
ଝାରସୁଗୁଡ଼ା, ୧୬ ସେପ୍ଟେମ୍ବର (ହି.ସ.) - ଦେଶ ସୁରକ୍ଷା ଦାୟିତ୍ୱରେ ବର୍ଷସାରା ନିଜ ଜନ୍ମମାଟିଠାରୁ ଦୂରରେ ରହୁଥିବା ଯବାନମାନେ ନୂଆଁଖାଇ ଅବସରରେ ଜନ୍ମଭୂମି ପ୍ରତି ନିଜର ଦାୟିତ୍ୱବୋଧର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଲଖନପୁର ବ୍ଲକ ସୀମାନ୍ତ ଉଣେଇଶ ଖଣ୍ଡ ମୌଜା ଅଂଚଳର ସେନା, ପୁଲିସ, ବିଏସ୍ଏଫ୍, ସିଆରପିଏଫ୍, ଆଇଟିବିପି, ଆସାମ ରାଇଫଲସ୍ ଓ ଅଗ୍ନିଶମ ବାହିନୀରେ କାର୍ୟ୍ୟରତ ଯବାନମାନେ ଏକାଠି ହୋଇ ଜନ୍ମମାଟିର ସେବାରେ ନିଜକୁ ନିୟୋଜିତ କରିଛନ୍ତି।
ବୁଧବାର ନୂଆଁଖାଇ ପାଳନ ଅବସରରେ ଯବାନ, ଅବସରପ୍ରାପ୍ତ ସୈନ୍ୟ ଅଧିକାରୀ ଓ ସ୍ଥାନୀୟ ମହିଳା ଯବାନଙ୍କୁ ନେଇ ‘ଦ ଫୋର୍ସ’ ଗଠନ କରାଯାଇଥିଲା। ଏହି ସଂଗଠନ ପକ୍ଷରୁ ଲଖନପୁର ବ୍ଲକ ଅନ୍ତର୍ଗତ ଚାଂଟିପାଳି ହସ୍ପିଟାଲ ପରିସରରେ ବ୍ୟାପକ ସଫେଇ ଅଭିଯାନ କରାଯାଇଥିଲା। ହସ୍ପିଟାଲ ପରିସରକୁ ସଫାସୁତରା କରିବା ସହ ପରିବେଶକୁ ସୁନ୍ଦର କରିବାରେ ସମସ୍ତେ ଅଂଶଗ୍ରହଣ କରିଥିଲେ।
ନୂଆଁଖାଇର ଆନନ୍ଦକୁ ସମାଜସେବା ସହ ଯୋଡ଼ି ଯବାନମାନେ ଏକ ନିଆରା ବାର୍ତା ଦେଇଛନ୍ତି। ବର୍ଷକୁ ଥରେ ଛୁଟିରେ ଘରକୁ ଫେରି ପୁରୁଣା ସ୍ମୃତି ସାଉଁଟୁଥିବା ଏହି ଯବାନମାନେ ଆଗାମୀ ଦିନରେ ପ୍ରତିବର୍ଷ ନୂଆଁଖାଇ ଛୁଟି ସମୟରେ ଅଂଚଳରେ ବିଭିନ୍ନ ସେବାମୂଳକ କାର୍ୟ୍ୟ କରିବାକୁ ସଂକଳ୍ପ ନେଇଛନ୍ତି।
ଏହି କ୍ରମରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଓ ବିଦ୍ୟାଳୟ ସଫେଇ, ଭଲିବଲ୍ କ୍ରୀଡ଼ାର ପୁନଃପ୍ରସାର, ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା, ଛାତ୍ରଛାତ୍ରୀଙ୍କୁ ମାଗଣା କାଉନସେଲିଂ ଏବଂ ନିଶାମୁକ୍ତି ସଚେତନତା ଭଳି କାର୍ୟ୍ୟକ୍ରମ ହାତକୁ ନେବାକୁ ଯୋଜନା କରାଯାଇଛି। ଏଥିସହ ସେନା ଓ ପୁଲିସ ବାହିନୀରେ ଯୋଗଦେବାକୁ ଆଗ୍ରହୀ ଅଂଚଳର ଯୁବକ-ଯୁବତୀଙ୍କୁ ମାଗଣା ପ୍ରଶିକ୍ଷଣ ଓ ମାର୍ଗଦର୍ଶନ ଦେବାକୁ ମଧ୍ୟ ‘ଦ ଫୋର୍ସ’ ପକ୍ଷରୁ ନିଷ୍ପତି ନିଆଯାଇଛି।
ଦେଶସେବା ସହ ନିଜ ଜନ୍ମମାଟି ପ୍ରତି ଯବାନମାନଙ୍କ ଏହି ନିଷ୍ଠା ଓ ସେବା ମନୋଭାବକୁ ଅଂଚଳବାସୀ ପ୍ରଶଂସା କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ