ଡାକ୍ତରଖାନା ସମ୍ମୁଖ ବନାଞ୍ଚଳରେ ଅସାମାଜିକଙ୍କ ଆଡ୍ଡା
Illegal activity in front of DHH
ଡାକ୍ତରଖାନା ସମ୍ମୁଖ ବନାଞ୍ଚଳରେ ଅସାମାଜିକଙ୍କ ଆଡ୍ଡା


ଭାଙ୍ଗିଲା ତାରବାଡ଼, ନଷ୍ଟ ହେଲା ଗେଟ୍; ନିଶାସେବନ ନେଇ ବଢୁଛି ଅଭିଯୋଗ

ଝାରସୁଗୁଡ଼ା, ୧୬ ସେପ୍ଟେମ୍ବର (ହି.ସ.)ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସମ୍ମୁଖରେ ଥିବା ବନୀକରଣ ଅଞ୍ଚଳ ଏବେ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀରେ ପରିଣତ ହେଉଥିବା ଅଭିଯୋଗ ହୋଇଛି। ଦିନ ଦ୍ୱିପ୍ରହରରେ ମଧ୍ୟ ଏଠାରେ ଖୋଲାଖୋଲି ନିଶାଦ୍ରବ୍ୟ ସେବନ ଓ ମଦ୍ୟପାନ ଚାଲୁଥିବାରୁ ଅଞ୍ଚଳବାସୀ ଓ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି।

ସୂଚନା ଅନୁଯାୟୀ, ବନ ବିଭାଗ ପକ୍ଷରୁ ବନୀକରଣ ଅଞ୍ଚଳର ସୁରକ୍ଷା ପାଇଁ ପୂର୍ବରୁ ତାରବାଡ଼ ଘେରାଯିବା ସହ ଅନଧିକୃତ ପ୍ରବେଶ ରୋକିବାକୁ ଗେଟ୍ ଲଗାଯାଇଥିଲା। ତେବେ ମଙ୍ଗଳବଜାର ଅଞ୍ଚଳରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏଠାକୁ ସ୍ଥାନାନ୍ତର ହେବା ପରଠାରୁ ଅଞ୍ଚଳରେ ଲୋକଙ୍କ ଚଳପ୍ରଚଳ ବଢ଼ିଛି। ଏହାର ସୁଯୋଗ ନେଇ କେତେକ ଅମାନିଆ ବ୍ୟକ୍ତି ତାରବାଡ଼ କାଟି ଭିତରକୁ ପ୍ରବେଶ କରୁଥିବା ଅଭିଯୋଗ ହୋଇଛି।

ଏପରିକି ବନ ବିଭାଗ ପକ୍ଷରୁ ଲଗାଯାଇଥିବା ଗେଟ୍ ମଧ୍ୟ ଭାଙ୍ଗି ଦିଆଯାଇଥିବା ଜଣାପଡ଼ିଛି। ସୁରକ୍ଷା ବ୍ୟବସ୍ଥା ଦୁର୍ବଳ ହେବାରୁ ବନାଞ୍ଚଳ ଭିତରେ ଅସାମାଜିକଙ୍କ ଗତିବିଧି ବଢ଼ୁଥିବା ଅଭିଯୋଗ ରହିଛି। ଦିନବେଳେ ମଦ୍ୟପାନ ଓ ନିଶାସେବନ ସହ ମଦ ବୋତଲ ଭାଙ୍ଗି ଏଣେତେଣେ ଫିଙ୍ଗି ଦିଆଯାଉଥିବାରୁ ପରିବେଶ ମଧ୍ୟ ପ୍ରଦୂଷିତ ହେଉଛି।

ଅନ୍ୟପକ୍ଷରେ, ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପ୍ରତିଦିନ ହଜାର ହଜାର ରୋଗୀ ଓ ସମ୍ପର୍କୀୟ ଆସୁଥିବାରୁ ଏହାର ସମ୍ମୁଖ ଅଞ୍ଚଳରେ ଏଭଳି ଗତିବିଧି ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି। ବିଶେଷକରି ରୋଗୀ, ମହିଳା ଓ ବୟସ୍କଙ୍କ ଯାତାୟାତ ଅଞ୍ଚଳରେ ନିଶାସେବନ ଓ ଅସାମାଜିକଙ୍କ ଜମାଘଟ ଚିନ୍ତାର କାରଣ ପାଲଟିଛି।

ଏହି ପରିସ୍ଥିତିରେ ବନ ବିଭାଗ ପକ୍ଷରୁ ଭାଙ୍ଗିଯାଇଥିବା ତାରବାଡ଼ର ତୁରନ୍ତ ମରାମତି, ନଷ୍ଟ ହୋଇଥିବା ଗେଟ୍ର ପୁନଃସ୍ଥାପନ ଓ ନିୟମିତ ନିରୀକ୍ଷଣ ବ୍ୟବସ୍ଥା କରାଯିବାକୁ ଦାବି ହୋଇଛି। ସେହିପରି ଅଞ୍ଚଳରେ ପୁଲିସ୍ ପାଟ୍ରୋଲିଂ ବଢ଼ାଇବା ସହ ନିଶାସେବନ ଓ ଅସାମାଜିକ ଗତିବିଧି ଉପରେ ରୋକ୍ ଲଗାଇବାକୁ ସାଧାରଣରେ ଦାବି ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande