
ସରକାରୀ ଅର୍ଥରୁ ଘରୋଇ କମ୍ପାନୀ କାହିଁକି ଲାଭବାନ ହେଉଛି କହିଲେ ଶକ୍ତିସିଂହ ଗୋହିଲ
ନୂଆଦିଲ୍ଲୀ, ୩୧ ଅଗଷ୍ଟ(ହି.ସ.) – କଂଗ୍ରେସ କେନ୍ଦ୍ର ସରକାରଙ୍କ ସମୁଦ୍ର ମନ୍ଥନ' ଯୋଜନା ଉପରେ ପ୍ରଶ୍ନ ଉଠାଇଛି ଏବଂ ଏହାକୁ ବାତିଲ କରିବାକୁ ଦାବି କରିଛି। ଦଳ ଅଭିଯୋଗ କରିଛି ଯେ ଏହି ଯୋଜନା ଅଧୀନରେ ସରକାର ସରକାରୀ ପାଣ୍ଠିରୁ ଘରୋଇ କମ୍ପାନୀଗୁଡ଼ିକର ତୈଳ ଏବଂ ଗ୍ୟାସ ଅନୁସନ୍ଧାନର ବିପଦକୁ ହ୍ରାସ କରିବାକୁ ଯାଉଛନ୍ତି, ଯେତେବେଳେ କି ଦେଶର ରାଷ୍ଟ୍ରାୟତ କ୍ଷେତ୍ରର ପ୍ରମୁଖ ଶକ୍ତି କମ୍ପାନୀ ଓଏନଜିସିର ଏହି କ୍ଷେତ୍ରରେ ଦଶନ୍ଧି ଦଶନ୍ଧି ଅଭିଜ୍ଞତା ରହିଛି। ଏହି ଯୋଜନା ପାଇଁ ପ୍ରସ୍ତାବିତ ୮୪,୦୮୪ କୋଟି ଟଙ୍କା ଓ.ଏନ୍.ଜି.ସି.କୁ ଦେବାକୁ କଂଗ୍ରେସ ଦାବି କରିଛି ଏବଂ ଏହା ମାଧ୍ୟମରେ ଅନୁସନ୍ଧାନ ଏବଂ ନିଯୁକ୍ତି ବୃଦ୍ଧି କରାଯିବ।
ସୋମବାର ଏଠାରେ କଂଗ୍ରେସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କଂଗ୍ରେସ ମୁଖପାତ୍ର ଶକ୍ତିସିଂହ ଗୋହିଲ କହିଛନ୍ତି ଯେ କେନ୍ଦ୍ର ସରକାର ନିକଟରେ ସମୁଦ୍ର ମନ୍ଥନ' ଯୋଜନାକୁ ଅନୁମୋଦନ କରିଛନ୍ତି। ଏହି ଯୋଜନାର ପ୍ରଥମ ପର୍ଯ୍ୟାୟ ପାଇଁ ୮୪,୦୮୪ କୋଟି ଟଙ୍କାର ଏକ ପ୍ରମୁଖ ବ୍ୟୟ ବରାଦ କରାଯାଇଛି ଏବଂ ଗଭୀର ସମୁଦ୍ରରେ ତୈଳ ଏବଂ ଗ୍ୟାସ ଅନୁସନ୍ଧାନ ସହିତ ଜଡ଼ିତ ଖର୍ଚ୍ଚର ୫୦ ପ୍ରତିଶତ ପର୍ଯ୍ୟନ୍ତ ସରକାର ବହନ କରିବେ।
ଗୋହିଲ ଦାବି କରିଛନ୍ତି ଯେ ଏହି ଯୋଜନା ଆଦାନୀ ଗ୍ରୁପ୍ ସହିତ ଜଡ଼ିତ ଆଦାନୀ ୱେଲସ୍ପନ ଏକ୍ସପ୍ଲୋରେସନ୍ ଲିମିଟେଡ୍(ଏଡବ୍ଲ୍ୟୁଇଏଲ୍)କୁ ମଧ୍ୟ ଲାଭାନ୍ୱିତ କରିବ। କମ୍ପାନୀରେ ଆଦାନୀ ଗ୍ରୁପ୍ର ୬୫ ପ୍ରତିଶତ ଅଂଶଧନ ରହିଥିବାବେଳେ ୱେଲସ୍ପନ ଗ୍ରୁପ୍ର ଅବଶିଷ୍ଟ ୩୫ ପ୍ରତିଶତ ଅଂଶଧନ ରହିଛି। ସେ ଅଭିଯୋଗ କରିଛନ୍ତି ଯେ ସରକାରଙ୍କ ଆର୍ôଥକ ସହାୟତାରେ କମ୍ପାନୀ ଗଭୀର ସମୁଦ୍ର କୂଅ ଖୋଳିବା, ୨ଡି ଏବଂ ୩ଡି ଭୂକମ୍ପ ସର୍ବେକ୍ଷଣ, ବିଦ୍ୟମାନ ଭୂତାତ୍ୱିକ ତଥ୍ୟର ପୁନଃ ପ୍ରକ୍ରିୟାକରଣ ଏବଂ ସମୁଦ୍ର କୂଳ ଭିତିଭୂମିର ପରିଚାଳନା କରିବାରେ ସକ୍ଷମ ହେବ।
ସେ କହିଥିଲେ ଯେ ତୈଳ ଏବଂ ଗ୍ୟାସ ଅନ୍ୱେଷଣରେ ବିପଦ ହ୍ରାସ କରିବା ଏବଂ ଘରୋଇ ନିବେଶକୁ ପ୍ରୋତ୍ସାହନ ଦେବା ଏହି ଯୋଜନାର ଉଦ୍ଦେଶ୍ୟ ବୋଲି ସରକାର କହିଛନ୍ତି। ଏହି ବିପଦକୁ ହ୍ରାସ କରିବା ପାଇଁ ଜନସାଧାରଣଙ୍କ ଅର୍ଥ ଘରୋଇ କମ୍ପାନୀଗୁଡ଼ିକୁ କାହିଁକି ପଠାଯାଉଛି? ଦେଶରେ ଘରୋଇ ତୈଳ ଏବଂ ଗ୍ୟାସ ଉତ୍ପାଦନ ବୃଦ୍ଧି କରିବା ଆବଶ୍ୟକ, କିନ୍ତୁ ଏଥିପାଇଁ ଓଏନ୍ଜିସି ଭଳି ରାଷ୍ଟ୍ରାୟତ କ୍ଷେତ୍ରର କମ୍ପାନୀକୁ ପ୍ରାଥମିକ ଭୂମିକା ଦିଆଯିବା ଉଚିତ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି