
ଚମ୍ପୁଆ,, ୧୬ ସେପ୍େଟମ୍ବର (ହି.ସ.): ସରକାରୀ ସ୍ତରରେ ଗ୍ରାମାଂଚଳର ବିକାଶ ପାଇଁ ଡିଣ୍ଡିମ ପିଟାଯାଉଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ ଓଲଟା । ଚମ୍ପୁଆ ବ୍ଲକ ବଡନଇ ଗ୍ରାମ ପଂଚାୟତ ଅନ୍ତର୍ଗତ ଗମ୍ଭାରିଆ ଗ୍ରାମର ବରାବାଡିଆ ସାହି ଆଜି ବି ସାଧାରଣ ମୌଳିକ ସୁବିଧାରୁ ସମ୍ପୂର୍ଣ୍ଣ ବଂଚିତ ହୋଇ ରହିଛି। ବିଶେଷ କରି ସାହିର ଯାତାୟାତ ପାଇଁ ଥିବା ମୁଖ୍ୟ ରାସ୍ତାଟି ଏବେ ସ୍ଥାନୀୟ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି। ଗମ୍ଭାରିଆ ଠାରୁ ବରାବାଡିଆକୁ ସଂଯୋଗ କରୁଥିବା ଏହି ରାସ୍ତାଟି ଦୀର୍ଘ ଦିନ ଧରି ଅତ୍ୟନ୍ତ ଖରାପ ଓ ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି। ଦୀର୍ଘ ଦିନର ଅବହେଳା ଯୋଗୁଁ ସମ୍ପୂର୍ଣ୍ଣ ରାସ୍ତାଟି ଏବେ ଝାଡ଼ି ଓ ଜଙ୍ଗଲରେ ଭରିଗଲାଣି। ଫଳରେ ସାଧାରଣ ଯାତାୟାତ କରିବା ମଧ୍ୟ କଷ୍ଟକର ହୋଇପଡିଛି। ପ୍ରଶାସନର ନିଷ୍କ୍ରିୟତା ଯୋଗୁଁ ଶେଷରେ ସ୍ଥାନୀୟ କିଛି ଯୁବକ ନିଜ ଆଡ଼ୁ ଆଗେଇ ଆସି ରାସ୍ତାର ଝାଡ଼ି ଓ ନଟା ସଫା କରିବା ପରେ, ଲୋକମାନେ କୌଣସି ମତେ ସାହିକୁ ଯିବା ଆସିବା କରୁଛନ୍ତି।ବରାବାଡିଆ ଉପର ସାହି ତୁଳନାରେ ତଳ ସାହିର ରାସ୍ତା ସମସ୍ୟା ଆହୁରି ଉଦବେଗଜନକ। ଉପର ସାହିରୁ ତଳ ସାହିକୁ ସିଧାସଳଖ କୌଣସି ସଂଯୋଗୀକରଣ ରାସ୍ତା ନାହିଁ। ଏହି କାରଣରୁ ଜରୁରୀକାଳୀନ ସେବା, ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଯାନବାହନ ସାହି ଭିତରକୁ ପ୍ରବେଶ କରିପାରୁ ନାହିଁ। ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନେବା ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ପାଇବାରୁ ବଂଚିତ ହେଉଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ରାସ୍ତା ସମସ୍ୟା ଯୋଗୁଁ ସ୍ଥାନୀୟ ଲୋକମାନେ ପ୍ରତିଦିନ ନର୍କଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହୋଇଛି। ଏଣୁ ଜିଲ୍ଲା ଉଚ୍ଚ କର୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଗମ୍ଭାରିଆ ଠାରୁ ବରାବାଡିଆ ଉପର ସାହି ଏବଂ ତଳ ସାହିକୁ ସଂଯୋଗ କରି ଏକ ସ୍ଥାୟୀ କଂକ୍ରିଟ ରାସ୍ତା ନିର୍ମାଣ କରିବା ପାଇଁ ସାହିବାସୀ ଦାବି କରିଛନ୍ତି।
-------------
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta