
ଅହମଦାବାଦ, ୩୧ ଅଗଷ୍ଟ (ହି.ସ.)- ସାଉଦି ଆରବର ଦମ୍ମାମରୁ ନୂଆଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନକୁ ବୋମା ଧମକ ମିଳିବା ପରେ ଅହମଦାବାଦର ସରଦାର ବଲ୍ଲଭଭାଇ ପଟେଲ ଇଂଟରନ୍ୟାସନାଲ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା।
ଧମକ ମିଳିବା ପରେ ବିମାନଟିକୁ ତୁରନ୍ତ ଅହମଦାବାଦ ଆଡ଼କୁ ଡାଇଭର୍ଟ କରାଯାଇଥିଲା। ବିମାନଟି ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିବା ପରେ ଏହାକୁ ଆଇସୋଲେସନ ବେରେ ରଖାଯାଇଥିଲା। ବିମାନରେ ଥିବା ସମସ୍ତ ୩୨ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରି ସ୍ୱତନ୍ତ୍ର ବସ୍ ଯୋଗେ ବିମାନବନ୍ଦରର ଟର୍ମିନାଲ-୨କୁ ନିଆଯାଇଥିଲା।
ଘଟଣାର ସୂଚନା ମିଳିବା ମାତ୍ରେ ବିମାନବନ୍ଦର ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ସତର୍କ ହୋଇଯାଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ତିନୋଟି ଗାଡ଼ି, ପୁଲିସର ବରିଷ୍ଠ ଅଧିକାରୀ ଏବଂ ବୋମା ଡିସ୍ପୋଜାଲ ଆଣ୍ଡ ଡିଟେକ୍ସନ ସ୍କ୍ୱାଡ୍ (ବିଡିଡିଏସ୍)ର ଟିମ୍ ପହଂଚିଥିଲେ। ବିମାନ ବ୍ୟତୀତ ଯାତ୍ରୀମାନଙ୍କ ସାମଗ୍ରୀ ଏବଂ କାର୍ଗୋ ଅଂଚଳର ମଧ୍ୟ ଗଭୀର ଯାଂଚ କରାଯାଇଥିଲା।
ପୁଲିସ ଅନୁଯାୟୀ ବିମାନର ବାଥରୁମରୁ ଜଣେ କ୍ରୁ ସଦସ୍ୟ କାଗଜର ଏକ ଟୁକୁଡ଼ା ପାଇଥିଲେ, ଯାହା ଉପରେ ‘ବୋମା’ ଲେଖା ଥିଲା। ଏହା ପରେ ସୁରକ୍ଷା ପ୍ରୋଟୋକଲ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ବିମାନର ଜରୁରୀ ଅବତରଣ କରାଯାଇଥିଲା।
ପ୍ରାଥମିକ ଯାଂଚରେ ବିମାନରୁ ଏହା ବ୍ୟତୀତ କୌଣସି ସନ୍ଦେହଜନକ କିମ୍ବା ଆପତିଜନକ ବସ୍ତୁ ମିଳିନାହିଁ। ଏହା ସତ୍ୱେ ସୁରକ୍ଷା ଏଜେନ୍ସିଗୁଡ଼ିକ ସମଗ୍ର ଘଟଣାର ଯାଂଚ କରୁଛନ୍ତି। ଧମକ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଦେଇଥିଲା, ତାହା ଜାଣିବା ପାଇଁ ସାଇବର ସେଲର ସହାୟତା ନିଆଯାଉଛି।
ପୁଲିସ କହିଛି ଯେ ବର୍ତମାନ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଟର୍ମିନାଲ-୨ରେ ରଖାଯାଇଛି ଏବଂ ବିମାନର ଯାଂଚ ଜାରି ରହିଛି। ଘଟଣା ପରେ ଅହମଦାବାଦ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
---------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ