ବିଧାୟକଙ୍କ ‘ଆଦର୍ଶ ଗ୍ରାମ’ ସ୍ଵପ୍ନର ଶୁଭାରମ୍ଭ : ଏମଭି -୯୬କୁ ମଡେଲ ଭିଲେଜ୍ ଭାବେ ଗଢ଼ିବାକୁ ଭୂମିପୂଜନ
ମାଲକାନଗିରି, ୪ ଅଗଷ୍ଟ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଭୁବନପଲ୍ଲୀ ଗ୍ରାମ ପଞ୍ଚାୟତର ଏମଭି-୯୬ ଗ୍ରାମକୁ ବିଧାୟକ ନରସିଂହ ମାଡକାମୀଙ୍କ ‘ଆଦର୍ଶ ମଡେଲ ଭିଲେଜ୍’ ଭାବେ ବିକଶିତ କରିବା ପାଇଁ ସୋମବାର ଭୂମିପୂଜନ ଓ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମଡେ
ବିଧାୟକଙ୍କ ‘ଆଦର୍ଶ ଗ୍ରାମ’ ସ୍ୱପ୍ନର ଶୁଭାରମ୍ଭ : ଏମ୍ଭି-୯୬କୁ ମଡେଲ ଭିଲେଜ୍ ଭାବେ ଗଢ଼ିବାକୁ ଭୂମିପୂଜନ


ମାଲକାନଗିରି, ୪ ଅଗଷ୍ଟ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଭୁବନପଲ୍ଲୀ ଗ୍ରାମ ପଞ୍ଚାୟତର ଏମଭି-୯୬ ଗ୍ରାମକୁ ବିଧାୟକ ନରସିଂହ ମାଡକାମୀଙ୍କ ‘ଆଦର୍ଶ ମଡେଲ ଭିଲେଜ୍’ ଭାବେ ବିକଶିତ କରିବା ପାଇଁ ସୋମବାର ଭୂମିପୂଜନ ଓ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମଡେଲ ଗ୍ରାମର ବିସ୍ତୃତ ବିକାଶ ଯୋଜନା ସମ୍ବଳିତ ଡିପିଆର ପୁସ୍ତିକାର ମଧ୍ୟ ଉନ୍ମୋଚନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ପ୍ରକଳ୍ପ ନିର୍ଦ୍ଦେଶକ ହଳଧର ଶବର, କାଲିମେଳା ବିଡିଓ ପ୍ରଦୀପ କୁମାର କର, ବିଧାୟକ ପ୍ରତିନିଧି ନିହାର ରଞ୍ଜନ ରାୟ ଓ ହରବିଳାସ ମଣ୍ଡଳ, ବିଜେପି ଉପସଭାପତି ଭବାନୀ ମୁଖାର୍ଜୀ, ବିଜେପି ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର, ଗ୍ରାମ ସଭାପତି ହିମାଂଶୁ ଅଧିକାରୀ, ସରପଞ୍ଚ ପୁଷ୍ପାଞ୍ଜଳି ମାଡକାମୀ, ସମାଜସେବୀ ଉତ୍ତମ କୁମାର ଓଝାଙ୍କ ସମେତ ବହୁ ଜନପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।

ଡିପିଆର ଅନୁଯାୟୀ ଏମ୍ଭି-୯୬ ଗ୍ରାମରେ ପ୍ରାୟ ୯୫ ଲକ୍ଷ ଟଙ୍କା ବ୍ୟୟରେ ଆଧୁନିକ କ୍ରୀଡ଼ା ପଡ଼ିଆ, ରନିଂ ଟ୍ରାକ୍ ଓ ଫ୍ଲଡ୍ ଲାଇଟ୍ ବ୍ୟବସ୍ଥା କରାଯିବ, ଯାହା ଫଳରେ ଯୁବକ-ଯୁବତୀମାନେ ରାତିରେ ମଧ୍ୟ ଅଭ୍ୟାସ କରିପାରିବେ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ପ୍ରାୟ ୩୦ ଲକ୍ଷ ଟଙ୍କା ବ୍ୟୟରେ ସିଲେଇ ୟୁନିଟ୍ ଓ ପ୍ରୋସେସିଂ ୟୁନିଟ୍ ସ୍ଥାପନ କରାଯିବ। ସ୍କୁଲ ଓ ଅଙ୍ଗନବାଡ଼ି ପାଇଁ ୟୁନିଫର୍ମ ପ୍ରସ୍ତୁତି ସହ ମହୁଳ, ତେନ୍ତୁଳ, ଚିନାବାଦାମ ଓ ଅନ୍ୟାନ୍ୟ ସ୍ଥାନୀୟ ଉତ୍ପାଦର ପ୍ରକ୍ରିୟାକରଣ ଓ ବ୍ରାଣ୍ଡିଂ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।

ଏହାଛଡ଼ା ଡ୍ରାଗନ ଫ୍ରୁଟ୍ ଚାଷର ପାଇଲଟ୍ ପ୍ରକଳ୍ପ, ଛତୁ ଚାଷ ୟୁନିଟ୍, କୋଲ୍ଡ ଷ୍ଟୋରେଜ୍, ମିନି ଇଣ୍ଡଷ୍ଟ୍ରିଆଲ୍ ପାର୍କ, ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର, ଏଆଇ ଆଧାରିତ ଶିକ୍ଷା, ଡିଜିଟାଲ୍ ସାକ୍ଷରତା, ୟୁଟ୍ୟୁବ୍ ଓ ପ୍ରଯୁକ୍ତି ମାଧ୍ୟମରେ ରୋଜଗାର ସୁଯୋଗ, ମଡେଲ ଟ୍ୟାଙ୍କ, ପାହାଡ଼ ଉପରେ ପର୍ଯ୍ୟଟନସ୍ଥଳୀ, ପ୍ଲାଷ୍ଟିକ୍ ରିସାଇକ୍ଲିଂ ୟୁନିଟ୍, ଚାରିଟି କମ୍ୟୁନିଟି ସେଣ୍ଟର, ୟୁଥ୍ କ୍ଲବ ଭବନ, ଉପସ୍ୱାସ୍ଥ୍ୟ କେନ୍ଦ୍ର, ମୋବାଇଲ୍ ମେଡିକାଲ୍ ଭ୍ୟାନ୍, ପିଡିଏସ୍ ସବ୍-ସେଣ୍ଟର, କ୍ୟାଟଲ୍ ଶେଡ୍, ଷ୍ଟ୍ରିଟ୍ ଲାଇଟ୍ ଓ ଆଧୁନିକ କୃଷି ଓ ଜଳସେଚନ ବ୍ୟବସ୍ଥା ଭଳି ଅନେକ ପ୍ରକଳ୍ପ ହାତକୁ ନିଆଯିବ।

ଅତିରିକ୍ତ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ କହିଥିଲେ, ଶିକ୍ଷା, କ୍ରୀଡ଼ା, କୃଷି, ରୋଜଗାର ଓ ସାମାଜିକ ବିକାଶ କ୍ଷେତ୍ରରେ ଗ୍ରାମ ଆଗକୁ ବଢ଼ିଲେ ହିଁ ପ୍ରକୃତ ବିକାଶ ସମ୍ଭବ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଶିକ୍ଷଣ ଓ ବଜାର ସଂଯୋଗ ମାଧ୍ୟମରେ ସେମାନଙ୍କ ଆର୍ଥିକ ସଶକ୍ତିକରଣ କରାଯିବ।

କାଲିମେଳା ବିଡିଓ ପ୍ରଦୀପ କୁମାର କର କହିଥିଲେ, ସମସ୍ତ ବିଭାଗର ସମନ୍ୱୟ ଓ ଜନସହଭାଗିତାରେ ଆଗାମୀ ଛଅରୁ ସାତ ମାସ ମଧ୍ୟରେ ଡିପିଆରରେ ଥିବା ପ୍ରମୁଖ ପ୍ରକଳ୍ପଗୁଡ଼ିକୁ ବାସ୍ତବ ରୂପ ଦିଆଯିବ।

ବିଧାୟକ ନରସିଂହ ମାଡକାମୀ କହିଥିଲେ, ମାର୍ଚ୍ଚ ମାସରେ ଏହି ଆଦର୍ଶ ଗ୍ରାମର ସ୍ୱପ୍ନ ଦେଖାଯାଇଥିଲା। ପରେ ଜିଲ୍ଲାର ସମସ୍ତ ବିଭାଗ ସହ ଆଲୋଚନା କରି ଏହାର ଡିପିଆର ପ୍ରସ୍ତୁତ କରାଯାଇଛି। ବିଦ୍ୟୁତ, ମତ୍ସ୍ୟ, କୃଷି, ଜଳସେଚନ, ଶିକ୍ଷା, ଆଇଟିଡିଏ, ବ୍ଲକ ଓ ଅନ୍ୟାନ୍ୟ ସମସ୍ତ ବିଭାଗର ସମନ୍ୱୟରେ ଏମ୍ଭି-୯୬କୁ ଜିଲ୍ଲାର ଏକ ଆଦର୍ଶ ଗ୍ରାମରେ ପରିଣତ କରାଯିବ। ଏହି ଗ୍ରାମର ବିକାଶ ଅନ୍ୟ ଗ୍ରାମ ପାଇଁ ମଧ୍ୟ ଏକ ଦୃଷ୍ଟାନ୍ତ ହେବ ବୋଲି ସେ କହିଥିଲେ।

ସେ ଆହୁରି କହିଥିଲେ ଯେ, ସରକାରୀ ଅର୍ଥ ସହ ଗ୍ରାମବାସୀଙ୍କ ଶ୍ରମଦାନ, ସହଯୋଗ ଓ ପରାମର୍ଶ ଏହି ପ୍ରକଳ୍ପର ସଫଳତାର ମୂଳ ଆଧାର ହେବ। ସମସ୍ତେ ହାତକୁ ହାତ ଓ କାନ୍ଧକୁ କାନ୍ଧ ମିଶାଇ କାମ କଲେ ଏମ୍ଭି-୯୬ ଏକ ଆଦର୍ଶ ଗ୍ରାମ ଭାବେ ପରିଚିତ ହେବ। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଶେଷ କରି ଜିଲ୍ଲାର ଅନ୍ୟ ଗ୍ରାମଗୁଡ଼ିକର ବିକାଶ ପାଇଁ ମଧ୍ୟ ସମାନ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ବିଧାୟକ ପ୍ରକାଶ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande