
ନୂଆଦିଲ୍ଲୀ, ୧୬ ସେପ୍େଟମ୍ବର (ହି.ସ.)- ଜାତୀୟ ସବୁଜ ଅଧିକରଣ (ଏନ ଜି ଟି) ୧୯ ଏବଂ ୨୦ ସେପ୍େଟମ୍ବରରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ‘ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ’ ବିଷୟ ଉପରେ ଦୁଇଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରିବ। ବିଜ୍ଞାନ ଭବନରେ ଆୟୋଜିତ ହେବାକୁ ଥିବା ସମ୍ମିଳନୀର ଉଦ୍ଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମାପନ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ।
ଏନଜିଟି ବୁଧବାର ଜାରି କରିଥିବା ଏକ ବିବୃତିରେ କହିଛି ଯେ ସମ୍ମିଳନୀରେ ଭାରତର ମୁଖ୍ୟ ବିଚାରପତି ନ୍ୟାୟମୂର୍ତି ସୂର୍ଯ୍ୟକାନ୍ତ, ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଆବାସନ ଏବଂ ସହରୀ କାର୍ଯ୍ୟ ଓ ବିଦ୍ୟୁତ ମନ୍ତ୍ରୀ ମନୋହର ଲାଲ, ସୁପ୍ରିମକୋର୍ଟର ନ୍ୟାୟମୂର୍ତି ବି.ଭି. ନାଗରତ୍ନା, ଆଟର୍ଣ୍ଣି ଜେନେରାଲ ଆର. ୱେଙ୍କଟରମଣି, ଏବଂ ଏନ ଜି ଟିର ଅଧ୍ୟକ୍ଷ ନ୍ୟାୟମୂର୍ତି ପ୍ରକାଶ ଶ୍ରୀବାସ୍ତବଙ୍କ ସମେତ ଅନେକ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ରହିବେ।
ଏହି ସମ୍ମିଳନୀରେ ଭାରତ ବ୍ୟତୀତ ୧୭ଟି ଦେଶର ବିଚାରପତି ଏବଂ ନ୍ୟାୟିକ ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ପରିବେଶ ବିଶେଷଜ୍ଞ, ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ବିଚାରପତି, ଜିଲ୍ଲା ଅଦାଲତର ବିଚାରପତି, ବରିଷ୍ଠ ସରକାରୀ ଅଧିକାରୀ ଏବଂ ବିଭିନ୍ନ ପରିବେଶ ସମ୍ବନ୍ଧୀୟ ସଂସ୍ଥାର ପ୍ରତିନିଧିମାନଙ୍କର ମଧ୍ୟ ଅଂଶଗ୍ରହଣ ରହିବ।
ସମ୍ମିଳନୀରେ ପରିବେଶ ଏବଂ ଜଳବାୟୁ ସହ ଜଡିତ ଆହ୍ୱାନଗୁଡ଼ିକ ଉପରେ ଆଲୋଚନା କରାଯିବ। ବିଭିନ୍ନ ଦେଶରେ ପରିବେଶ ସୁରକ୍ଷା ପାଇଁ ଆପଣାଯାଉଥିବା ପଦ୍ଧତି, ନ୍ୟାୟିକ ଅଭିଜ୍ଞତା ଏବଂ ବୈଜ୍ଞାନିକ ତଥ୍ୟକୁ ଆଦାନପ୍ରଦାନ କରାଯିବ।
ଏହାର ଉଦ୍ଦେଶ୍ୟ ପରିବେଶ ସମ୍ବନ୍ଧୀୟ ନିୟମ ଏବଂ ନୀତିଗୁଡ଼ିକୁ ଲାଗୁ କରିବାରେ ଆସୁଥିବା ଅଭାବଗୁଡ଼ିକୁ ଚିହ୍ନଟ କରିବା, ସଫଳ ପଦକ୍ଷେପଗୁଡ଼ିକୁ ଆଦାନପ୍ରଦାନ କରିବା ଏବଂ ବିଭିନ୍ନ ସଂସ୍ଥା ମଧ୍ୟରେ ସହଯୋଗ ବଢ଼ାଇବା। ସମ୍ମିଳନୀ ମାଧ୍ୟମରେ ପରିବେଶ ସୁରକ୍ଷା, ବିକାଶ ଏବଂ ନ୍ୟାୟ ମଧ୍ୟରେ ଉତମ ସମନ୍ୱୟ ସୃଷ୍ଟି କରିବା ଉପରେ ମଧ୍ୟ ଆଲୋଚନା ହେବ।
--------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ