
ପେଶାଦାର ସାମରିକ ସହଯୋଗ ଉପରେ ଆଲୋଚନା
ନୂଆଦିଲ୍ଲୀ, ୧୬ ସେପ୍ଟେମ୍ବର(ହି.ସ.) – ସ୍ଥଳସେନା ମୁଖ୍ୟ ଜେନେରାଲ ଧୀରଜ ସେଠ ବୁଧବାର ଦିନ ରୁଷିଆ ଗସ୍ତରେ ବାହାରିଛନ୍ତି। ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ପ୍ରତିରକ୍ଷା ଭାଗିଦାରୀ ଏବଂ ସାମରିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ଏହି ଗସ୍ତର ଉଦ୍ଦେଶ୍ୟ। ଏହି ଗସ୍ତ ସମୟରେ ସେ ରୁଷୀୟ ସ୍ଥଳ ବାହିନୀର କମାଣ୍ଡର-ଇନ୍-ଚିଫ୍ କର୍ଣ୍ଣେଲ ଜେନେରାଲ ଆଣ୍ଡ୍ରେ ନିକୋଲାୟେଭିଚ୍ ମୋର୍ଡଭିଚୋଭଙ୍କ ସହ ପେସାଦାର ସାମରିକ ସହଯୋଗ ଏବଂ ତାଲିମ ସମେତ ପାରସ୍ପରିକ ସ୍ୱାର୍ଥର ପ୍ରସଙ୍ଗ ଉପରେ ଆଲୋଚନା କରିବେ।
ସେନାଧ୍ୟକ୍ଷ ମସ୍କୋର ଅଜ୍ଞାତ ସୈନିକଙ୍କ ସମାଧିସ୍ଥଳରେ ସହିଦ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ଏବଂ ସେପ୍ଟେମ୍ବର ୧୮ ପର୍ଯ୍ୟନ୍ତ ତାଙ୍କ ଗସ୍ତ ସମୟରେ ସେମାନଙ୍କୁ ଏକ ଆନୁଷ୍ଠାନିକ ଗାର୍ଡ଼ ଅଫ୍ ଅନର୍ ଦିଆଯିବ। ସେନା ମୁଖ୍ୟ ମସ୍କୋର ଜାତୀୟ ପ୍ରତିରକ୍ଷା ନିୟନ୍ତ୍ରଣ କେନ୍ଦ୍ର ପରିଦର୍ଶନ କରିବେ ଏବଂ ପ୍ରତିରକ୍ଷା ଶିଳ୍ପ ଏବଂ କ୍ରୟ ପାଇଁ ପ୍ରତିରକ୍ଷା ଉପମନ୍ତ୍ରୀ ଭାସିଲି ସର୍ଗେଇଭିଚ୍ ଓସମାକୋଭ୍ଙ୍କ ସମେତ ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ କଥାବାର୍ତା କରିବେ। ଏହି ବୈଠକଗୁଡ଼ିକ ଆଜିର ସାମରିକ ବିକାଶ ଏବଂ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରିବାର ଉପାୟ ଉପରେ ମତାମତ ବାଂଟିବାର ସୁଯୋଗ ପ୍ରଦାନ କରିବ।
ଗସ୍ତ ସମୟରେ ଜେନେରାଲ ଧୀରଜ ସେଠ ମଧ୍ୟ ସେଂଟ ପିଟର୍ସବର୍ଗ ଗସ୍ତ କରିବେ ଯେଉଁଠାରେ ସେ ମିଖାଇଲୋଭକ୍କାୟା ମିଲିଟାରୀ ଆର୍ଟିଲେରୀ ଏକାଡେମୀ ପରିଦର୍ଶନ କରିବେ ଏବଂ ସେଠାକାର ନେତୃତ୍ୱ ଏବଂ ଅଧ୍ୟାପକଙ୍କ ସହ କଥାବାର୍ତା କରିବେ। ତାଙ୍କର ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ନିରନ୍ତର ସାମରିକ କୂଟନୀତି ଏବଂ ସେନା-ସେନା ମଧ୍ୟରେ ସମ୍ପର୍କକୁ ଗୁରୁତ୍ୱ ଦେଉଥିବା ଦର୍ଶାଉଛି। ଏହି ଆଲୋଚନା ଦ୍ୱାରା ସାମରିକ ସହଯୋଗ ସୁଦୃଢ଼ ହେବ ଏବଂ ଭାରତ ଓ ରୁଷ ମଧ୍ୟରେ ଦୀର୍ଘକାଳୀନ ପ୍ରତିରକ୍ଷା ସମ୍ପର୍କ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି