚୟ ସୃଷ୍ଟି କରିଥିଲେ।
ଡମ୍ବରୁ ମାଝୀଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ରାଜନୈତିକ ଓ
ସାମାଜିକ ମହଲରେ ଶୋକର ଛାୟା ଖେଳିଯାଇଛି। ବିଭିନ୍ନ ରାଜନୈତିକ ଦଳର ନେତା, ସମର୍ଥକ ଓ
ଶୁଭେଚ୍ଛୁମାନେ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ସାର୍ବଜନୀନ ଜୀବନରେ ତାଙ୍କର ଦୀର୍ଘ
ଅବଦାନକୁ ସ୍ମରଣ କରିଛନ୍ତି। ମାଝୀଙ୍କ ବିୟୋଗକୁ ଅଞ୍ଚଳର ରାଜନୀତି ପାଇଁ ଏକ ବଡ଼ କ୍ଷତି ବୋଲି
ବିବେଚନା କରାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା