
ନୂଆଦିଲ୍ଲୀ, ୧୬ ସେପ୍େଟମ୍ବର (ହି.ସ.)- ଭାରତ ନିଜ ନୌସେନାର ଏକ ଜାହାଜ ସହ ପାକିସ୍ତାନୀ ନୌସେନାର ଜାହାଜ ଧକ୍କା ହେବା ଘଟଣାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଦିଲ୍ଲୀସ୍ଥିତ ପାକିସ୍ତାନୀ ହାଇକମିଶନର କାର୍ଯ୍ୟବାହକ ମୁଖ୍ୟଙ୍କୁ ତଲବ କରି ତୀବ୍ର ପ୍ରତିବାଦ ଦାଖଲ କରିଛି। ଭାରତ ଏହି ସମଗ୍ର ଘଟଣାକ୍ରମକୁ ଅସ୍ୱୀକାର୍ଯ୍ୟ ଏବଂ ଅଣ-ପେଶାଦାର ଆଚରଣ ବୋଲି କହିଛି।
ବିଦେଶ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଘଟଣା ଅନ୍ତର୍ଜାତୀୟ ସାମୁଦ୍ରିକ ଜଳକ୍ଷେତ୍ରରେ ଘଟିଥିଲା। ଯଦିଓ ଏହି ଧକ୍କାରେ କୌଣସି ବଡ଼ କ୍ଷତି ହୋଇନାହିଁ, କିନ୍ତୁ ପାକିସ୍ତାନୀ ନୌସେନାର ଜାହାଜର ଏହି ଆଚରଣ ସାମରିକ ଅଭ୍ୟାସ, ଯୁଦ୍ଧାଭ୍ୟାସ ଏବଂ ସୈନିକମାନଙ୍କ ଯାତାୟାତ ସମ୍ପର୍କରେ ପୂର୍ବ ସୂଚନା ସହ ଜଡ଼ିତ ଭାରତ-ପାକିସ୍ତାନ ଚୁକ୍ତି (ଏପ୍ରିଲ ୧୯୯୧)ର ଅନୁଚ୍ଛେଦ ୧୦ର ସିଧାସଳଖ ଉଲ୍ଲଂଘନ ଥିଲା।
ମନ୍ତ୍ରଣାଳୟ ପାକିସ୍ତାନୀ ହାଇକମିଶନର ପ୍ରଭାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି ଯେ ସେ ନିଜ ସମ୍ପର୍କିତ ଅଧିକାରୀମାନଙ୍କୁ ଏହି କଥା ଅବଗତ କରାନ୍ତୁ ଯେ ଭବିଷ୍ୟତରେ ଏପରି ଘଟଣାର ପୁନରାବୃତି ରୋକିବା ପାଇଁ ସମସ୍ତ ସାମରିକ ୟୁନିଟ୍ ସମ୍ପୂର୍ଣ୍ଣ ସାବଧାନତା ଅବଲମ୍ବନ କରନ୍ତୁ ଏବଂ ଉଭୟ ଦେଶ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଚୁକ୍ତିଗୁଡ଼ିକର ବ୍ୟବସ୍ଥାକୁ କଡ଼ାକଡ଼ିରେ ପାଳନ କରନ୍ତୁ। ଏହା ସହିତ, ଇସଲାମାବାଦସ୍ଥିତ ଭାରତୀୟ ହାଇକମିଶନର ପ୍ରଭାରୀଙ୍କୁ ମଧ୍ୟ ପାକିସ୍ତାନର ବିଦେଶ ମନ୍ତ୍ରଣାଳୟ ସମ୍ମୁଖରେ ଏହି ଘଟଣାକୁ ନେଇ ସମାନ ଭାବରେ କଡ଼ା ପ୍ରତିବାଦ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
-------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ