କେନାଲରେ ଭାସିଯାଇ ଭାଇ-ଭଉଣୀ ମୃତ
କେନାଲରେ ଭାସିଯାଇ ଭାଇ-ଭଉଣୀ ମୃତ
କେନାଲରେ ଭାସିଯାଇ ଭାଇ-ଭଉଣୀ ମୃତ


ବାରିପଦା, ୧୨ ସେପ୍ଟେମ୍ବର (ହି.ସ.)- କେନାଲରେ ଭାସିଯାଇ ଭାଇ-ଭଉଣୀ ମୃତ । ଭାଇକୁ ବଞ୍ଚାଇବାକୁ ଯାଇ ପାଣି ସୁଅରେ ଭାସିଗଲେ ଦିବ୍ୟାଙ୍ଗ ଭଉଣୀ । ଫଳରେ ପାଣିରେ ବୁଡି ଉଭୟ ଭାଇ-ଭଉଣୀଙ୍କ ମୃତ୍ୟୁ ହୋଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ମହ୍ଲାରପଦା ଗାଁରେ ।

ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ରାତିରେ ମହ୍ଲାରପଦା ଗ୍ରାମର ପରମେଶ୍ୱର ନାୟକ କୌଣସି କାରଣରୁ ଘର ନିକଟସ୍ଥ କେନାଲର ପ୍ରଖର ସ୍ରୋତରେ ଭାସି ଯାଉଥିଲେ। ନିଜ ଭାଇ ବିପଦରେ ପଡ଼ିଥିବା ଦେଖି ତାଙ୍କୁ ଉଦ୍ଧାର କରିବା ପାଇଁ ଦିବ୍ୟାଙ୍ଗ ଭଉଣୀ ନନ୍ଦିନୀ ନାୟକ କେନାଲ ଭିତରକୁ ଡେଇଁ ପଡ଼ିଥିଲେ। ମାତ୍ର ପାଣିର ପ୍ରଖର ସ୍ରୋତରେ ତାଙ୍କର ସମସ୍ତ ଚେଷ୍ଟା ବିଫଳ ହୋଇଥିଲା। ଭାଇ ପରମେଶ୍ୱର ସେହି କେନାଲ ପାଣିରେ ବୁଡ଼ି ପ୍ରାଣ ହରାଇଥିବା ବେଳେ ପ୍ରଖର ସ୍ରୋତରେ ନନ୍ଦିନୀ କେନାଲରୁ ନାଲୁହା ନଦୀର ସୁଅରେ ଭାସି ଯାଇଥିଲେ।

ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଖୁଣ୍ଟା ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ସମୟ ଧରି ଖୋଜାଖୋଜି ପରେ ଘର ଠାରୁ ପ୍ରାୟ ଏକ କିଲୋମିଟର ଦୂର କରକଚିଆ ପୋଲ ନିକଟରୁ ଭାସିଯାଇଥିବା ଭଉଣୀ ନନ୍ଦିନୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ କେନାଲ ମଧ୍ୟରୁ ଭାଇ ପରମେଶ୍ୱରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଖୁଣ୍ଟା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ମୃତଦେହକୁ ଜବତ କରି ବାରିପଦା ସ୍ଥିତ ପି.ଆର.ଏମ. ମେଡିକାଲ କଲେଜ ଓ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande