
ନୂଆଦିଲ୍ଲୀ, ୩୧ ଅଗଷ୍ଟ(ହି.ସ.) – ଦେଶରେ ଚିପ୍ ନିର୍ମାଣର ସମ୍ପୂର୍ଣ୍ଣ ଇକୋସିଷ୍ଟମକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ୧.୨୭ ଲକ୍ଷ କୋଟି ଟଙ୍କା ବ୍ୟୟ ଅଟକଳ ସହିତ ସେମିକନ୍ ୨.୦ ଯୋଜନାକୁ ଅଧିସୂଚିତ କରିଛନ୍ତି। କେନ୍ଦ୍ର କ୍ୟାବିନେଟ୍ ୨୦୨୬ ମସିହା ଜୁଲାଇ ମାସରେ ଏହି ଯୋଜନାକୁ ମଞ୍ଜୁରୀ ଦେଇଥିଲେ।
ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ସୋମବାର ସେମିକନ୍ ୨.୦ ଯୋଜନା ସମ୍ବନ୍ଧୀୟ ସରକାରୀ ଗେଜେଟ୍ ବିଜ୍ଞପ୍ତି ଜାରି କରିଛି। ବିଜ୍ଞପ୍ତି ଅନୁଯାୟୀ, ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଡିଜାଇନ୍ ଠାରୁ ଆରମ୍ଭ କରି ମେସିନ, କଂଚାମାଲ ନିର୍ମାଣ, ପରୀକ୍ଷଣ ଏବଂ ଗବେଷଣା ପର୍ଯ୍ୟନ୍ତ ଏକ ସମ୍ପୂର୍ଣ୍ଣ ଯୋଗାଣ ଶୃଙ୍ଖଳା ସୃଷ୍ଟି କରିବା।
ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମରେ ସେମିକନ ୨.୦ ର ସମସ୍ତ ଛଅଟି ସ୍ତମ୍ଭ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ବିଶ୍ୱର ସେମିକଣ୍ଡକ୍ଟର ଶିଳ୍ପ ଅଂଶୀଦାରମାନଙ୍କ ମଧ୍ୟରେ ଏକ ଦୃଢ଼ ବିଶ୍ୱାସ ରହିଛି ଯେ ଆଗାମୀ ଦଶନ୍ଧିଗୁଡ଼ିକରେ ପ୍ରମୁଖ ନିବେଶ ପାଇଁ ଭାରତ ହେଉଛି ସଠିକ୍ ସ୍ଥାନ। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ସେମିକନ୍ ୧.୦ ଅଧିନରେ ମଞ୍ଜୁର ହୋଇଥିବା ୟୁନିଟ୍ ସଂଖ୍ୟା ଏବଂ ଅନୁମୋଦନ ଠାରୁ ଭିତିପ୍ରସ୍ତର ଏବଂ ତା 'ପରେ ବାଣିଜ୍ୟିକ ଉତ୍ପାଦନ ପର୍ଯ୍ୟନ୍ତ ଗତି ଦ୍ୱାରା ଏହା ସ୍ପଷ୍ଟ ଭାବରେ ପ୍ରଦର୍ଶିତ ହୋଇଛି। ଗୋଟିଏ କ୍ଷେତ୍ରରେ, ଭିତିପ୍ରସ୍ତର ସ୍ଥାପନ ହେବାର ୧୩ ମାସ ମଧ୍ୟରେ ବ୍ୟାବସାୟିକ ଉତ୍ପାଦନ ଆରମ୍ଭ ହୋଇଥିଲା। ବୈଷ୍ଣବ କହିଥିଲେ ଯେ ଅନେକ କ୍ଷେତ୍ରରେ ପ୍ରଥମ ୨୦୦ ଦିନ କିମ୍ବା ୧୫୦ ଦିନ ମଧ୍ୟରେ ଏବଂ ଗୋଟିଏ କ୍ଷେତ୍ରରେ ୯୦ ଦିନ ମଧ୍ୟରେ ସମସ୍ତ ମଞ୍ଜୁରି ପ୍ରଦାନ କରାଯାଇଥିଲା। ଏହି ଗତି ବିଶ୍ୱ ଶିଳ୍ପକୁ ବହୁତ ଆତ୍ମବିଶ୍ୱାସ ଦେଇଛି। ପୁଞ୍ଜି ବ୍ୟୟ ସହାୟତା ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱିତା ମୂଳକ ହୋଇଥିବାବେଳେ, ପ୍ରତିଭା, ନୀତିଗତ ନିଶ୍ଚିତତା ଏବଂ ବ୍ୟବସାୟିକ ସୁଗମତାର ଆଧାର ଭାବେ ଭାରତରେ ଉଦ୍ୟୋଗଗୁଡ଼ିକର ଆଗ୍ରହ ଆମର ନିଷ୍ପତି ନେବାରେ ସହାୟକ ହୋଇଛି।
ବିଜ୍ଞପ୍ତି ଅନୁଯାୟୀ, ଏହି ଯୋଜନାକୁ ଛଅଟି ବିଭାଗରେ ବିଭକ୍ତ କରାଯାଇଛି, ଯେଉଁଥିରେ ଭାରତୀୟ କମ୍ପାନୀଗୁଡ଼ିକ ଦ୍ୱାରା ଚିପ୍ ଡିଜାଇନ୍, ଚିପ୍ ଉତ୍ପାଦନ ପାଇଁ ଆବଶ୍ୟକ ପୁଞ୍ଜି ଉପକରଣ ଉତ୍ପାଦନ ୟୁନିଟ୍ ସ୍ଥାପନ, ସେମିକଣ୍ଡକ୍ଟର ଉତ୍ପାଦନ, ଚିପ୍ ଆସେମ୍ବ୍ଲି, ପ୍ୟାକେଜିଂ ଏବଂ ପରୀକ୍ଷା ଇତ୍ୟାଦି ଅନ୍ତର୍ଭୁକ୍ତ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି