
ଝାରସୁଗୁଡ଼ା, ୧୬ ସେପ୍ଟେମ୍ବର (ହି.ସ.) ଯାତ୍ରୀଙ୍କୁ ଅଧିକ ସୁବିଧାଜନକ, ସୁଗମ ଓ ଉନ୍ନତ ସେବା ପ୍ରଦାନ ଲକ୍ଷ୍ୟରେ ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଆସନ୍ତା ୧୭ ସେପ୍ଟେମ୍ବରରୁ ‘ଯାତ୍ରୀ ସେବା ଅଭିଯାନ-୨୦୨୬’ ଆରମ୍ଭ ହେବ। ଏହି ଅଭିଯାନ ଅକ୍ଟୋବର ୧୦ ପର୍ଯ୍ୟନ୍ତ ଚାଲିବ। ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପଦକ୍ଷେପକ୍ରମେ ଏହି ଅଭିଯାନ ଆୟୋଜିତ ହେଉଥିବା ବୁଧବାର ବିମାନବନ୍ଦରର ଭାରପ୍ରାପ୍ତ ନିର୍ଦ୍ଦେଶକ ଉପେନ୍ଦ୍ରନାଥ ଦାଣ୍ଡିଆ ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି।
ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଯାତ୍ରୀକୈନ୍ଦ୍ରିକ ସେବାକୁ ଆହୁରି ସୁଦୃଢ଼ କରିବା ସହ ସ୍ୱଚ୍ଛ, ସୁଗମ, ଆରାମଦାୟକ ଓ ସମସ୍ତଙ୍କ ପାଇଁ ସହଜ ପ୍ରବେଶଯୋଗ୍ୟ ପରିବେଶ ସୃଷ୍ଟି କରିବା। ଏଥିପାଇଁ ବିମାନବନ୍ଦରର ବାହ୍ୟ ପରିଚ୍ଛନ୍ନତା, ପାର୍କିଂ ବ୍ୟବସ୍ଥା, ଯାତାୟାତ ସଂଯୋଗ ଓ ଯାତ୍ରୀଙ୍କ ବସିବା ସ୍ଥାନ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।
ଅଭିଯାନ ଅବସରରେ ‘ସେବା ଓ ସଂସ୍କୃତି’ ବିଷୟବସ୍ତୁକୁ ନେଇ ବନ୍ଦେ ମାତରମ୍ ଗାନ, ଲୋକନୃତ୍ୟ ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ଭିନ୍ନକ୍ଷମ, ଚଳାଚଳରେ ଅସୁବିଧା ଥିବା ବ୍ୟକ୍ତି ଓ ବରିଷ୍ଠ ନାଗରିକଙ୍କ ପାଇଁ ସମ୍ମାନଜନକ ଓ ସୁଗମ ଯାତ୍ରା ସୁନିଶ୍ଚିତ କରାଯିବ। ମହିଳା, ଶିଶୁ ଓ ପରିବାରବର୍ଗଙ୍କ ପାଇଁ ମଧ୍ୟ ଆବଶ୍ୟକ ସୁବିଧା ଯୋଗାଇ ଦିଆଯିବ।
ଏଥିସହ ସେପ୍ଟେମ୍ବର ୨୭ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ‘ଅତିଥି ଦେବୋ ଭବ’ ବିଷୟବସ୍ତୁକୁ ନେଇ ଓଡ଼ିଶା ତଥା ଝାରସୁଗୁଡ଼ା ଅଞ୍ଚଳର କଳା, ସଂସ୍କୃତି ଓ ପର୍ଯ୍ୟଟନ ସମ୍ଭାବନାକୁ ବିମାନବନ୍ଦର ପରିସରରେ ପ୍ରଦର୍ଶିତ କରାଯିବ।
ଏହି ଅଭିଯାନ ମାଧ୍ୟମରେ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ଯାତ୍ରୀମାନଙ୍କୁ ସୁରକ୍ଷିତ, ଅନ୍ତର୍ଭୁକ୍ତିମୂଳକ ଓ ସ୍ୱାଗତଯୋଗ୍ୟ ଯାତ୍ରା ଅନୁଭୂତି ପ୍ରଦାନ କରିବା ପ୍ରତି ନିଜର ପ୍ରତିବଦ୍ଧତା ଜଣାଇଛି ବୋଲି ଭାରପ୍ରାପ୍ତ ନିର୍ଦ୍ଦେଶକ ଶ୍ରୀ ଦାଣ୍ଡିଆ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ